ପାୟଲଙ୍କ ପ୍ରତିଭା ଦେଖି ଖୁସିହେଲେ ମୁଖ୍ୟମନ୍ତ୍ରୀ

ଦିବ୍ୟାଙ୍ଗ ଛାତ୍ରୀଙ୍କ ପ୍ରତିଭା ଓ ସଂଘର୍ଷ କାହାଣୀ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା

ବଲାଙ୍ଗୀର : ହାତଗୋଡ଼ ନଥିବା ଦିବ୍ୟାଙ୍ଗ ଛାତ୍ରୀ ପାୟଲ ଆଙ୍କିଥିବା ଚିତ୍ର ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ହୋଇଛନ୍ତି। ନିଜର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି, ‘ବଲାଙ୍ଗୀରର ପାୟଲ ନାଗଙ୍କ ନିଆରା ପ୍ରତିଭା ବିଷୟରେ ଜାଣି ଖୁବ୍‌ ଖୁସିହେଲି। ଦୁର୍ଘଟଣାରେ ହାତ ଓ ଗୋଡ଼ ହରାଇ ମଧ୍ୟ ସୁନ୍ଦର ଚିତ୍ର ଆଙ୍କିବାର କୌଶଳ ତାଙ୍କୁ ସ୍ୱତନ୍ତ୍ର କରିଛି। ତାଙ୍କ ଦୃଢ଼ ଇଚ୍ଛାଶକ୍ତି ବାସ୍ତବିକ ପ୍ରଶଂସନୀୟ। ପାୟଲକୁ ମୋର ଆନ୍ତରିକ ଶୁଭେଚ୍ଛା। ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।’

ଦାଦନ ଦିବ୍ୟାଙ୍ଗ ପାୟଲ ନାଗ। ଦୁଇ ହାତ ନାହିଁ। ଦୁଇ ଗୋଡ଼ ନାହିଁ। ପାଟିରେ ଆଙ୍କିଥିଲେ ଚିତ୍ର। ତାହା ପୁଣି ୫-ଟି ବିଦ୍ୟାଳୟର ଚିତ୍ର ଆଙ୍କି ପ୍ରଥମ ହୋଇଥିଲେ ବଲାଙ୍ଗୀର ସଦର ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତାରେ।

ପରେପରେ ଜିଲ୍ଲାସ୍ତରରେ ପ୍ରଥମ ହୋଇ ରାଜ୍ୟସ୍ତର ପ୍ରତିଯୋଗିତାକୁ ବି ମନୋନୀତ ହୋଇଛନ୍ତି। ପାୟଲଙ୍କ ଏହି ପ୍ରତିଭା ଏବଂ ତାଙ୍କ ସଂଘର୍ଷ କାହାଣୀ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ନିଜର ପ୍ରତିକ୍ରିୟାରେ ପାୟଲ କହିଥି‌ଲେ, ‘ମୁଖ୍ୟମନ୍ତ୍ରୀ ମୋର ଚିତ୍ର ଦେଖନ୍ତୁ।’ ଏବେ ମୁଖ୍ୟମନ୍ତ୍ରୀ ତାଙ୍କ ଚିତ୍ର ଦେଖିଛନ୍ତି, ପ୍ରଶଂସା ବି କରିଛନ୍ତି। ଫଳରେ, ଏହି କୁନି ଛାତ୍ରୀଙ୍କ ସ୍ବପ୍ନ ପୂରଣ ହୋଇଛି।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଯମୁନାବାହାଲ ଗାଁର ଝିଅ ହେଉଛନ୍ତି ପାୟଲ। ସେ ଏବେ ପାର୍ବତୀଗିରି ଆଶ୍ରମରେ ରହି ସଦାଇପାଲି ପଲିଶ୍ରୀ ହାଇସ୍କୁଲରେ ପଢ଼ୁଛନ୍ତି। ବହୁ ଯନ୍ତ୍ରଣାଦାୟକ ପାୟଲଙ୍କ ଜୀବନ କାହାଣୀ। ଯେତେବେଳେ ତାଙ୍କୁ ୫ ବର୍ଷ ହୋଇଥିଲା, ସେ ବାପା ବିଜୟ ନାଗ ଏବଂ ମା’ଙ୍କ ସହ ରାୟପୁର ଚାଲି ଯାଇଥିଲେ। ସେଠାରେ ତାଙ୍କ ବାପାମା’ ଦାଦନ ଖଟୁଥିଲେ। ଏକ କୋଠାରେ ବାପା, ମା’ କାମ କରୁଥିବା ସମୟରେ ଛୋଟଭାଇ ସହ ଖେଳୁଥିଲେ ୫ ବର୍ଷର ପାୟଲ। ହଠାତ୍‌ କୋଠାକୁ ଲାଗି ରହିଥିବା ଉଚ୍ଚକ୍ଷମତାସଂପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ ସେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଛତିଶଗଡ଼ ସରକାର ସହାୟତା କରିଥିଲେ। ଫଳରେ, ପାୟଲ ବଂଚିଯାଇଥିଲେ ସତ, ସବୁଦିନ ପାଇଁ ହାତଗୋଡ଼ ହରାଇଥିଲେ। ପାୟଲଙ୍କ ଅବସ୍ଥା ଟିକିଏ ଭଲ ହେବାପରେ ଗାଁକୁ ଚାଲି ଆସିଥିଲେ ବିଜୟ ଓ ତାଙ୍କ ପରିବାର।

ତେବେ, ଏହିଭଳି ଏକ ଦୁର୍ଭାଗ୍ୟଜନକ ପରିସ୍ଥିତିର ଶିକାର ହୋଇଥିଲେ ମଧ୍ୟ ପାୟଲ୍‌ ହାର୍‌ ମାନିନଥିଲେ। ଚାରି ହାତଗୋଡ଼ ନଥିଲେ ବି ସ୍କୁଲ ଯିବାକୁ ମନ ବଳାଇଥିଲେ। ଗାଁ ସ୍କୁଲ୍‌ରେ ବାପା, ମା’ ନାମ ଲେଖାଇଥିଲେ। ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଜିଲ୍ଲା ପ୍ରଶାସନ ସେସମୟରେ କିଛିଟା ସହାୟତା କରିଥିଲା। ଏହାପରେ ପ୍ରଶାସନ ଭୁଲି ଯାଇଥିଲା। ହେଲେ, ଘଟଣାର ୮ ବର୍ଷ ପରେ ପାୟଲଙ୍କ ବାପାମା’ ପୁଣିଥରେ ଦାଦନ ଖଟିବାକୁ ଚାଲିଯାଇଥିଲେ। ଗତ ଏପ୍ରିଲ ମାସ ୨ ତାରିଖରେ ପାୟଲଙ୍କ ସ୍ୱପ୍ନ ଓ ପରିବାରର ବେଦନାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ଚେତିଥିଲା।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ୍‌ ପ୍ରଶାସନ ତୁରନ୍ତ ପାୟଲଙ୍କ ପାଖରେ ପହଞ୍ଚିଥିଲା। ପାୟଲ ଓ ଗାଁ ଲୋକଙ୍କ ସହ କଥାବାର୍ତ୍ତା କରି ସବିଶେଷ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଇଥିଲେ ବିଡିଓ। ଏହାପରେ ପାୟଲ କେମିତି ଆଗକୁ ପାଠ ଠିକ୍‌ରେ ପଢ଼ିପାରିବେ, ସେ ନେଇ ପଦକ୍ଷେପ ନେଇଥିଲେ ଜିଲ୍ଲାପାଳ। ପାୟଲଙ୍କୁ ଘରୁଆଣି ବଲାଙ୍ଗୀର ନିକଟ ପାର୍ବତୀଗିରି ଆଶ୍ରମରେ ରଖିଥିଲେ। ପଲିଶ୍ରୀ ଉଚ୍ଚବିଦ୍ୟାଳୟରେ ନବମ ଶ୍ରେଣୀରେ ତାଙ୍କ ନାମ ଲେଖାଯାଇଥିଲା। ବେଶ୍‌ ଖୁସିରେ ପାୟଲ ଆଶ୍ରମରେ ରହି ସ୍କୁଲ ଯିବାଆସିବା କରୁଛନ୍ତି। ତାଙ୍କ ଆଖିରେ ବି ଅନେକ ସ୍ୱପ୍ନ ଦେଖିଛି। ଆଉ ତାହା ପୂରଣ କରିବାକୁ ସବୁମ‌ତେ ଉଦ୍ୟମ ଚଳାଉଛନ୍ତି ଏହି କୁନିଝିଅ।

ସମ୍ବନ୍ଧିତ ଖବର