ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସଂଧ୍ୟାରେ ଭୁବନେଶ୍ବର ଏବଂ ରାଉରକେଲାରେ ଆୟୋଜିତ ହେବାକୁ ଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍-୨୦୨୩ର ଲୋଗୋକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। ୨୦୧୮ ହକି ବିଶ୍ବକପ୍ର ସଫଳ ଆୟୋଜନ ପରେ ଆସନ୍ତାବର୍ଷ ଓଡ଼ିଶାରେ ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଆୟୋଜିତ ହେବ। ତେବେ ପ୍ରଥମ ଥର ପାଇଁ ଦୁଇଟି ସହରରେ ଖେଳାଯିବ।
ଲୋଗୋ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥାକୁ ଗୁରୁତ୍ବ ଦେଇ କହିଥିଲେ ଯେ ଲଗାତାର ଦ୍ବିତୀୟ ଥର ପାଇଁ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍ର ଲୋଗୋ ଉନ୍ମୋଚନ କରି ମୁଁ ବେଶ୍ ଆନନ୍ଦିତ ଓ ଗର୍ବିତ। ଏଥର ଦୁଇଟି ସହର ଭୁବନେଶ୍ବର ଏବଂ ରାଉରକେଲାରେ ବିଶ୍ବକପ୍ ଆୟୋଜନ ହେବା ନେଇ ଆମେ ବେଶ୍ ଉଲ୍ଲସିତ ଅଛୁ। ୨୦୧୮ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ୍ ଆମକୁ ଅନେକ ଅଭୁଲା ଓ ସ୍ମରଣୀୟ ମୁହୂର୍ତ୍ତ ପ୍ରଦାନ କରିଥିଲା। ଏବେ ବି ସେହି ମୁହୂର୍ତ୍ତସବୁ ଆମ ମନରେ ଅସୀମ ଆନନ୍ଦ ଭରିଦିଏ। ୨୦୨୩ ପୁରୁଷ ହକି ବିଶ୍ବକପ୍ ଆହୁରି ଅଧିକ ରୋମାଞ୍ଚକ ଏବଂ ଅବିସ୍ମରଣୀୟ ହେବ ବୋଲି ମୁଁ ଦୃଢ଼ ନିଶ୍ଚିତ। ଏହି ସମ୍ମାନଜନକ ପ୍ରତିଯୋଗିତା ଦେଖିବାକୁ ଆସିବାକୁ ଥିବା ସମଗ୍ର ବିଶ୍ବର ହକିପ୍ରେମୀ ଏବଂ ଭାଗ ନେବାକୁ ଯାଉଥିବା ଶୀର୍ଷ ସ୍ତରୀୟ ଦଳଗୁଡ଼ିକୁ ସ୍ବାଗତ କରିବା ଲାଗି ଓଡ଼ିଶା ପୂରା ପ୍ରସ୍ତୁତ। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଠାରୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଥିବା ଭାରତୀୟ ମହିଳା ଲିଗ୍ ଫୁଟ୍ବଲ୍ର ୧୨ଜଣ ଅଧିନାୟିକାଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘର ଉପସମ୍ପାଦକ ଅଭିଷେକ ଯାଦବ ମୁଖ୍ୟମନ୍ତ୍ରୀଙ୍କୁ ଭାରତୀୟ ଫୁଟ୍ବଲ୍ ଜର୍ସି ଉପହାର ଦେଇଥିଲେ।
ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି ନରିନ୍ଦର ବାତ୍ରା ହକିକୁ ଦେଉଥିବା ଭଲପାଇବା ଏବଂ ସମର୍ଥନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଅର୍ପଣ କରିଥିଲେ। ‘‘ଲୋଗୋ ଉନ୍ମୋଚନ ୨୦୨୩ ପୁରୁଷ ହକି ବିଶ୍ବକପ୍ର ପ୍ରସ୍ତୁତି ପର୍ବରେ ଏକ ମାଇଲଖୁଣ୍ଟ।’’ ବୋଲି ମତ ରଖିଥିଲେ ସେ। ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିଗମବାମ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଏହି ଲୋଗୋ ଉନ୍ମୋଚନ ଉତ୍ସବ ଅବସରରେ ବେଲୁନ୍ ଉଡ଼ାଇ ଏହି ମହତ୍ବପୂର୍ଣ୍ଣ କ୍ଷଣକୁ ଆହୁରି ସ୍ମରଣୀୟ କରିଥିଲେ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ହକି ବିକାଶ ପରିଷଦର ମୁଖ୍ୟ ଦିଲୀପ ତିର୍କି ଏବଂ ଭାରତ ଓ ଜର୍ମାନୀ ହକି ଦଳର ସଦସ୍ୟଙ୍କ ସହ ରାଜ୍ୟର ବହୁ ଜଣାଶୁଣା କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ପୁରୁଷ ହକି ବିଶ୍ବକପ୍ର ପରବର୍ତ୍ତୀ ସଂସ୍କରଣ ଆସନ୍ତା ବର୍ଷ ଜାନୁଆରି ୧୩ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ।