ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କ‌ରେ ବୁଝିଲେ ମୁଖ୍ୟମନ୍ତ୍ରୀ, ସର୍ବୋତ୍କୃଷ୍ଟ ଚିକିତ୍ସା ସେବା ଯୋଗାଇବାକୁ କହିଲେ

ଭୁବନେଶ୍ବର: କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମ୍‌ସ୍‌ରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍‌ଫରେନ୍ସିଂ ଯୋଗେ ଶ୍ରୀ ନାଏକଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଏମ୍‌ସ୍‌ ଓ ଏସ୍‌ସିବି ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ଡାକ୍ତରମାନେ ଜଣାଇଥିଲେ ଯେ ଶ୍ରୀ ନାଏକଙ୍କର ବର୍ତ୍ତମାନ କ‌ରୋନା ନେଗେଟିଭ୍ ରହିଛି। କିନ୍ତୁ ଫୁସ୍‌ଫୁସ୍‌ ଅଧିକ ସଂକ୍ରମଣ ହୋଇଥିବାରୁ ସେ ଭେଣ୍ଟିଲେଟର୍‌ରେ ଅଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଗୁରୁତର ରହିଛି। ତାଙ୍କୁ ଭଲ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି।

ଶ୍ରୀ ନାଏକଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସହାୟତା ବିଶେଷ କରି କ୍ରିଟିକାଲ୍‌ ମେଡିସିନ୍ ଠିକ୍ ସମୟରେ ଯୋଗାଇ ଦେଇଥିବାରୁ ଏମ୍‌ସ୍‌ ନିର୍ଦ୍ଦେଶିକା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ନାଏକଙ୍କୁ ସର୍ବୋତ୍କୃଷ୍ଟ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ରାଜ୍ୟ ସରକାର ଏ ଦିଗରେ ସମସ୍ତ ସହ‌ଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ନେତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ନାଏକଙ୍କ ଚିକିତ୍ସା ସମ୍ପର୍କରେ ପରାମର୍ଶ କରିବା ନିମନ୍ତେ ଏମ୍‌ସ୍‌, ନୂଆଦିଲ୍ଲୀର ନିର୍ଦ୍ଦେଶକ ପ୍ରଫେସର ଆର୍‌ ଗୁଲେରିଆଙ୍କ ସହ ଚିକିତ୍ସା କରୁଥିବା ଡାକ୍ତର, ଏମ୍‌ସ୍‌ ଭୁବନେଶ୍ବର ନିର୍ଦ୍ଦେଶିକା ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀଙ୍କର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନାର ବ୍ୟବସ୍ଥା କରାଇଥିଲେ।

ସମ୍ବନ୍ଧିତ ଖବର