ଆମ୍ବୁଲାନ୍‌ସ ଡ୍ରାଇଭରଙ୍କୁ ଟ୍ବିଟର୍‌ରେ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଦେବଗଡ଼: ଦେବଗଡ଼ ଜିଲ୍ଲାରେ କା‌ର୍ଯ୍ୟରତ ୧୦୮ ଜନନୀ ଆମ୍ବୁଲାନ୍‌ସ ଡ୍ରାଇଭର ରୋହିତ ଟେଟେ ଗତ ୨୦ ତାରିଖ ଦିନ ଜଣେ ରୋଗୀଙ୍କୁ ସ୍ବେଚ୍ଛାକୃତ ଭାବେ ରକ୍ତ ଦେଇ ତାଙ୍କର ଜୀବନ ବଞ୍ଚାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଏଭଳି ମହତ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ବୋଲି ଟ୍ବିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲାର ସୁମତି ଭୋଇ(୨୪) ବିଭିନ୍ନ ରୋଗରେ ପୀଡ଼ିତ ଥିବା ସହ ଦୁର୍ବଳ ହୋଇପଡ଼ିଲେ।

ପରିବାର ଲୋକ ତାଙ୍କୁ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ, ତାଙ୍କର ତୁରନ୍ତ ରକ୍ତ ଆବଶ୍ୟକ ଥିବା ଚିକିତ୍ସା କରୁଥିବା ଡା. ମନୋରଞ୍ଜନ ସାମଲ ପରିବାରବର୍ଗକୁ କହିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମ‌େ ତାଙ୍କର ପରିବାରବର୍ଗ ତାଙ୍କ ପାଇଁ ରକ୍ତ ଯୋଗାଡ଼ କରିଥିଲେ। ରୋଗୀଙ୍କ ବ୍ଲଡ୍‌ ଗ୍ରୁପ ବି ପଜିଟିଭ୍‌ ଥିବାବେଳେ ଦେବଗଡ଼ ରକ୍ତଭଣ୍ଡାରରେ ଏହି ଗ୍ରୁପ୍‌ର ରକ୍ତ ନଥିଲା। ସେହି ସମୟରେ ୧୦୮ ଜନନୀ ଡ୍ରାଇଭର୍‌ ରୋହିତ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ଥିଲେ। ତାଙ୍କର ଏବଂ ଉକ୍ତ ରୋଗୀଙ୍କ ବ୍ଲଡ୍‌ ଗ୍ରୁପ ଏକା ଥିବା ଜାଣିବା ପରେ ମାନବିକତା ଦେଖାଇ ରୋହିତ ରକ୍ତଦାନ କରିବା ସହିତ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇ ପାରିଥିଲେ।

ସମ୍ବନ୍ଧିତ ଖବର