ଭୁବନେଶ୍ବର: ବିଜେଡି ସରକାର ସମୟରେ ବିଭିନ୍ନ ସରକାରୀ ନିଗମରେ ନେତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ନିର୍ବାଚନରେ ପରାଜୟ ପରେ ଏଥିରୁ କେତେକ ଇସ୍ତଫା ଦେଇଥିଲେ। ଆଉ କିଛି ନେତା ପଦ ମାଡ଼ି ବସିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଧାଡ଼ିକିଆ ନିର୍ଦ୍ଦେଶନାମା ଜାରି କରି ପୂର୍ବ ସରକାର ସମୟରେ ନିଯୁକ୍ତି ପାଇଥିବା ସମସ୍ତ ନିଗମର ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଇଛନ୍ତି।
ଏହି ଅବ୍ୟାହତି ନେଇ ଯେଉଁ କାରଣ ଦର୍ଶାଯାଇଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ କୁହାଯାଇଛି ଯେ ଏମାନଙ୍କ ଯୋଗୁ ନିଗମଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହୋଇନାହିଁ। ଏଣୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଇଛନ୍ତି। ଗତକାଲି ମଧ୍ୟ ବିଭିନ୍ନ ବିଭାଗର ଉପଦେଷ୍ଟାମାନଙ୍କୁ ଦାୟିତ୍ବରୁ ମୁକ୍ତ କରିବା ସମୟରେ କୁହାଯାଇଥିଲା ଯେ ସରକାରଙ୍କ କାର୍ଯ୍ୟକ୍ରମ ତଥା କାର୍ଯ୍ୟ ଦକ୍ଷତା ବୃଦ୍ଧିରେ ସେମାନଙ୍କ ଯୋଗୁଁ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଏହି ଉପଦେଷ୍ଟାମାନଙ୍କୁ ଦାୟିତ୍ବମୁକ୍ତ କରୁଛନ୍ତି। ଯଦି ନିଗମର ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଭିନ୍ନ ବିଭାଗର ଉପଦେଷ୍ଟାମାନଙ୍କ ଦ୍ବାରା ନିଗମ, ବିଭାଗ କି ସରକାରଙ୍କ କାର୍ଯ୍ୟଦକ୍ଷତାରେ ବୃଦ୍ଧି ହୋଇନି ତେବେ ସେମାନଙ୍କୁ ଯେଉଁ ଗାଡ଼ି, କର୍ମଚାରୀ, ପ୍ରୋତ୍ସାହନ ରାଶି ବାବଦକୁ ମାସକୁ ଲକ୍ଷାଧିକ ଟଙ୍କା ଦିଆଯାଉଥିଲା ସେଗୁଡ଼ିକୁ କିପରି ଭରଣା କରାଯିବ? ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/mohan-charan-majhi-keonjhar-667x430-1.jpg)