ନବ ଦାସଙ୍କ ପରିବାରକୁ ନ୍ୟାୟ ଦେବାରେ ମୁଖ୍ୟମନ୍ତ୍ରୀ ବିଶ୍ବାସଘାତକତା କରିବେନି ତ!: ବିଜେପି

ଭୁବନେଶ୍ବର : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ ନବ ଦାସଙ୍କ ପରିବାରକୁ ନ୍ୟାୟ ଦେବାରେ ବିଶ୍ବାସ ଘାତକତା କରିବେନି ତ! ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଆଜି ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି।

ସୋମବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସାଂସଦ ଶ୍ରୀ ପାତ୍ର ୨୦୧୩ରେ ଲେଖିଥିବା ‘ବେଇମାନ୍ ଲିଗାସି ଇନ୍ ନବୀନ୍‌ସ ବିଜେଡି’ ଶୀର୍ଷକ ଲେଖାରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ବେଇମାନ ଭଳି ଅପଶବ୍ଦର ଆଖ୍ୟା ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ପ୍ରତି ବେଇମାନି କରିଥିବାର ମଧ୍ୟ ଉଲ୍ଲେଖ କରିଥିଲେ। ଏପରିକି ସେହି ଲେଖାରେ ତାମିଲନାଡ଼ୁର ଜଣେ ବାବୁଙ୍କୁ ଆଗାମୀ ଦିନରେ ‘ବଳି ବୋଦା କରିବେ’ କଥା କହିଥିଲେ। ସେହି ବାବୁ ଜଣକ କିଏ ?

ଏହାସହ ସେ କହିଛନ୍ତି ବିଜେପିର ନ୍ୟାୟାଳୟ ପ୍ରତି ସମ୍ମାନ ଅଛି, ନ୍ୟାୟପାଳିକା ଯେଉଁ ତଦନ୍ତ କରିବ ତା ପ୍ରତି ମଧ୍ୟ ସମ୍ମାନ ଅଛି। କିନ୍ତୁ ନବ ଦାସଙ୍କୁ କିଏ ହତ୍ୟା କରିଛି, କିଏ ଷଡ଼୍‌ଯନ୍ତ୍ରକାରୀ ଏବଂ ହତ୍ୟାର ଅାଭିମୁଖ୍ୟ ସମସ୍ତଙ୍କ ଆଗକୁ ଆସିବା ନିହାତି ଦରକାର। ଯୋଜନାବଦ୍ଧ ଭାବେ ନବ ଦାସଙ୍କୁ ହତ୍ୟା କରାଯାଇଥିବାବେଳେ କ୍ରାଇମବ୍ରାଞ୍ଚ ଓ ରାଜ୍ୟ ସରକାର ସମସ୍ତ ପ୍ରମାଣକୁ ନଷ୍ଟ କରି କେବଳ ଗୋପାଳ ଦାସଙ୍କୁ ହତ୍ୟାକାରୀ ଭାବେ ପ୍ରମାଣିତ କରିବାରେ ଲାଗି ପଡ଼ିଛନ୍ତି। ସସ୍ମିତ ପାତ୍ରଙ୍କ ଅତୀତର ଅଭିଯୋଗ ଅନୁଯାୟୀ ନବ ଦାସ ହତ୍ୟା ଓ ତାଙ୍କ ପରିବାରକୁ ନ୍ୟାୟ ଦେବାରେ ମୁଖ୍ୟମନ୍ତ୍ରୀ ବିଶ୍ୱାସଘାତକତା କରିବେ ନାହିଁ ତ ବୋଲି ଶ୍ରୀ ପାତ୍ରଙ୍କୁ ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ଏହାସହ ସେ କହିଛନ୍ତି ଯେ, ସତରେ ଯଦି ନବୀନ ବାବୁ ବା ବିଜେଡିର ସତ୍‌ସାହାସ ଅଛି, ତେବେ ଏ କେସ୍‌ର ତଦନ୍ତ ସିବିଆଇ ଦ୍ୱାରା କରାନ୍ତୁ।

ଏହାସହ ସେ କହିଛନ୍ତି ଯେ, ମନ୍ତ୍ରୀଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ଭାବେ ବିଜେପି ପ୍ରଶ୍ନ ପଚାରିଲେ ଶାସକ ବିଜେଡିକୁ କଷ୍ଟ ହେଉଛି। ନୀତି, ନୈତିକତା, ଆଦର୍ଶ ଓ ଦାୟିତ୍ୱକୁ ପଛରେ ପକାଇ ବାରମ୍ବାର ଆଇନର ବାଟ ଓଗାଳୁଥିବା ବିଜେଡିର ନେତା ଓ ପ୍ରବକ୍ତାମାନେ ବିଜେପି ନେତାଙ୍କ ପ୍ରଶ୍ନର ଜବାବ୍ ରଖିବା ପରିବର୍ତେ ଆଇନର ପାଠ ପଢ଼ାଇବା ଅତ୍ୟନ୍ତ ଲଜ୍ଜାଜନକ।

ସେହିପରି ଯୋଜନାବଦ୍ଧ ଭାବେ ମିଛ କେସ୍ କରି ଅଭିଯୁକ୍ତ କରାଇଥିବା ବିଜେପି ନେତାଙ୍କ ବିରୋଧରେ ଆରୋପ ଲଗାଇବା ପୂର୍ବରୁ ଶ୍ରୀ ପାତ୍ର ତାଙ୍କ ଦଳ ବିଜେଡିର ନେତା ଓ ମନ୍ତ୍ରୀଙ୍କ ବିଷୟରେ ନିହାତି ଜାଣିବା ଉଚିତ୍। ବିଭିନ୍ନ ଅପରାଧିକ ମାମଲାରେ ଜେଲ ଯାଇଥିବା ପ୍ରଭାତ ବିଶ୍ୱାଳ, ରବୀନ୍ଦ୍ର ଜେନାଙ୍କ ଭଳି ଅନେକ ବିଜେଡି ନେତା ଏବେବି ଦଳରେ ଅଛନ୍ତି। ପଡ଼ୋଶୀ ରାଜ୍ୟଗୁଡ଼ିକରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ବିରୋଧରେ କେସ୍ ରହିଛି ନା ନାହିଁ? ଯୁବ ବିଜେଡି ସଭାପତିଙ୍କ ବିରୋଧରେ ଚିଟଫଣ୍ଡ ସଂସ୍ଥାରୁ ଗାଡ଼ି ନେବାଠାରୁ ଆରମ୍ଭ କରି ଆୟୁଷ ଡାକ୍ତର ପ୍ରସଙ୍ଗରେ କେସ୍ ଅଛି କି ନାହିଁ ତା’ର ଜବାବ୍ ଶ୍ରୀ ପାତ୍ର ରଖିବା ଉଚିତ୍ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର