କେନ୍ଦୁଝର/ଆନନ୍ଦପୁର : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଆନନ୍ଦପୁର ଗସ୍ତରେ ଆସି ଆନନ୍ଦପୁର ବ୍ୟାରେଜ୍, କେନାଲ ଓ ମେଗା ଉଠାଜଳସେଚନ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ଓ ତଦାରଖ କରିଛନ୍ତି। ଆନନ୍ଦପୁର ବନ ବିଭାଗର ଅତିଥି ଭବନଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାପାତ୍ର ପ୍ରକଳ୍ପଗୁଡ଼ିକର ଗୁଣାତ୍ମକମାନ ଉପରେ ଗୁରୁତ୍ୱାରୋପ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
ଜିଲ୍ଲାପାଳ ଆଶିଷ ଠାକ୍ରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଓ ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ। ଆନନ୍ଦପୁର ବ୍ୟାରେଜର ୧୧୦ କିମି ବିଶିଷ୍ଟ ମୁଖ୍ୟ କେନାଲର ୭୦ କିମି ଖୋଳା ସରିଛି। ୪୫ କିମି କେନାଲର ସିମେଣ୍ଟ କଂକ୍ରିଟ ଲାଇନିଂ କାମ ଶେଷ ହୋଇଛି। ବିଭିନ୍ନ ପ୍ୟାକେଜରେ ହେଉଥିବା ଏବଂ ହେବାକୁ ଥିବା କେନାଲ କାମର ସମୀକ୍ଷା କରି ୨୦୨୪ ସୁଦ୍ଧା ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ। ବୈତରଣୀ ବାମପାର୍ଶ୍ବ କେନାଲର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ୨୦୨୩ ଜୁନ୍ ସୁଦ୍ଧା ଶେଷ କରିବା ସହ ଚାଷପାଇଁ ଜଳସେଚନ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଛନ୍ତି। ଆନନ୍ଦପୁର ବ୍ୟାରେଜ ନିକଟରେ ଆରମ୍ଭ ହୋଇଥିବା ୱାଚ୍ ଟାୱାର୍ ନିର୍ମାଣ କାମ ବର୍ଷେ ମଧ୍ୟରେ ସାରିବା ଏବଂ ଆନନ୍ଦପୁର ଉପଖଣ୍ଡରେ ଚାଲିଥିବା ମେଗା ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରି ନିର୍ଦ୍ଧାରିତ ସମୟ ଭିତରେ କାମ ଶେଷ କରି ଜଳସେଚନ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି। ବୈଠକରେ ଆନନ୍ଦପୁର ବନ୍ୟପ୍ରାଣୀ ଡିଏଫ୍ଓ ଅଭୟ କୁମାର ଦଳେଇ, ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅବିନାଶ ରାଉଲ, ଅଧୀକ୍ଷଣ ଯନ୍ତ୍ରୀ କିଶୋର କୁମାର କର, ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ମାଝୀ, ସେଣ୍ଟ୍ରାଲ ମେଗା ଲିଫ୍ଟ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ।
ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବୈତରଣୀ ବାମପାର୍ଶ୍ବ କେନାଲର ୪ କିମି ପର୍ଯ୍ୟନ୍ତ ଯାଇ ନିର୍ମାଣ କାମର ତଦାରଖ କରିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଶ୍ରୀ ମହାପାତ୍ର କହିଥିଲେ, ଆନନ୍ଦପୁର ବ୍ୟାରେଜ ମୁଖ୍ୟ ଲିଙ୍କ୍ କେନାଲର ନିର୍ମାଣ କାର୍ଯ୍ୟର ଅଗ୍ରଗତିରେ ଥିବା ସମସ୍ୟା ଦୂର ହୋଇଛି। ମୁଖ୍ୟ କେନାଲ କାମ ଜୋରସୋରରେ ଚାଲିଛି। ୨୦୨୩ ଜୁନ୍ ସୁଦ୍ଧା କାମ ସାରିବାକୁ ନିର୍ଦେଶ ଦିଆଯାଇଛି। ଏହାଦ୍ୱାରା ଆନନ୍ଦପୁର ବ୍ୟାରେଜରୁ ବିଦ୍ୟାଧରପୁର ବ୍ୟାରେଜ ପର୍ଯ୍ୟନ୍ତ ପାଣି ପହଞ୍ଚିବ। ଚଳିତ ଖରିଫ ଋତୁରେ ଚାଷଜମିକୁ ପାଣି ଦେବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଏହାଛଡ଼ା ଆନନ୍ଦପୁର ଉପଖଣ୍ଡରେ ଅନେକ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ଏଥିରେ ଆନନ୍ଦପୁର ଓ ବିଦ୍ୟାଧରପୁର ବ୍ୟାରେଜ ପାଣି ବ୍ୟବହାର କରାଯିବ। ଏହାଦ୍ବାରା ୫୦ ହଜାର ଏକର ଜମି ଜଳସେଚିତ ହେବ। ମେଗା ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଜୁଲାଇ ମାସ ମଧ୍ୟରେ କେନାଲରେ ୬ ହଜାର ହେକ୍ଟର ଜମିକୁ ପାଣି ଯୋଗାଇଦିଆଯିବ। ସେହିପରି କାନପୁର ଜଳସେଚନ ପ୍ରକଳ୍ପର ବାକି ଥିବା କାମ ମଧ୍ୟ ଜୋରସୋରରେ ଚାଲିଛି। ଏହା ଅତିଶୀଘ୍ର ଶେଷ ହେବ। ଏଠାରୁ ମଧ୍ୟ ମେଗା ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ଚାଷଜମିକୁ ଜଳ ଯୋଗାଇ ଦିଆଯିବ। ଏହାଛଡ଼ା କାନପୁର ଜଳସେଚନ ପ୍ରକଳ୍ପରୁ ମଧ୍ୟ ଚାଷଜମିକୁ ପାଣି ଉପଲବ୍ଧ କରାଯିବ। ଏସବୁ ପ୍ରକଳ୍ପ ଶେଷ ହେଲେ କେନ୍ଦୁଝର ଜିଲ୍ଲାରେ ୮୦ରୁ ୯୦ ହଜାର ହେକ୍ଟର ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ହୋଇପାରିବ। ଏହାଦ୍ବାରା ଚାଷୀମାନେ ବର୍ଷକୁ ଦୁଇତିନିଟି ଫସଲ ଅମଳ କରି ସେମାନଙ୍କୁ ଆୟବୃଦ୍ଧି କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଥିଲେ।