ଭୁବନେଶ୍ୱର: ମାନବ ସମ୍ବଳ ପରିଚାଳନାରେ ୫-ଟି ନୀତି ପ୍ରୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀମାନଙ୍କର ଇ-ସର୍ଭିସ୍ ବୁକ୍ ର ସଦ୍ୟତନକରଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି କାର୍ଯ୍ୟର ଅଗ୍ରଗତି ବିଷୟ ଅନୁଧ୍ୟାନ କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଇ- ଇ-ସର୍ଭିସ୍ ବୁକ୍ ସରକାରୀ କର୍ମଚାରୀମାନଙ୍କ ଉତ୍ତମ ପରିଚାଳନାରେ ବହୁ ଭାବେ ସହାୟକ ହେବା ସହ ଅବସର ନେଉଥିବା କର୍ମଚାରୀମାନଙ୍କର ପେନସନ୍ ସମ୍ବନ୍ଧିତ ଦେୟ ପ୍ରଦାନକୁ ଅଧିକ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବ। ଏହା ଉଭୟ କର୍ମଚାରୀ ଏବଂ ସରକାରୀ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଏବଂ ବୃତ୍ତିଗତ କରିବ।
ନଭେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନେ ନିଜ ନିଜ ବିଭାଗ କର୍ମଚାରୀ ମାନଙ୍କର ଇ-ସର୍ଭିସ୍ ବୁକ୍ କାର୍ଯ୍ୟର ସଦ୍ୟତନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହା ନହେଲେ ଡିସେମ୍ବର ମାସଠାରୁ ସଂପୃକ୍ତ କର୍ମଚାରୀ ଏବଂ ବିଭାଗୀୟ ନୋଡାଲ୍ ଅଧିକାରୀଙ୍କ ଦରମା ମିଳିବାରେ ବାଧା ସୃଷ୍ଟି ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ଜଣାଇଥିଲେ ।
ସମୀକ୍ଷାରୁ ଜଣାପଡ଼ିଥିଲା ଯେ ପୂର୍ତ୍ତ , କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଅବକାରୀ, ଶିଳ୍ପ, ପର୍ଯ୍ୟଟନ, ଗୃହ, ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଇସ୍ପାତ ଓ ଖଣି, ନଗର ଓ ଗୃହ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ଶ୍ରମ ଓ ନିୟୋଜନ ଆଦି ବିଭାଗର ପ୍ରାୟ ୯୫ ପ୍ରତିଶତ କର୍ମଚାରୀମାନଙ୍କର ଇ-ସର୍ଭିସ୍ ବୁକ୍ ସଦ୍ୟତନ କରାସରିଛି। ସେହିପରି ବାଲେଶ୍ୱର, ବରଗଡ଼, ଭଦ୍ରକ, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ପ୍ରାୟ ୯୨ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଅନ୍ୟ ବିଭାଗ ଏବଂ ଜିଲ୍ଲାମାନେ ହାରାହାରି ୭୦ ପ୍ରତିଶତ କାର୍ଯ୍ୟ ଶେଷ କରିଛନ୍ତି ।
ବୈଠକରେ ମୁଖ୍ୟତଃ ଇ-ସର୍ଭିସ୍ ବୁକ୍ ସଫଟ୍ଓୟାରର କାର୍ଯ୍ୟକାରିତା, ସେଥିରେ ତଥ୍ୟ ସନ୍ନିବେଶ କରିବା, ଡାଟା ଏଣ୍ଟ୍ରି କାର୍ଯ୍ୟ ଆଦି ସମ୍ବନ୍ଧିତ ବିଷୟ ଆଲୋଚନା ହୋଇଥିଲା। ବିଭିନ୍ନ ଜିଲ୍ଲା ଏବଂ ବିଭାଗର ନୋଡାଲ୍ ଅଧିକାରୀମାନେ ନିଜ ନିଜର ଅଭିଜ୍ଞତା ଓ ସମସ୍ୟା ବିଷୟ ଜଣାଇଥିଲେ। ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ସେସବୁର ଆଶୁ ସମାଧାନ କରିଥିଲେ।
ନଭେମ୍ବର ୩୦ ସୁଦ୍ଧା ଇ-ସର୍ଭିସ୍ ବୁକ୍ ଅପଡେଟ୍ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2021/11/s-c-m.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)