ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ୧୩ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ସେପ୍ଟେମ୍ବର ୧୪ରେ ମୁମ୍ବାଇର ଟ୍ରାଇଡେଣ୍ଟ୍‌ ହୋଟେଲରେ ଆୟୋଜନ ହେବାକୁ ଥିବା ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌’ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଏଥି‌ରେ ଦେଶର ବିଶିଷ୍ଟ ଉଦ୍ୟୋଗପତିମାନେ ଯୋଗଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଆମ ଦେଶର ବଡ଼ ବଡ଼ ଉଦ୍ୟୋଗୀଙ୍କ ସମେତ ବିଦେଶର ବହୁ ନାମୀଦାମୀ ସଂସ୍ଥା ଯୋଗଦେବେ। ଏଥିରେ ବିଭିନ୍ନ ସଂସ୍ଥା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍‌ଓୟୁ ସ୍ବାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି। ଏହି କନକ୍ଲେଭ୍‌ରେ ଯେପରି ଅଧିକରୁ ଅଧିକ ପୁଞ୍ଜିନିବେଶ ହେବ ସେନେଇ ମୁଖ୍ୟମନ୍ତ୍ରୀ ଇନଭେଷ୍ଟର୍ସ ମିଟ୍‌ ମାଧ୍ୟମରେ ପୁଞ୍ଜିପତିଙ୍କୁ ଭେଟୁଛନ୍ତି।

ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୧୫ରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ କିଛି ବରିଷ୍ଠ ପଦାଧିକାରୀ ଆଗୁଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି। ‘ଫିକି’ର କିଛି ପଦାଧିକାରୀ ଏହି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର