ଭୁବନେଶ୍ବର : ଇପିଏଫ୍ ପେନ୍ସନ୍ଧାରୀ ଅତ୍ୟନ୍ତ କମ୍ ମାସିକ ପେନ୍ସନ୍ ରାଶି ପାଉଛନ୍ତି। ଏତିକି ଟଙ୍କାରେ ପରିଣତ ବୟସରେ ଚଳିବା କଷ୍ଟକର। ତେଣୁ ସେମାନଙ୍କୁ ମାସିକ ପେନ୍ସନ୍ ରାଶି ବୃଦ୍ଧି କରି ସେମାନଙ୍କୁ ଆର୍ଥିକ ଓ ସାମାଜିକ ନିରାପତ୍ତା ଯୋଗାଇ ଦେବାର ଆବଶ୍ୟକତା ରହିଛି। ଏ ଦିଗରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର୍ଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡ଼ିଶାେର ପ୍ରାୟ ୧.୬୧ ଲକ୍ଷ ଇପିଏଫ୍ ପେନ୍ସନ୍ଧାରୀ ଅଛନ୍ତି। ସେମାନେ ବାରମ୍ବାର ସର୍ବନିମ୍ନ ମାସିକ ପେନ୍ସନ୍ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। ରାଜ୍ୟ ସରକାରଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରୁଛନ୍ତି। ୨୦୧୩ ମସିହାରେ ରାଜ୍ୟସଭା ସାଂସଦ ଭଗତ ସିଂହ କୋଶ୍ୟାରିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମାସିକ ପେନ୍ସନ୍ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ। କିନ୍ତୁ ଏବେ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ି ରହିଛି। ନିଜର ବୟସ ଥିବା ସମୟରେ ରାଷ୍ଟ୍ର ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଥିବା ଏହି ପେନ୍ସନ୍ଧାରୀମାନଙ୍କର ସମସ୍ୟା ପ୍ରତି ସହାନୁଭୂତିଶୀଳ ହୋଇ ବିଚାର କରିବାର ଆବଶ୍ୟକତା ରହିଛି। ସେମାନେ ରାଷ୍ଟ୍ର ଦ୍ବାରା ନ୍ୟାୟସଙ୍ଗତ ଆର୍ଥିକ ଓ ସାମାଜିକ ସୁରକ୍ଷା ପାଇବା ଉଚିତ। ସେମାନଙ୍କ ପେନ୍ସନ୍କୁ ସଂଶୋଧନ କରାଗଲେ ହିଁ ଆର୍ଥିକ ଓ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରାଯାଇପାରିବ। ସାରା ଦେଶର ଏପରି ପେନ୍ସନ୍ଧାରୀଙ୍କ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/naveen-patnaik-1.jpg)