ରାଉରକେଲା: ଆଉ ମାତ୍ର ୯ ଦିନ ପରେ ରାଉରକେଲାରେ ହେବାକୁ ଯାଉଛି ହକି ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌। ତା’ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୫ରେ ରାଉରକେଲା ଗସ୍ତରେ ଆସୁଛନ୍ତି। ବିପିୟୁଟି ପରିସରସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ,  ବିର୍ସା ମୁଣ୍ଡା ଫୁଟବଲ୍‌ ଷ୍ଟାଡିୟମ ସମେତ ୧୦ରୁ ଅଧିକ ପ୍ରକଳ୍ପ ସେ ଉଦ୍‌ଘାଟନ କରିବେ। ସେହିଦିନ ମୁଖ୍ୟମନ୍ତ୍ରୀ ରାଉରକେଲାରେ ରାତି ରହଣୀ କରିବାର ଯୋଜନା ମଧ୍ୟ ଅଛି ବୋଲି କୁହାଯାଉଛି। ତେବେ ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ  କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତରେ ଆସି ହକି ଓ ଫୁଟବଲ ଷ୍ଟାଡିୟମ ସହ ଡିଏଭି ପୋଖରୀର ୱାଟର ପାର୍କ ଓ ଅନ୍ୟ କିଛି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ।

ଉଦ୍‌ଘାଟିତ ହେବ ୧୪୭ କୋଟି ଟଙ୍କାର ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ

୧୨ କୋଟିର ଡିଏଭି ପୋଖରୀ ୱାଟର ପାର୍କ

୧୮ କୋଟିର ହନୁମାନବାଟିକା ଛକ- ଆର୍‌ଏସ୍‌ପି ମେନ୍‌ ଗେଟ୍‌ ସୌନ୍ଦର୍ଯ୍ୟକରଣ

Advertisment

୧୬ କୋଟିର ବେଦବ୍ୟାସ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ତଥା ୧୭ ବ୍ଲକ୍‌ସ୍ତରୀୟ ଆଷ୍ଟ୍ରୋ ଟର୍ଫ

ତେବେ ସେ ଉଦ୍‌ଘାଟନ କରିବାକୁ ଥିବା ଉକ୍ତ ଅନ୍ୟ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ମଧ୍ୟ ପ୍ରଶାସନ ଠାରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ଅନ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହକି ଷ୍ଟାଡିୟମ ଉଦ୍‌ଘାଟନ କରିବା ପରେ ବାସନ୍ତୀ କଲୋନି ଡିଏଭି ପୋଖରୀର ୱାଟର ପାର୍କ ଉଦ୍‌ଘାଟନ କରିବେ। ତା’ପରେ ୧୪୬ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ, ମଲ୍ଡିଂ କାର୍‌ ପାର୍କିଂ ବ୍ୟବସ୍ଥା, ୧୧ କୋଟି ୯୯ ଲକ୍ଷ ବ୍ୟୟରେ ତିଆରି ଡିଏଭି ପୋଖରୀର ୱାଟର ପାର୍କ, ୧୭ କୋଟି ୯୩ ଲକ୍ଷ ଟଙ୍କାର ହନୁମାନବାଟିକା ଛକରୁ ଆର୍‌ଏସ୍‌ପି ମେନ୍‌ ଗେଟ୍‌ ପର୍ଯ୍ୟନ୍ତ ରିଂ ରୋଡର ସୌନ୍ଦର୍ଯ୍ୟକରଣ, ପ୍ରସିଦ୍ଧ ଶୈବ୍ୟପୀଠ ବେଦବ୍ୟାସରେ ୧୬ କୋଟି ୭ ଲକ୍ଷ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ମଧ୍ୟ ଉଦ୍‌ଘାଟନ କରିବେ।

ସେହିଦିନ ସେ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ହକି ଆଷ୍ଟ୍ରୋଟର୍ଫ ମଧ୍ୟ ଉଦ୍‌ଘାଟନ କରିବେ। ଏଥିସହ ୨ କୋଟି ୩୩ ଲକ୍ଷ ବ୍ୟୟରେ ଟ୍ରାଫିକ ଛକ ନିକଟ ସେନ୍ସରି ପାର୍କ , ୩ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରଘୁନାଥପାଲୀ ଭେଣ୍ଡିଂ ଜୋନ୍‌, ୫୦ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ପାନପୋଷ ଏନ୍‌ଏସି ମାର୍କେଟ ତଥା ହକି ଛକର ସୌନ୍ଦର୍ଯ୍ୟକରଣ ଆଦି ପ୍ରକଳ୍ପଗୁଡ଼ିକୁ ମଧ୍ୟ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏସ୍‌ପି ମୁକେଶ କୁମାର ଭାମୋଙ୍କ ‌ଅଧ୍ୟକ୍ଷତାରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସୁରକ୍ଷାକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଆର୍‌ଏମ୍‌ସି ସମ୍ମିଳନୀ କକ୍ଷରେ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନ ହେବାକୁ ଯାଉଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।