ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଉଦ୍ବେଗଜନକ ରହିଛି। ଆଜି ଆକାଶମାର୍ଗରୁ ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ବ୍ଲକ୍ର ବନ୍ୟା ସ୍ଥିତି ଅନୁଧ୍ୟାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ଏହା କହିଛନ୍ତି। ଜିଲ୍ଲାର ୩୫ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି ଏବଂ ୨୦୦୦ ଲୋକ ସ୍ଥାନାନ୍ତର ହୋଇଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ପୂର୍ବାହ୍ନ ୯ଟା ୩୦ ସମୟରେ ହେଲିକପ୍ଟର ଯୋଗେ ଭୁବନେଶ୍ବର ବିମାନବନ୍ଦରରୁ ଆସି ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ବ୍ଲକ୍ର ବନ୍ୟା ସ୍ଥିତି ଆକାଶମାର୍ଗରୁ ଅନୁଧ୍ୟାନ କରିଥିଲେ। ପରେ ୧୧ଟା ୧୦ରେ ବାଲେଶ୍ୱର ସହର ଉପକଣ୍ଠ ପାଛୋଡ଼ିଆସ୍ଥିତ ପଦ୍ମାବତୀ ପାର୍କ ପରିସରରେ ଜିଲ୍ଲା ପ୍ରଶାସନ ସହ ବନ୍ୟାସ୍ଥିତିର ବିଧିବଦ୍ଧ ସମୀକ୍ଷା କରିଥିଲେ।
ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ବାଲେଶ୍ୱରରେ ବନ୍ୟା ସ୍ଥିତି ଓ ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ତଥ୍ୟ ରଖିଥିଲେ। ସୁବର୍ଣ୍ଣରେଖା ନଦୀରେ ଭୟଙ୍କର ବନ୍ୟା ପ୍ରଭାବରେ ୩୫ରୁ ଅଧିକ ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ୧୫ଟି ପଞ୍ଚାୟତର ୨ ହଜାର ଲୋକଙ୍କୁ ଆଜି ସକାଳ ସୁଦ୍ଧା ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ, ବନ୍ୟାଜଳ ଘେରରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ୮ ଅଗ୍ନିଶମ ଦଳ, ୩ ଓଡ୍ରାଫ୍ ଓ ଗୋଟିଏ ଏନ୍ଡିଆର୍ଏଫ୍ ଟିମ୍ ସାମିଲ ହୋଇଥିବା ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଶୂନ୍ୟ ଜୀବନହାନି ଉପରେ ଗୁରୁତ୍ବାରୋପ କରିଥିଲେ। ବନ୍ୟା ପ୍ରପୀଡ଼ିତ ଅଂଚଳର ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ ସାଙ୍ଗକୁ ଅସ୍ଥାୟୀ ସ୍ଥାନାନ୍ତର କରାଯାଇଥିବା ଲୋକଙ୍କୁ ଶୁଖିଲା ଏବଂ ରନ୍ଧାଖାଦ୍ୟ ଉପରେ ବିଶେଷ ସମୀକ୍ଷା କରିଥିଲେ। ତତ୍ସହିତ ବସ୍ତା, ଜଳେଶ୍ୱର ଓ ବାଲିଆପାଳ ବ୍ଲକ୍ର କିଛି ପଂଚାୟତରେ ବନ୍ୟାଜଳ ପ୍ରବେଶ କରିବା ଏବଂ ଏହା ଦ୍ୱାରା କୃଷି କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ଦୁଇଦିନ ମଧ୍ୟରେ ପରିସ୍ଥିତିର ସୁଧାର ଆସିବ ବୋଲି ସେ ଆଶାପ୍ରକଟ କରିବା ସହ ବନ୍ୟା ଛାଡ଼ିବା ପରେ କୃଷି ଓ ରାଜସ୍ୱ ବିଭାଗ ପକ୍ଷରୁ ବିଧିବଦ୍ଧ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।
ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ ବନ୍ୟାରେ ୩୫ ପଞ୍ଚାୟତ କ୍ଷତିଗ୍ରସ୍ତ ସାଙ୍ଗକୁ ୨ ହଜାର ଲୋକଙ୍କୁ ସ୍ଥାନାନ୍ତର ଉପରେ ସୂଚନା ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ଉତ୍ତର ବାଲେଶ୍ୱରରେ ସ୍ଥାୟୀ ବନ୍ୟାର ମୁକାବିଲା ନିମନ୍ତେ ବହୁ ପ୍ରତୀକ୍ଷିତ ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏଥିନିମନ୍ତେ ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ବିସ୍ତୃତ ରିପୋର୍ଟ ସହ ବିଧିବଦ୍ଧ ମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପରେ ଉପରୋକ୍ତ ଅଂଚଳରେ ସମ୍ଭାବ୍ୟ ଡାଇରିଆକୁ ଆଖି ଆଗରେ ରଖି ବିଧିବଦ୍ଧ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଥିଲେ।
ସମୀକ୍ଷା ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦଚନ୍ଦ୍ର ଦାସ, ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ଏସ୍ପି ସାଗରିକା ନାଥ, ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ବିଶ୍ୱରଂଜନ ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସାଇକୃଷ୍ଣ ଜେନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/O2Pex1wgszIopYzJFIJk.jpg)