ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ: ଦୈନିକ ସଂକ୍ରମଣରେ ୬୦% ବୃଦ୍ଧି, ଜାରି ହୋଇପାରେ କଟକଣା

‌୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ଶହ ପାର୍, ୧୦ ଦିନ ମଧ୍ୟରେ ସବୁ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ନିର୍ଦେଶ

ଭୁବନେଶ୍ବର: କୋଭିଡ୍ ସଂକ୍ରମଣ ମୁକାବିଲା ଲାଗି ଅଧିକାରୀମାନେ କଟକଣା ଜାରି କରିପାରିବେ। ତେବେ ଏହାଦ୍ବ‌ାରା ଜୀବିକା ଯେଭଳି ପ୍ରଭାବିତ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ କରାଇଛନ୍ତି। ସେ କହିଛନ୍ତି ଯେ ସଂକ୍ରମଣକୁ କମ୍ କରିବା ପାଇଁ ଆମକୁ ଉଚିତ ମାତ୍ରାରେ କଟକଣା ଜାରି କରିବାକୁ ପଡ଼ିବ। ସଂକ୍ରମଣ ପୁଣି ଉପରମୁହାଁ ହେଉଥିବା ପରିପ୍ରେକ୍ଷୀରେ କୋଭିଡ୍ ରୋଗୀଙ୍କ ପାଇଁ ଚିକିତ୍ସା ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ୍ ମୁକାବିଲାର ସମୀକ୍ଷା କରିଛନ୍ତି। ଏହି ଅବସରରେ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ କୋଭିଡ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ ପଡ଼ିବ। ଦ୍ବିତୀୟ ଲହରର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁର ଆବଶ୍ୟକ ହୋଇଥିଲା, ଅତି କମ୍‌ରେ ସେତିକି ପରିମାଣର ଶଯ୍ୟା ଓ ଆଇସିୟୁ ପ୍ରସ୍ତୁତ କରିବା ପାଇଁ ସେ କହିଛନ୍ତି। ଜନସାଧାରଣଙ୍କ ଟିକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାମ୍ପେନ ମୋଡ୍‌ରେ କାମ କରିବାକୁ ଗୁରୁତ୍ବ ଦେଇ କହିଛନ୍ତି ଯେ ୧୫ ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟିକାକରଣ ଉପରେ ପ୍ରାଥମିକତା ଦିଅ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସାରା ଦେଶରେ ଓମିକ୍ରନ୍ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଛି। ଅଳ୍ପ ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ଦୁଇ ଗୁଣ ହୋଇଯାଉଛି। ଦେଶରେ ଖୁବ ଶୀଘ୍ର ଲକ୍ଷ ଲକ୍ଷ ସଂଖ୍ୟାରେ କୋଭିଡ ରୋଗୀ ସଂକ୍ରମଣ ଦେଖା ଦେଇପାରେ। ଓଡ଼ିଶାରେ ମଧ୍ୟ ଓମିକ୍ରନ ରୋଗୀଙ୍କ ସଂଖ୍ୟା ବଢ଼ିବା ଆରମ୍ଭ ହୋଇଛି। ତେଣୁ ଜନସାଧାରଣଙ୍କୁ ବିଶେଷ ଅସୁବିଧାରେ ନ ପକାଇ କୋଭିଡର ଉତ୍ତମ ପରିଚାଳନା ପାଇଁ ଆମକୁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିବ। ପ୍ରସ୍ତୁତି ସଂପର୍କରେ ମୁଖ୍ୟ ସଚିବ ପ୍ରତିଦିନ ସମୀକ୍ଷା ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଗତ ଲହର ସମୟରେ ଅକ୍ସିଜେନ ପରିଚାଳନା, ସୂଚନା ଅଭିଯାନ, ଟ୍ରେନିଂ ମଡ୍ୟୁଲ ଆଦି ବ୍ୟବସ୍ଥା କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ବର୍ତ୍ତମାନ ପୁଣି ଅଧିକାରୀମାନଙ୍କର ବିଭିନ୍ନ ମନିଟରିଂ ଗ୍ରୁପ ଓ ଜିଲ୍ଲାସ୍ତରୀୟ ଅବ୍‌ଜର୍ଭର ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଯେହେତୁ ଏହି ଲହରରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାର ସମ୍ଭାବନା ରହିଛି, ତେଣୁ ସବୁ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି। ସତର୍କ ରହିବା ସହିତ ସମସ୍ତ କୋଭିଡ ନିୟମକୁ ପାଳନ କରିବା ଏବଂ ଦାୟିତ୍ବରେ ଥିବ ଅଧିକାରୀମାନଙ୍କୁ ସହଯୋଗ କରିବା ପାଇଁ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନେବା ପାଇଁ ସମସ୍ତ ସଂପୃକ୍ତ ପଦାଧିକାରୀ ଓ ଜିଲ୍ଲାପାଳମାନଙ୍କୁ କୁହାଯିବ। ବରିଷ୍ଠ ଅଧିକାରୀମାନେ ଜିଲ୍ଲାକୁ ଗସ୍ତ କରି ଜିଲ୍ଲାସ୍ତରରେ ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ବ୍ୟବସ୍ଥା କରିବେ ବୋଲି ସେ କହିଥିଲେ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍.କେ. ଶର୍ମା ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଏକ ଉପସ୍ଥାପନା ରଖିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ଓମିକ୍ରନର ସଂକ୍ରମଣ ସମ୍ପର୍କରେ ସତର୍କ ଦୃଷ୍ଟି ରଖାଯାଇଛି ଏବଂ ବିଦେଶାଗତ ଲୋକମାନଙ୍କର ନିୟମିତ ପରୀକ୍ଷା କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଚିକିତ୍ସା ପ୍ରୋଟୋକଲ ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଥିଲେ। ପୁଲିସ ଡିଜି ସୁନିଲ ବଂଶଲ ରାଜ୍ୟରେ ଲୋକଙ୍କ ସହଯୋଗରେ କଟକଣାଗୁଡ଼ିକର ଅନୁପାଳନ କରାଯାଉଛି ଓ ଆଗାମୀ ଦିନରେ ଏହାକୁ ଆହୁରି ଜୋରଦାର କରାଯିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ ଆଲୋଚନାରେ ଅଂଶଗ୍ରହଣ କରି କୋଭିଡ କଟକଣା ପାଳନ ସମୟରେ ଘର ଭିତରେ ଓ ବାହାରେ ଲୋକଙ୍କ ଭିଡ଼ ଉପରେ ନଜର ରଖିବା ପାଇଁ ମତ ଦେଇଥିଲେ। ଯେଉଁ ପଦକ୍ଷେପ ଦ୍ବାରା କୋଭିଡ ସଂକ୍ରମଣର ନିୟନ୍ତ୍ରଣ ହୋଇପାରିବ, ତାହା ଉପରେ ଧ୍ୟାନ ଦେବାକୁ ସେ କହିଥିଲେ। ବୈଠକରେ ସୁନ୍ଦରଗଡ, ବଲାଙ୍ଗୀର, ଗଞ୍ଜାମ ଓ ବାଲେଶ୍ବର ଜିଲ୍ଲାର ଜିଲ୍ଲାପାଳ ତଥା ବିଏମ୍‌ସି ଓ ସିଏମ୍‌ସିର କମିସନର ସେମାନଙ୍କ ଅଞ୍ଚଳରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ।

ଜାରି ହୋଇପାରେ କଟକଣା
ଜୀବିକା ଉପରେ ପ୍ରଭାବ ନ ପଡ଼ୁ
କୋଭିଡ ସ୍ଥିତିର ସମୀକ୍ଷା କଲେ
୧୦ ଦିନ ମଧ୍ୟରେ ସବୁ କୋଭିଡ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ନିର୍ଦେଶ

‌୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ଶହ ପାର୍, ଦୈନିକ ସଂକ୍ରମଣରେ ୬୦% ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଲମ୍ବା ଡିଆଁ ମାରିଛି। ଗତ ୨୪ଘଣ୍ଟାରେ ଦୈନିକ ସଂକ୍ରମଣରେ ୬୦ ପ୍ରତିଶତ ବୃଦ୍ଧି ହେବା ସହିତ ସଂକ୍ରମିତଙ୍କ ସଂଖ୍ୟା ୬୮୦ରେ ପହଞ୍ଚିଛି। ଗତ ୩ମାସ ଭିତରେ ଏହା ସର୍ବାଧିକ। ରାଜ୍ୟବ୍ୟାପୀ ସଂକ୍ରମଣରେ ବୃଦ୍ଧି ହୋଇଛି। ରାଜ୍ୟରେ କରୋନାର ଓମିକ୍ରନ୍‌ ଜନିତ ତୃତୀୟ ଲହର ଆରମ୍ଭ ହୋଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗତ ଡିସେମ୍ବର ଶେଷ ସପ୍ତାହରୁ ରାଜ୍ୟରେ ଦୈନିକ ସଂକ୍ରମଣରେ ବୃଦ୍ଧି ଆରମ୍ଭ ହୋଇଛି। ଚଳିତମାସ ୨ ଓ ୩ତାରିଖରେ ଦୈନିକ ସଂକ୍ରମଣ ୪ଶହ ଉପରେ ରହିଥିଲା। ମାତ୍ର ଏହି ସଂଖ୍ୟା ଏବେ ୭ଶହ ନିକଟତର ହୋଇଛି। ଓମିକ୍ରନ ପ୍ରଜାତି କରୋନାର ଅନ୍ୟ ପ୍ରଜାତି ତୁଳନାରେ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସଂକ୍ରମଣ ମଧ୍ୟ ସେହି ଅନୁଯାୟୀ ବୃଦ୍ଧି ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତୃତୀୟ ଲହରକୁ ନଜରରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦୈନିକ ୭୦ ହଜାର ନମୁନା ପରୀକ୍ଷା କରିବା ଲାଗି ନିଷ୍ପତ୍ତି ହୋଇଛି। ମାତ୍ର ଏ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗ ଏହି ଲକ୍ଷ୍ୟକୁ ହାସଲ କରିବାରେ ସଫଳ ହୋଇନାହିଁ। ଗତ ୨୪ଘଣ୍ଟାରେ ୫୧,୭୪୫ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ୧.୩୧ ପ୍ରତିଶତ ରହିଛି।

ବରିଷ୍ଠ ଚିକିତ୍ସକ ଡା.ନିରୋଜ ମିଶ୍ର କହିଛନ୍ତି ଯେ ଚଳିତମାସ ୨୫ତାରିଖ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷକୁ ଛୁଇଁପାରେ। ଏ ସମୟରେ ଦୈନିକ ୧୫ହଜାର ମାମଲା ଆସିପାରେ। ମାତ୍ର ଅନେକଙ୍କୁ ଚିହ୍ନଟ କରିବା ସମ୍ଭବ ହେବନି। ଫେବ୍ରୁଆରି ଶେଷ ଆଡ଼କୁ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବ। ଧୀରେ ଧୀରେ କରୋନା ଏଣ୍ଡେମିକ୍ ଆଡ଼କୁ ଗତି କରିବ। ତେଣୁ ଆସନ୍ତା ୨ମାସ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏ ସମୟରେ ଲୋକମାନେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ଜରୁରୀ। ଓମିକ୍ରନ୍‌ ଆକ୍ରାନ୍ତ ପୂର୍ବ ତୁଳନାରେ କମ୍ ଦିନରେ ସୁସ୍ଥ ହୋଇ ଯାଉଛନ୍ତି। ଦକ୍ଷିଣ ଆଫ୍ରିକା, ବ୍ରିଟେନ୍‌ରେ ଯେଉଁଭଳି ଭାବେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଥିଲା, ତା’ଠାରୁ କମ୍ ଦିନରେ ଏହା ହ୍ରାସ ପାଇଛି। ଦକ୍ଷିଣ ଆଫ୍ରିକା ସରକାର ମାସ୍କ ନ ପିନ୍ଧିବାକୁ ଅପରାଧ ଭାବେ ଘୋଷଣା କରିଥିଲେ। ଯାହାଫଳରେ ସଂକ୍ରମଣ ରୋକିବାରେ ଏହା ସଫଳ ଅସ୍ତ୍ର ପାଲଟିଥିଲା। ତେଣୁ ରାଜ୍ୟ ସରକାର ମାସ୍କ ନ ପିନ୍ଧିଥିବା ଲୋକଙ୍କୁ କଡ଼ାକଡ଼ି ଯାଞ୍ଚ କରିବା ଉଚିତ୍।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଦେଶରେ ହାଇବ୍ରିଡ୍‌ ଇମ୍ୟୁନିଟି ମଧ୍ୟ ଅନେକାଂଶରେ ତୃତୀୟ ଲହରକୁ ରୋକିବାରେ ସଫଳ ହେବ। ଅଧିକାଂଶ ଲୋକଙ୍କୁ କୋଭିସିଲ୍‌ଡ ଟିକା ଦିଆଯାଇଛି ଓ ଦୁଇ ଡୋଜ୍ ଭିତରେ ଅଧିକ ଦିନର ବ୍ୟବଧାନ ରହିଛି। ଆରମ୍ଭରୁ ଭାରତର ଏହି ଟିକାକରଣକୁ ନେଇ ଅନ୍ୟମାନେ ପରିହାସ କରିଥିଲେ ମଧ୍ୟ ଏବେ ତାହା ବେଶ୍‌ ଫଳପ୍ରଦ ବୋଲି ଅନ୍ୟ ରାଷ୍ଟ୍ରମାନେ କହିବାକୁ ଆରମ୍ଭ କଲେଣି। ଏହାସହ ଏବେ କରୋନା ଔଷଧକୁ ଅନୁମତି ଦିଆଯାଇଥିବାରୁ ଏହା ମଧ୍ୟ ରୋଗୀଙ୍କୁ ହସ୍ପିଟାଲରେ ଭର୍ତି ହେବାର ଆଶଙ୍କା କମାଇବ ବୋଲି ଡା.ମିଶ୍ର କହିଛନ୍ତି।
ଗତ ୨୪ଘଣ୍ଟାରେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ସୁନ୍ଦରଗଡ଼ ୬୯, କଟକ ୫୯, ସମ୍ବଲପୁର ୪୨, ବାଲେଶ୍ବର ୩୪, ଝାରସୁଗୁଡ଼ା ୨୫, ପୁରୀ ୧୫, ବରଗଡ଼ ୧୪, ନବରଙ୍ଗପୁର ୧୩, ଗଞ୍ଜାମ ୧୨ ଓ ଷ୍ଟେଟ୍‌ ପୁଲରୁ ୬୧ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୫୬ହଜାର ୬୬୦କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୬୪ରେ ପହଞ୍ଚିଛି। ରାଜ୍ୟରେ ଆଜି ୧୨୧ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାଫଳରେ କରୋନା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୭୬୭କୁ ବୃଦ୍ଧି ପାଇଛି। କନ୍ଧମାଳ ଜିଲ୍ଲା ଲଗାତାର ଭାବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି।

୫ ଜିଲ୍ଲାରେ ‘ଆର’ ଭ୍ୟାଲୁ ୧ ଟପିଲା

ଭୁବନେଶ୍ବର: ରାଜ୍ୟର ୫ଟି ସହରରେ କରୋନାର ‘ଆର୍’ ବା ରିପ୍ରଡକସନ୍ ଭ୍ୟାଲୁ ୧ ଟପି ଯାଇଛି। ସାଧାରଣଭାବେ ‘ଆର୍’ ଭ୍ୟାଲୁ ୧ ତଳକୁ ରହିଲେ ସଂକ୍ରମଣ ନିୟନ୍ତ୍ରଣରେ ରହିଥାଏ। ମାତ୍ର ଏହା ୧ଟପିବା ଅର୍ଥ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିବା ସକେତ ମିଳିଲାଣି। ବିଶେଷକରି ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରେ ଏହା ୨ ଟପି ଯାଇଛି। ତେଣୁ ଆଗକୁ ଲୋକମାନଙ୍କୁ ମାସ୍କ ସହିତ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବ ଦେବାକୁ ହେବ ବୋଲି ବିଶେଷଜ୍ଞ କହୁଛନ୍ତି। ବାଙ୍ଗାଲୋରସ୍ଥିତ ଆଇଆଇଏସ୍‌ସିରୁ ମିଳିଥିବା ସୂଚନା ଅନୁସାରେ ଚଳିତମାସ ୨ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ରେ କରୋନାର ‘ଆର୍‌’ ଭ୍ୟାଲୁ ୨.୩୮, ପୁରୀ‌ରେ ୨.୨୨ ରହିଥିଲା। ଅର୍ଥାତ୍ ଏହି ଦୁଇ ଜିଲ୍ଲାରେ ଜଣେ ସଂକ୍ରମିତ ୨ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରୁଛନ୍ତି। ସେହିପରି କଟକ ୧.୯୯, ସମ୍ବଲପୁର ୧.୬୨ ରହିଛି। ଖୋର୍ଧାରେ ଏହା ପ୍ରାୟ ୧.୫ ରହିଥିବା ସୂଚନା ମିଳିଛି। ଅପରପକ୍ଷରେ ଯଦି ରାଜ୍ୟର ‘ଆର୍‌’ ଭ୍ୟାଲକୁ ବିଚାରକୁ ନିଆଯାଏ ତାହାଲେ ଏହା ୧.୩ ରହିଛି। ଗତବର୍ଷ ନଭେମ୍ବର ତୃତୀୟ ସପ୍ତାହରେ ଏହା ୦.୮୦ ଥିବା ବେଳେ ଡିସେମ୍ବରର ତୃତୀୟ ସପ୍ତାହରେ ୦.୯୪ ଥିବା କୁହାଯାଇଛି। ମାତ୍ର ଗତମାସ ଶେଷ ସପ୍ତାହରୁ କ୍ରମାଗତ ଭାବେ ସଂକ୍ରମଣ ବଢ଼ୁଥିବାରୁ ‘ଆର୍’ରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର