ବ୍ରହ୍ମପୁର/କୁକୁଡ଼ାଖଣ୍ଡି/ରା.ଉଦୟଗିରି: ଚଳିତବର୍ଷ ଡିସେମ୍ବର ମାସ ଶେଷସୁଦ୍ଧା ଘଟକେଶ୍ବର ବହୁମୁଖୀ ଜଳସେଚନ ପ୍ରକଳ୍ପ ଓ ଆଗାମୀ ୨୦୨୪ ମସିହା ସୁଦ୍ଧା ଛେଳିଗଡ଼ ଜଳସେଚନ ଡ୍ୟାମ୍‌ ଓ ଜଳବିଦ୍ୟୁତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷହେବ। ଉଭୟ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହିତ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ସମ୍ପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ମୁଖ୍ୟଶାସନ ସଚିବ ଶ୍ରୀମହାପାତ୍ରଙ୍କ ସହିତ ଗସ୍ତରେ ଆସିଥିବା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଉଚ୍ଚସ୍ତରୀୟ ପ୍ରାଶାସନିକ ଟିମ୍‌ ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାରେ ପହଞ୍ଚିବା ପରେ ଗଞ୍ଜାମର ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରି ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ ପ୍ରାୟ ୧୭୨.୦୬ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ଚାଲିଛି। ବ୍ରହ୍ମପୁର ସହର ଠାରୁ ୨୦କିମି ଦୂରରେ ଅବସ୍ଥିତ ଏହି ପ୍ରକଳ୍ପ ଦ୍ୱାରା କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ୪ଟି ଗ୍ରାମର ପ୍ରାୟ ୬୦୦ ହେକ୍ଟର୍‌ରୁ ଅଧିକ ଜମି ଜଳସେଚିତ ହେବ।
ଏଥିସହିତ, ଛେଳିଗଡ଼ ଜଳସେଚନ ଡ୍ୟାମ୍‌ ଓ ଜଳବିଦ୍ୟୁତ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ୨୦୨୪ ସୁଦ୍ଧା ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ଏହି ମେଗା ଜଳବିଦ୍ୟୁତ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ପ୍ରକଳ୍ପର ରୂପରେଖ ସମ୍ପର୍କରେ ଇଞ୍ଜିନିୟର ନଗେନ୍ଦ୍ରନାଥ ମହାରଣା ଅବଗତ କରାଇଥିବା ବେଳେ ଆସନ୍ତା ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ଉଭୟ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମ କମିସନର୍‌ ଡ. ସିଦ୍ଧେଶ୍ବର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍‌, କୁକୁଡ଼ାଖଣ୍ଡି ବିଡିଓ ତନ୍ମୟ ଜେନା, ବ୍ଲକ୍‌ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଇଓ ଏସ୍‌. ଗିରିଧାରୀ ପ୍ରମୁଖ ଉପସ୍ଥିତ ଥିଲେ।