ନୂଆଦିଲ୍ଲୀରୁ ବାତ୍ୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ସମସ୍ତ ପ୍ରଭାବିତଙ୍କୁ ସ୍ଥାନାନ୍ତରଣ କରାଯିବାକୁ ନିର୍ଦ୍ଦେଶ

୧୧ଟି ଜିଲ୍ଲାରେ ଆସନ୍ତା ୨ ଦିନ ପାଇଁ ସ୍କୁଲ ବନ୍ଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରୁ ବାତ୍ୟାର ସମୀକ୍ଷା କରିଛନ୍ତି। ଦିନ ୪ଟା ସୁଦ୍ଧା ସମସ୍ତ ପ୍ରଭାବିତଙ୍କୁ ସ୍ଥାନାନ୍ତରଣ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ। ସ୍ଲୋପ୍ ,ମାଟି ଘର, ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ଏସଓପି ଅନୁସାରେ ସମସ୍ତ କାର୍ଯ୍ୟ ହେବ। ଗର୍ଭବତୀଙ୍କୁ ପ୍ରଧାନ୍ୟ ଦିଆଯିବ। କୌଣସି ପ୍ରାଣହାନି ଯେପରି ନ ଘଟେ ସେଥିପ୍ରତି ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡ଼ା କୋଭିଡ୍ ନିୟମ ପାଳନ କରାଯିବ, ସେଲଟର୍ ହୋମରେ ଅଳ୍ପ ଅଳ୍ପ ଲୋକଙ୍କୁ ରଖାଯିବା ପାଇଁ ବି ସେ ନିର୍ଦ୍ଦେଶ ଦେଇଛନ୍ତି।
ଏଣେ ୧୧ଟି ଜିଲ୍ଲାରେ ଆସନ୍ତା ୨ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ମଙ୍ଗଳବାର ସ୍ଥିତି ଦେଖି ସ୍କୁଲ ଖୋଲିବା ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ।
ଗତକାଲି ସନ୍ଧ୍ୟାରେ ବାତ୍ୟାର ରୂପ ନେଇଛି ଗୁଲାବ। ଦିନ ୧୧ଟା ସୁଦ୍ଧା ଗୋପାଳପୁର ଠାରୁ ୧୮୦ କିମି ଦୁରରେ ଥିଲା, ଆଶା କରାଯାଉଛି ବିଳମ୍ବିତ ରାତି ମଧ୍ୟରେ ଲ୍ୟାଣ୍ଡଫଲ୍ ହେବ। ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ ହେବ। ଗଜପତି, ରାୟଗଡା, ମାଲକାନାଗିରି ଜିଲ୍ଲା ଦେଇ ଅତିକ୍ରମ କରିବ। ୮୫ରୁ ୯୫ କିମି ବେଗରେ ପବନ ବହିବ ଓଡ଼ିଶାରେ। ଧୀରେ ଧୀରେ ପବନର ବେଗ କମିବ। ପରେ ୬୦ରୁ ୭୦ କିମି ବେଗରେ ଗଞ୍ଜାମ ଗଜପତିରେ ପବନ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି କୋରାପୁଟ, ରାୟଗଡା, ଗଜପତିରେ ପ୍ରଭାବ ରହିବ। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର୍ କହିଛନ୍ତି।
ସେ କହିଛନ୍ତି, କଳାହାଣ୍ଡି ଉପରେ ଅଧିକ ସତର୍କ ନଜର ରଖାଯାଇଛି, କାରଣ ବାତ୍ୟାକୁ କେବେ ସମ୍ମୁଖୀନ କରି ନାହାନ୍ତି ଜିଲ୍ଲାବାସୀ। ଏହାଛଡ଼ା ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଂଗପୁରକୁ ହାଇ ଆଲର୍ଟ କରାଯାଇଛି।
ଏସଆରସି ଅନୁରୋଧ କରି କହିଛନ୍ତି, ଆଜି ସଂଧ୍ୟାରୁ ଆସନ୍ତାକାଲି ୯ଟା ଯାଏଁ କେହି ବାହାରକୁ ଯାଅନ୍ତୁ ନାହିଁ। କଚ୍ଚା ଘରେ ଥିଲେ ପକ୍କା ଘରକୁ ଯାଅନ୍ତୁ। ପାହାଡିଆ ଅଞ୍ଚଳରେ ନଦୀ, ନାଳରେ ପାଣି ପଶିବାର ସମ୍ଭାବନା ଅଛି। ତେଣୁ ପାଣି ଥିବା ବେଳେ କେହି ପ୍ରବେଶ କରନ୍ତୁ ନାହିଁ। ଯାତାୟତ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର