ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର/ବଡ଼ବିଲ/ଭୁବନେଶ୍ବର: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପ୍ରଥମେ କେନ୍ଦୁଝର ଯୋଡ଼ାସ୍ଥିତ ଟିସ୍କୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଭୁ‌ବନେଶ୍ବର ଆପଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଫୁସ୍‌ଫୁସ୍‌ରେ ସମସ୍ୟା ଥିବା ଡାକ୍ତର କହିଛନ୍ତି। ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିବା ସହ ଟୁଇଟ୍‌ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ବଡ଼ବିଲସ୍ଥିତ ମାଇନିଂ ଏରିଆ ଟ୍ରକ୍‌ ଓନର୍ସ ଆସୋସିଏସନର ଶପଥ ଗ୍ରହଣ ଉତ୍ସବରେ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷ ପରେ ସେ ସେରେଣ୍ଡାସ୍ଥିତ ନିଜ ଆଶ୍ରମକୁ ଫେରିଥିଲେ। ତେବେ ଗତକାଲି ଅପରାହ୍‌ଣ ୩ଟା ବେଳେ ସେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଶ୍ବାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସହକର୍ମୀ ଦମୟନ୍ତୀ ସମାନ ତୁରନ୍ତ ତାଙ୍କୁ ଯୋଡ଼ାସ୍ଥିତ ଟିସ୍କୋ ହସ୍ପିଟାଲକୁ ନେଇଥିଲେ। ସେଠାରେ ଦୁଇଘଣ୍ଟା ଧରି ଚିକିତ୍ସିତ ‌ହେବା ପରେ ଡାକ୍ତର ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ସଙ୍ଗେସଙ୍ଗେ ଏକ ଆମ୍ବୁଲାନ୍ସରେ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଆପୋଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଡା.ପରେଶ ଜେନାଙ୍କ ଅଧୀନରେ ତାଙ୍କର ଚିକିତ୍ସା ଜାରି ରହିଛି। ‌ଯେହେତୁ ତାଙ୍କର ଛାତିରେ ଯନ୍ତ୍ରଣା ହେଉଥିଲା, ସେଥିପାଇଁ ଇସିଜି ଓ ଇକୋ କରାଯାଇଥିଲା। ସେଥିରେ ହୃଦ୍‌ରୋଗ ଜନିତ ଆଶଙ୍କାକୁ ଏଡ଼ାଇ ଦିଆଯାଇଛି। ‌କରୋନା ସନ୍ଦେହରେ ତାଙ୍କର ଆରଟି-ପିସିଆର ନମୁନା ସଂଗ୍ରହ କରାଯାଇଥିବା ରିପୋର୍ଟ ଆସିବାକୁ ଅପେକ୍ଷା କରାଯାଇଛି। ଯଦି ତାଙ୍କ କୋଭିଡ୍‌ ରିପୋର୍ଟ ନେଗେଟିଭ୍ ଆସେ ତା’ହାଲେ ପୂର୍ବଭଳି ଚିକିତ୍ସା ଜାରି ରହିବ। ଶ୍ରୀମତୀ ମୁଣ୍ଡା ଏବେ ବିନା ଅକ୍ସିଜେନ ସହାୟତାରେ ଅଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ସ୍ଥିର ରହିଥିବା ହସ୍ପିଟାଲ ପକ୍ଷରୁ ଜଣାପଡ଼ିଛି।

୧୯୪୭ ମସିହା ଜୁଲାଇ ୧୫ ତାରିଖରେ ଜନ୍ମିତ ତୁଳସୀ ମୁଣ୍ଡା ଆଦିବାସୀ ବହୁଳ ସେରେଣ୍ଡା ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଗରିବ ଆଦିବାସୀ ଶ୍ରମିକଙ୍କ ପିଲାଙ୍କୁ ଶିକ୍ଷାଦାନ କରିବା ସହିତ ଆଦିବାସୀ ବିକାଶ ସମିତି ପ୍ରତିଷ୍ଠା କରିଥିଲେ। ଶିକ୍ଷାକ୍ଷେତ୍ରରେ ତାଙ୍କର ‌ଅବଦାନ ପାଇଁ କେନ୍ଦ୍ର ସରକାର ୨୦୦୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧୀ ପ୍ରଦାନ କରିଥିଲେ। ଏହାଛଡ଼ା ସେ ଆଦିବାସୀ ଗୌରବ, ଗାନ୍ଧିଆନ ସମ୍ମାନ, ପ୍ରିୟ ଓଡ଼ିଆ, ଉତ୍କଳ ନାରୀ ପ୍ରତିଭା, କଳିଙ୍ଗ ରତ୍ନ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ସମ୍ବନ୍ଧିତ ଖବର