ଭୁବନେଶ୍ୱର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟେଲିଫୋନ୍ରେ କଥା ହୋଇଛନ୍ତି। ଏହାସହ ପୀଡ଼ିତାଙ୍କ ମା’ ଓ ସେଠାରେ ଉପସ୍ଥିତ ଓଡ଼ିଶା ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ପୀଡ଼ିତା ଜଣକ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କୁ କହିଥିଲେ ଯେ ଚିନ୍ତା କରନାହିଁ, ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ତୁମ ସହିତ ଅଛନ୍ତି। ଯେପରି ଶୀଘ୍ର ସୁସ୍ଥ ହୋଇ ସାମାନ୍ୟ ଜୀବନଯାପନ କରି ଶିକ୍ଷାକ୍ଷେତ୍ରରେ ଆଗକୁ ବଢ଼ିବେ ସେଥିପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
ପୀଡ଼ିତା ଓଡ଼ିଆ ଛାତ୍ରୀ, ତାଙ୍କ ମା’ଙ୍କ କଥା ହେଲେ ମୁଖ୍ୟମନ୍ତ୍ରୀ
ତ୍ବରିତ ନ୍ୟାୟ ପାଇଁ ଉଦ୍ୟମ କରିବାକୁ ମହିଳା କମିସନ ଅଧ୍ୟକ୍ଷାଙ୍କୁ ପରାମର୍ଶ
ପୀଡ଼ିତାଙ୍କ ମା’ଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ଘଟଣାରେ ସଂପୃକ୍ତ ଅପରାଧୀମାନେ ଯେପରି ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ ସେଥିପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି। ସେହିପରି ସେଠାରେ ଉପସ୍ଥିତ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗ ରକ୍ଷା କରି ପୀଡ଼ିତାକୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଉଦ୍ୟମ ସହ ଚାପ ସୃଷ୍ଟି କରିବା ପାଇଁ ସବୁ ଫୋରମ୍ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ବାପାଙ୍କ ସହିତ ମଧ୍ୟ କଥା ହୋଇଥିଲେ।