ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ପଡ଼ିଥିବା ବରିଷ୍ଠ ଆଇଏଫ୍ଏସ୍ ଅଫିସର୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି। ଓଡ଼ିଶାରେ ଜଣେ ସର୍ବଭାରତୀୟ ସେବା ଅଧିକାରୀଙ୍କ ବିରୋଧରେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଏପରି ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହି ସୁପାରିସ୍ ପାୱାର୍ କରିଡର୍ରେ ହଟଚମଟ ସୃଷ୍ଟି କରିଛି। ପାଠକଙ୍କ ଘରେ ଯେପରି ରେଡ୍ କରାଯାଇଛି ଓ ଯେଉଁ ପରିମାଣରେ ସମ୍ପତ୍ତି ଠାବ କରାଯାଇଛି, ତାହା ରାଜ୍ୟ ଭିଜିଲାନ୍ସ ଇତିହାସରେ ପ୍ରଥମ। ସେହିପରି ପାଠକଙ୍କୁ ବାଧ୍ୟତାମୂଳକ ଅବସର ପ୍ରସ୍ତାବକୁ କେନ୍ଦ୍ର ଗ୍ରହଣ କରିନେଲେ, ତାହା ମଧ୍ୟ ରାଜ୍ୟରେ ପ୍ରଥମ ହେବ ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ କରିଥିବା ସୁପାରିସ୍ରେ କିପରି ଅଭୟକାନ୍ତ ପାଠକ ବେଆଇନ୍ ଭାବେ ପ୍ରଚୁର ସମ୍ପତ୍ତି ଠୁଳ କରିଛନ୍ତି ତାହା ଦର୍ଶାଇବା ସହ ନିଜ ପୁଅକୁ ଠକାମି ଓ ଜାଲିଆତିରେ ସହଯୋଗ କରିଥିବା ସମ୍ପର୍କରେ ମଧ୍ୟ ଜଣାଇଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଶ୍ରୀ ପାଠକ ବେଆଇନ୍ ଭାବେ ପାଇଥିବା ଅର୍ଥକୁ ତାଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟ୍ରେ ଜମା କରିଛନ୍ତି ଏବଂ ନିଜ ପୁଅକୁ ଟାଟା ମୋଟର୍ସ ଏମ୍ଡି ଭାବେ ପରିଚୟ ଦେଇ ଠକିବାରେ ସାହାଯ୍ୟ କରିଛନ୍ତି। ଜାଲିଆତି, ଠକାମି ଓ ବେକାର ଯୁବକ, ଯୁବତୀଙ୍କ ଠାରୁ ଟାଟା ମୋଟର୍ସରେ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ବିପୁଳ ପରିମାଣରେ ଅର୍ଥ ନେଇଥିବା ଅଭିଯୋଗରେ ତାଙ୍କ ପୁଅ ମଧ୍ୟ କ୍ରାଇମ୍ବ୍ରାଞ୍ଚ୍ ଦ୍ବାରା ଗିରଫ ହୋଇଛନ୍ତି। ଟାଟା ମୋଟର୍ସ ପକ୍ଷରୁ ଦିଆଯାଇଥିବା ଏତଲା ଭିତ୍ତିରେ ତାଙ୍କୁ ଗିରଫ କରାଯାଇଛି। ବେଆଇନ୍ ଭାବେ ହାସଲ କରିଥିବା ସମ୍ପତ୍ତିରୁ ଶ୍ରୀ ପାଠକ ମର୍ସିଡିସ୍, ବିଏମ୍ଡବ୍ଲ୍ୟୁ ପରି ନାମୀଦାମୀ ବ୍ରାଣ୍ଡ୍ର କାର୍ ବ୍ୟବହାର କରୁଥିଲେ। ଲକ୍ଡାଉନ୍ ସମୟେର ସେ ଓ ତାଙ୍କ ପୁଅ ଚାର୍ଟର୍ଡ ଫ୍ଲାଇଟ୍ରେ ଦେଶର ବିଭିନ୍ନ ସ୍ଥାନକୁ ଭ୍ରମଣ କରିବା ସହ ବିଳାସପୂର୍ଣ୍ଣରେ ହୋଟେଲ୍ରେ ରହୁଥିଲେ। ଉଭୟ ବାପା ଓ ପୁଅ ଘରୋଇ ସିକ୍ୟୁରିଟି ଗାର୍ଡ ସାଙ୍ଗରେ ନେଉଥିଲେ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଳେଖ କରିଛନ୍ତି।
ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ୍ ଯିବା ପୂର୍ବରୁ ୧୯୮୭ ବ୍ୟାଚ୍ର ଆଇଏଫ୍ଏସ୍ ଅଫିସର୍ ଶ୍ରୀ ପାଠକ ଅତିରିକ୍ତ ପିସିସିଏଫ୍ ଭାବେ କାର୍ଯ୍ୟ କରୁଥିଲେ। ଭିଜିଲାନ୍ସ ଦ୍ବାରା ଗିରଫ ହେଲା ପରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କ ଠାରୁ ୨୦ କୋଟି ଟଙ୍କାରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି। ଶ୍ରୀ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା ବେଳେ ତାଙ୍କ ପୁଅ ଆକାଶ ପାଠକଙ୍କୁ କ୍ରାଇମ୍ବ୍ରାଞ୍ଚ୍ ଗିରଫ କରିଛି। ଉଭୟ ଏବେ ଜେଲ୍ରେ ଅଛନ୍ତି।