ଭୁବନେଶ୍ବର: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭା ପରିସରରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁ ଏକାଧାରରେ ଜଣେ ଦେଶସେବକ, ଜନନାୟକ, ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ ଓ ଆଦର୍ଶ ଶିକ୍ଷକ ଥିଲେ। ସତ୍ୟବାଦୀରେ ପ୍ରତିଷ୍ଠିତ ମଣିଷ ତିଆରି କାରଖାନା ସତ୍ୟବାଦୀ ବନବିଦ୍ୟାଳୟ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ।
ଓଡ଼ିଆ ଭାଷା ସାହିତ୍ୟର ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ଚିର ସ୍ମରଣୀୟ। ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାବାସୀଙ୍କୁ ସାହାଯ୍ୟ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ପେଡ୍ ମା’ କେ ନାମ୍’ ଅଭିଯାନରେ ବିଧାନସଭା ପରିସରରେ ଏକ ରୁଦ୍ରାକ୍ଷ ଚାରାରୋପଣ କରିଥଲେ। ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୁରମା ପାଢ଼ୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।