‘ମୋ ସରକାର’ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଲୋକଙ୍କ ମତାମତ ନେଇ ନୀତି ପ୍ରସ୍ତୁତ ହେବ

ଏକ ସର୍ବଜନ ହିତକାରୀ ସମାଜ ଗଠନ ସୁନିଶ୍ଚିତ କରିବୁ, ହିତାଧିକାରୀଙ୍କ ସହ ସିଧାସଳଖ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସବୁ ସରକାରଙ୍କ ଲକ୍ଷ୍ୟ ହେଉଛି ଲୋକଙ୍କୁ ସେବା ଯୋଗାଇଦେବା। ଲୋକଙ୍କ ଠାରୁ ନିୟମିତ ଭାବରେ ମତାମତ ଗ୍ରହଣ କରି ଏବଂ ତାହାକୁ ଭିତ୍ତିକରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଲେ କିମ୍ବା ନୀତି ବା ପ୍ରକ୍ରିୟାରେ ଆବଶ୍ୟକ ସଂଶୋଧନ କଲେ ଲୋକଙ୍କ ପାଖରେ ସରକାରଙ୍କ ପ୍ରାସଙ୍ଗିକତା ରହିବ। ତେଣୁ ଏବେ ଠାରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସବୁ ସ୍ତରରେ, ସବୁ କ୍ଷେତ୍ରରେ ଲୋକଙ୍କ ଠାରୁ ଅଧିକରୁ ଅଧିକ ମତାମତ ସଂଗ୍ରହ କରିବେ। ଏହା ଦ୍ବାରା ମୋ ସରକାର ପରବର୍ତ୍ତୀ ସ୍ତରକୁ ଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ରାଜ୍ୟ ସରକାରଙ୍କ ୨୭ଟି ବିଭାଗର ୨୨୫ଟି ସେବା ଏବେ ‘ମୋ ସରକାର’ରେ ସାମିଲ୍‌ ହୋଇଛି। ‘ମୋ ସରକାର’ରେ ଯେଉଁ ବିଭାଗଗୁଡ଼ିକ ସାମିଲ୍‌ ହୋଇଛନ୍ତି ସେମାନଙ୍କର କାର୍ଯ୍ୟଶୈଳୀ ପୂର୍ବାପେକ୍ଷା ବଦଳିଛି। ହେଲେ ଲୋକଙ୍କ ଆଶାନୁଯାୟୀ ବହୁ ବିଭାଗ ସେବା ଯୋଗାଇପାରୁନାହାନ୍ତି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ମୋ ସରକାରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ ‌କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ପ୍ରଶାସନ ୫-ଟି ନୀତି ଦ୍ବାରା ପରିଚାଳିତ ଏବଂ ଏହା ଦ୍ବାରା ସବୁ କ୍ଷେତ୍ରରେ ରୂପାନ୍ତର ଆଣିବା ଆମର ଲକ୍ଷ୍ୟ। ବିଭିନ୍ନ କ୍ଷେତ୍ରରେ ଓଡିଶା ଏବେ ଯେଉଁ ଉଲ୍ଲେଖନୀୟ ପଦକ୍ଷେପ ନେଇ ସାରା ବିଶ୍ବର ନଜରକୁ ଆସିପାରିଛି। ମହିଳା ସଶକ୍ତୀକରଣ ଠାରୁ ଆରମ୍ଭ କରି କୃଷକମାନଙ୍କୁ ସହାୟତା, ସହରାଞ୍ଚଳ ପରିଚାଳନା ବ୍ୟବସ୍ଥା, କ୍ରୀଡ଼ା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସେବା ଓ ସ୍କୁଲ ରୂପାନ୍ତର ଆଦି କାର୍ଯ୍ୟକ୍ରମ ଗୁଡିକରେ ରାଜ୍ୟ ଅନେକ ପ୍ରଶଂସା ପାଇଛି।

ମୋ ସରକାର ହେଉଛି ଏଭଳି ଏକ ସୁଦୂରପ୍ରସାରୀ ଚିନ୍ତାଧାରା, ଯାହାକି ଆମର ପ୍ରଶାସନିକ ବ୍ୟବସ୍ଥାର ପରୀକ୍ଷା ନିଏ। ଲୋକଙ୍କ ସେବା ଦିଗରେ ଆମର ଉଦ୍ୟମକୁ ପ୍ରମାଣିତ କରେ ଏବଂ ସରକାରଙ୍କୁ ଲୋକଙ୍କ ନିକଟତର କରାଏ। ମୋ ସରକାର କାର୍ଯ୍ୟକ୍ରମରେ ବୈଷୟିକ ଜ୍ଞାନକୌଶଳ ସହାୟତାରେ ଆମେ ଲୋକଙ୍କ ଠାରୁ ସିଧାସଳଖ ମତାମତ ନେଇପାରୁଛୁ। ଏହା ବ୍ୟବସ୍ଥାର ପରିବର୍ତ୍ତନର ସୂଚକ। ମୋ ସରକାର ଏକ ଭାଗିଦାରୀଭିତ୍ତିକ ଗଣତନ୍ତ୍ରର ସ୍ତମ୍ଭକୁ ସୁଦୃଢ କରେ ଏବଂ ଏହାଦ୍ବାରା ଓଡିଶାରେ ଆମେ ଏକ ସର୍ବଜନହିତକାରୀ ସମାଜ ଗଠନକୁ ଆମେ ସୁନିଶ୍ଚିତ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ଆମକୁ ଲୋକଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିବା ସହିତ ଜନସାଧାରଣଙ୍କ ବିଶ୍ବାସକୁ ଭିତ୍ତିକରି ସବୁ ସ୍ତରରେ ବିଭିନ୍ନ ପ୍ରଶାସନିକ ସଂସ୍ଥା ଗୁଡିକୁ ଅଧିକ ଦକ୍ଷ, ଉତ୍ତରଦାୟୀ ଓ ସର୍ବଜନ ହିତକାରୀ କରିବାରେ ସହାୟକ ହେବ ବୋଲି ସେ କହିଥିଲେ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କ ସହିତ ଟେଲିଫୋନ୍‌ରେ ସିଧାସଳଖ କଥା ହୋଇ ସେମାନଙ୍କଠାରୁ ମତାମତ ନେଇଥିଲେ। ଜାତିଗତ ପ୍ରମାଣପତ୍ର ନେବା ପାଇଁ ତହସିଲକୁ ଯାଇଥିବା ବ୍ୟକ୍ତି, ମ୍ୟୁନିସିପାଲ୍‌ଟିକୁ ସେବା ପାଇଁ ଯାଇଥିବା ବ୍ୟକ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବେସରକାରୀ ହସ୍‌ପିଟାଲକୁ ଚିକିତ୍ସା ପାଉଥିବା ବ୍ୟକ୍ତି, ଥାନାକୁ ବିଭିନ୍ନ ଅଭିଯୋଗ ନେଇ ଯାଇଥିବା ବ୍ୟକ୍ତିମାନଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ଏବଂ ସେମାନେ କିପରି ସେବା ପାଇଲେ, ସେମାନଙ୍କ ସହିତ ଉତ୍ତମ ବ୍ୟବହାର କରାଯାଇଥିଲା କି ନାହିଁ, କିମ୍ବା ସେମାନଙ୍କ ଠାରୁ କୌଣସି ପ୍ରକାର ଅର୍ଥ ମଗାଯାଇଥିଲା କି ନାହିଁ, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ଏହାପରେ ତହସିଲ ଓ ସବ୍ ରେଜିଷ୍ଟ୍ରାର ଅଫିସରେ ଦିଆ ଯାଉଥିବା ସେବାରେ ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଯେଉଁ ବିଭାଗ ଗୁଡିକର ମତାମତ ଗ୍ରହଣ ସନ୍ତୋଷଜନକ ନୁହେଁ ସେ ବିଭାଗ ଗୁଡିକର କାର୍ଯ୍ୟ ସମୀକ୍ଷା କରି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ‘ମୋ ସରକାର’ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି କହିଲେ ଯେ ବ୍ୟବସ୍ଥା କିପରି କାମ କରୁଛି, ତାକୁ ଜାଣିବା ହେଉଛି ମୋ ସରକାରର ଲକ୍ଷ୍ୟ । ଲୋକଙ୍କୁ ସମ୍ମାନର ସହିତ ସେବା ଯୋଗାଇଦେବା ହେଉଛି ସରକାରଙ୍କ ଦାୟିତ୍ବ । ସେମାନେ ଯେପରି କୌଣସି କାର୍ଯ୍ୟାଳୟରେ ଖରାପ ବ୍ୟବହାର ନ ପାଆନ୍ତି ଏବଂ ବୃତ୍ତିଗତ ସେବା ପାଆନ୍ତି, ତାକୁ ସୁନିଶ୍ଚିତ କରିବା ହେଉଛି ମୋ ସରକାରର ଲକ୍ଷ୍ୟ ବୋଲି ସେ କହିଥିଲେ।

ବୈଠକରେ ଇଲେକ୍ଟ୍ରୋନିକ୍‌ସ ଓ ଆଇଟି ସଚିବ ମନୋଜ କୁମାର ମିଶ୍ର ‘ମୋ ସରକାର’ ଉପରେ ଏକ ଉପସ୍ଥାପନା ରଖି କହିଥିଲେ ଯେ ବର୍ତ୍ତମାନ ୨୭ଟି ବିଭାଗର ୨୨୫ଟି ସେବା ମୋ ସରକାରରେ ଅନ୍ତର୍ଭୁକ୍ତ ହୋଇଛି। ଆଉ ମାସକ ମଧ୍ୟରେ ୨୫୦ଟି ସେବା ଅନ୍ତର୍ଭୁକ୍ତ ହେବ। ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨ କୋଟି ଲୋକଙ୍କ ଡାଟାବେସ୍‌ ରଖାଯାଇଛି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର