ଭୁବନେଶ୍ବର: ସୁଶାସନର କେନ୍ଦ୍ରବିନ୍ଦୁ ହେଉଛନ୍ତି ନାଗରିକ। ତେଣୁ ସମସ୍ତ ସରକାରୀ କାର୍ଯ୍ୟକ୍ରମ, ଯୋଜନା, ସର୍ବୋପରି ସରକାରୀ ସେବା ବ୍ୟବସ୍ଥାକୁ ନାଗରିକ କୈନ୍ଦ୍ରିକ କରାଯାଇଛି। ଜନସାଧାରଣଙ୍କ ମତାମତ ବିନା କୌଣସି ଯୋଜନା ସଫଳ ହୋଇ ପାରିବ ନାହିଁ। ତେଣୁ ଲୋକଙ୍କ ମତାମତ ଓ ପରାମର୍ଶ ସୁଶାସନର ମୁଖ୍ୟ ଉପାଦାନ। ଏହାଦ୍ୱାରା ଶାସନ ବ୍ୟବସ୍ଥା ଦକ୍ଷ ହୋଇପାରିବ। ଏହାକୁ ନଜରରେ ରଖି ଆଜିଠାରୁ ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ ହେଲା। ଏହି କାର୍ଯ୍ୟକ୍ରମ ଶାସନ ପ୍ରଶାସନରେ ସ୍ୱଚ୍ଛତା, ପାରଦର୍ଶିତା, ଦାୟିତ୍ୱବୋଧ ଓ ଉତ୍ତରଦାୟିତ୍ୱ ଆଣିବ। ଆମ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ କମ୍ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
Advertisment
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ‘ଆମ ଶାସନ’ର ଶୁଭାରମ୍ଭ କରି କହିଥିଲେ, ଏହା ହେଉଛି ଆଧୁନିକ ଜ୍ଞାନକୌଶଳ ଉପଯୋଗରେ ପ୍ରସ୍ତୁତ ହୋଇଥିବା ଏକ ଅତ୍ୟାଧୁନିକ ଫିଡ୍‌ବ୍ୟାକ୍ ସିଷ୍ଟମ୍‌। ଏହା ଜରିଆରେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପ୍ଲାଟଫର୍ମରେ ଜନସାଧାରଣ ସେମାନଙ୍କ ମତାମତ ବା ପରାମର୍ଶ ଦେଇ ପାରିବେ। ରାଜ୍ୟ ସରକାରଙ୍କ ୱେବସାଇଟ୍ ଚାଟ୍‌ବଟ୍ amashasana.odisha.gov.in, ହ୍ୱାଟସ୍‌ଆପ୍ ଚାଟ୍‌ବଟ୍‌ ୭୪୦୦୨୨୧୯୦୩, ଟୋଲ୍‌ ଫ୍ରି ନମ୍ବର ୧୪୪୭୧ ଜରିଆରେ ନିଜ ଅଭିଯୋଗ ଓ ପରାମର୍ଶ ଦେଇପାରିବେ। ଏହାସହ ନିୟମିତ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଟେଲିଫୋନ୍ ଜରିଆରେ ମତାମତ ଗ୍ରହଣ କରିବେ। 
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗାନ୍ଧୀଜୀଙ୍କ ଭାଷାରେ ‘ନିଜକୁ ପାଇବାକୁ ହେଲେ ଅନ୍ୟମାନଙ୍କ ସେବାରେ ନିଜକୁ ହଜାଇ ଦେବାକୁ ହେବ’। ଏହି ଆଦର୍ଶରେ ଆମ ସରକାର ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗଣମାନଙ୍କ ସେବାରେ ନିଜକୁ ହଜାଇ ଦେବା ପାଇଁ ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ସୁଶାସନ ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମୋଦୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ନିଜକୁ ‘ବସ୍’ ବୋଲି ନ ଭାବି ଲୋକଙ୍କ ସେବକ ଭାବରେ କାମ କରୁଛୁ। ଶାସନ ପ୍ରକ୍ରିୟାରେ ଜନସାଧାରଣଙ୍କ ସକ୍ରିୟ ଭାଗିଦାରୀ ହିଁ ଆମ ପାଇଁ ସମ୍ପତ୍ତି। ତେଣୁ ‘ଆମ ଶାସନ’ ବ୍ୟବସ୍ଥା ବର୍ତ୍ତମାନ ସମୟ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ। ଲୋକଙ୍କ ମତାମତକୁ ସମ୍ମାନ ଜଣାଇ ବିଧିବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ କରାଯିବ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ବାଇଁ, ମୁଖ୍ୟ ସଚିବ ମନୋଜ ଆହୁଜା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, ସ୍ବାସ୍ଥ୍ୟ ସଚିବ ଅଶ୍ବସ୍ତି ଏସ୍‌. ପ୍ରମୁଖ ଯୋଗ ଦେଇଥିଲେ। ଓକାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଦୀପ ରାଉତ ପ୍ରାରମ୍ଭିକ ସୂଚନା ଦେଇଥିଲେ।
ସୂଚନାଯୋଗ୍ୟ, ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲାଇନ୍‌ରେ ୩୨ଟି ବିଭାଗର ୪୨୮ଟି ସେବା ଉପଲବ୍ଧ ଅଛି। ‘ଆମ ଶାସନ’ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୮ଟି ବିଭାଗର ୧୩ଟି ସେବା ପାଇଁ ଫିଡ୍‌ବ୍ୟାକ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସେଗୁଡ଼ିକ ହେଲା ପଞ୍ଚାୟତିରାଜ ବିଭାଗର ଅନ୍ତ୍ୟୋଦୟ ଗୃହ ଯୋଜନା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମଧୁବାବୁ ପେନ୍‌ସନ ଯୋଜନା, ମହିଳା ଓ ଶିଶୁ ବିକାଶ ବିଭାଗର ସୁଭଦ୍ରା ଯୋଜନା, ଅନୁସୂଚିତ ଜନଜାତି ଓ ଜାତି ବିଭାଗର ସହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନା, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଶ୍ରୀଅନ୍ନ ଓ ସିଏମ୍‌ କିଷାନ ଯୋଜନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଧାନ ସଂଗ୍ରହ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଇନ୍‌ ପେସେଣ୍ଟ ଓ ଆଉଟ୍ ପେସେଣ୍ଟ ସେବା ଓ ଆୟୁଷ୍ମାନ ବୟୋବନ୍ଦନା ଯୋଜନା, ଗୃହ ବିଭାଗର ଏଫ୍‌ଆଇଆର୍‌, ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନ ଓ ପିଟିସନ। ଏହି  ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ଜଗତସିଂହପୁର, କନ୍ଧମାଳ, ବଲାଙ୍ଗୀର ଆଦି ୪ଟି ଜିଲ୍ଲାର ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥା ହୋଇଥିଲେ। ସେମାନେ ସରକାରଙ୍କ ଯୋଜନାର ସୁଫଳ ସୁବିଧାରେ ପାଉଛନ୍ତି ବୋଲି କହିଥିଲେ।