ରାୟଗଡ଼ା: କମ୍ ପିଲା ଥିଲେ ସ୍କୁଲ୍‌ ବନ୍ଦ କରିବାକୁ ସରକାର ନେଇଥିବା ନିଷ୍ପତ୍ତି ସୀମାନ୍ତ ଅଞ୍ଚଳରେ ଘାତକ ସାବ୍ୟସ୍ତ ହେଲାଣି। ସ୍କୁଲ୍‌ ବନ୍ଦ ଯୋଗୁ ଆନ୍ଧ୍ର ସୀମାନ୍ତ ରାୟଗଡ଼ା ଜିଲ୍ଲାର ଜିମିଡ଼ିପେଣ୍ଟା ପଞ୍ଚାୟତ କେସଡ଼ା ଗାଁରେ ପିଲାମାନେ ନିରକ୍ଷର ହେଲେଣି । ବହି ବସ୍ତାନି ଧରି ସ୍କୁଲ ଯିବା ବଦଳରେ ବାଡ଼ି ଧରି ଗାଈ ଚରାଇ ଯାଉଛନ୍ତି। ପିଲାମାନେ ଓଡ଼ିଆ ଶିଖୁ ନଥିବାରୁ ତେଲୁଗୁ କହିବାକୁ ବାଧ୍ୟ ହେଉଛନ୍ତି। ଗାଁରେ ଥିବା ସ୍କୁଲ ବନ୍ଦ ହୋଇଯାଇଥିବାରୁ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।

Advertisment

୧୯୭୩ରେ ଗାଁରେ ପ୍ରାଥମିକ ବିଦ୍ୟାଳୟ ଖୋଲିଥିଲା। ଗାଁଟି ଦୁର୍ଗମ ଓ ଅପହଞ୍ଚ ହୋଇଥିବାରୁ ଶିକ୍ଷକ ନିୟମିତ ସ୍କୁଲ ଆସନ୍ତିନି। ଅବସ୍ଥା ଏମିତି ହୋଇଛି ପିଲାମାନେ ଓଡ଼ିଆ ଭାଷା ବଦଳରେ ତେଲୁଗୁରେ କଥାବାର୍ତ୍ତା ହେଉଛନ୍ତି। ଗତ ୫ବର୍ଷ ହେଲା ପିଲା ହେଉ ନଥିବା ଦର୍ଶାଇ ପ୍ରଶାସନ ପକ୍ଷରୁ ସ୍କୁଲ ବନ୍ଦ କରିବାକୁ ସରକାରଙ୍କୁ ଅବଗତ କରାଯାଇଥିଲା। ଏବେ ସ୍କୁଲ ବନ୍ଦ ହୋଇଯାଇଛି। ତେଣୁ ପିଲାଙ୍କୁ ପ୍ରାୟ ୫କିମି ଦୂର ଲୁମ୍ବେସ ଗାଁ ସ୍କୁଲକୁ ନେବାକୁ କର୍ତ୍ତୃପକ୍ଷ କହିଥିବା ଅଭିଭାବକ କହିଛନ୍ତି। ପିଲାମାନେ ଏତେ ଦୂରରେ ଥିବା ଅନ୍ୟ ସ୍କୁଲକୁ ଯାଇ ପାଠ ପଢ଼ିବାକୁ ପସନ୍ଦ କରୁନାହାନ୍ତି। ପିଲା ଘରେ ରହୁଥିବାରୁ ଅଭିଭାବକ ସେମାନଙ୍କୁ ଘରକାମରେ ଲଗାଇବା ସହ ଗାଈ ଚରାଇବାକୁ ପଠାଉଛନ୍ତି। ଅନ୍ୟପଟେ ପଡ଼ୋଶୀ ଆନ୍ଧ୍ରର ଛାପ ଗାଁରେ ପଡ଼ୁଛି। ପ୍ରାୟ ଲୋକ ତେଲୁଗୁରେ କଥାବାର୍ତ୍ତା ହେଉଥିବାରୁ ପିଲାମାନେ ବାଧ୍ୟ ହୋଇ ତେଲୁଗୁରେ କହୁଛନ୍ତି। ତେଲୁଗୁରେ ପାଠ ପଢ଼ିବାକୁ ପିଲାଙ୍କର ଆଗ୍ରହ ବଢୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଓଡ଼ିଆରେ ପାଠ ପଢ଼ିବା ସେମାନଙ୍କୁ କଷ୍ଟ ହେଉଛି।

ଓଡ଼ିଆ ମାଧ୍ୟମ ସ୍କୁଲ୍‌ ଖୋଲିବାକୁ ସରକାର ତତ୍‌କାଳ କୌଣସି ପଦକ୍ଷେପ ନନେଲେ ପିଲାମାନେ ପଡ଼ୋଶୀ ରାଜ୍ୟକୁ ଯାଇ ତେଲୁଗୁ ମାଧ୍ୟମ ବିଦ୍ୟାଳୟରେ ପଢ଼ିବାକୁ ବାଧ୍ୟ ହେ‌ବେ। ଫଳରେ ଆଗାମୀ ଦିନରେ ଏହି ଅଞ୍ଚଳର ଲୋକ ମାନସିକ ସ୍ତରରେ ଓଡ଼ିଶା ଠାରୁ ଦୂରେଇ ଯିବାର ଆଶଙ୍କା ରହିଛି। ଏହାଦ୍ବାରା ଭବିଷ୍ୟତରେ ଓଡ଼ିଶାର ସୀମା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବହୁ ସଚେତନ ନାଗରିକ ମତ ଦେଇଛନ୍ତି। ସେହିପରି, ପ୍ରଶାସନର ପାଦ ଗାଁଗୁଡିକରେ କେବେ ପଡୁ ନଥିବା ଲୋକେ କହିଛନ୍ତି। ଫଳରେ ଲୋକେ ମଧ୍ୟ ସରକାରଙ୍କ କୌଣସି ମୌଳିକ ସୁବିଧା ପାଉନାହାନ୍ତି। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ଅନ୍ୟ ଗାଁରେ ଥିବା କେନ୍ଦ୍ର ଉପରେ ଲୋକେ ନିର୍ଭର କରୁଛନ୍ତି। ଗାଁରେ ପ୍ରାୟ ୧୫୦ପରିବାର ରହୁଛନ୍ତି। ଗାଁର ରାଜୁ କୁଲେସିକା କହନ୍ତି, ପିଲାମାନେ ଏଠାରେ ନିରକ୍ଷର ହେଇଗଲେଣି। ପାଠ ପଢ଼ିବାକୁ କାହାର ଆଗ୍ରହ ନାହିଁ। ଗାଁରେ ଜଣେ ବ୍ୟକ୍ତି ପିଲାଙ୍କୁ ପାଠ ପଢ଼ାଇବାକୁ ପ୍ରସ୍ତୁତ ଥିଲାବେଳେ ତାଙ୍କ ଘରେ ଜାଗା ନଥିବାରୁ ସମ୍ଭବ ହେଉନି। ଗାଁକୁ ଭଲ ରାସ୍ତା ନାହିଁ। ପାହାଡ଼ ତଳେ ଗାଁ ରହିଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। ଏପରିସ୍ଥଳେ, ଏଠାରେ ତୁରନ୍ତ ପିଲାଙ୍କ ପାଠପଢ଼ା ଆରମ୍ଭ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସୀମାନ୍ତ ଗାଁରେ ସ୍କୁଲ ନଥିବା ହେତୁ ପଡ଼ୋଶୀ ଆନ୍ଧ୍ର ଏହାର ଫାଇଦା ଉଠାଇ ଚାଲିଛି। ତେଲୁଗୁ ଭାଷା ପ୍ରଚଳନ ସହ ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରି ଆନ୍ଧ୍ରରେ ମିଶାଇବାକୁ ଯୋଜନା କରୁଛି। ତୁରନ୍ତ ଏ ଦିଗରେ ପ୍ରଶାସନ ପଦକ୍ଷେପ ନନେଲେ ଆଗକୁ ପରିସ୍ଥିତି ଆହୁରି ବିଗିଡ଼ିବ ବୋଲି କୁହାଯାଉଛି।