ପୁଣି ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ଅଗଷ୍ଟ ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକ ଓ ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ୫ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବେ। ୬ତାରିଖରେ ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ‘ଆଜାଦି କା ଅମୃତ ମହୋତ୍ସବ’ର ଜାତୀୟ କମିଟି ବୈଠକ‌ରେ ଯୋଗଦେବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯୋଗଦେବେ। ସେହିପରି ୭ତାରିଖରେ ନୀତି ଆୟୋଗର ୭ମ ପରିଚାଳନା ପରିଷଦ ବୈଠକରେ ଯୋଗଦେବେ। ଏହି ବୈଠକରେ ବି ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମାନେ ଯୋଗଦେବେ। ଅଗଷ୍ଟ ୮ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍ ହେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ଜୁଲାଇ ୨୬ରେ ଫେରିଥିଲେ।

ସମ୍ବନ୍ଧିତ ଖବର