କାଳିଆପାଣି: ଚୁଲି ଉପରୁ ତତଲା ତରକାରି ପଡ଼ି ଉପର ନଗଡ଼ାର ମୁରି ଓ ଗହ୍ମା ପ୍ରଧାନଙ୍କ ୭ ମାସର ଶିଶୁପୁତ୍ର ଗୁରୁତର ହୋଇଛି। ମୁରିଙ୍କ ବାପଘର ଗୁହିଆଶାଳ ଗାଁରେ ଗତକାଲି ଏହି ଅଘଟଣ ଘଟିଛି। ଶିଶୁର ଡାହାଣ ଗୋଡ଼ରୁ ପାଦ ପର୍ଯ୍ୟନ୍ତ ଚମ ଉତୁରି ଯାଇଛି। ଏ ସଂପର୍କରେ ଆଶାକର୍ମୀ ଜୟନ୍ତୀ ମହାନ୍ତ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସୂଚନା ଦେଇଥିଲେ। ମେଡିକାଲ୍ ପକ୍ଷରୁ ଆଜି ସକାଳେ ନାଲିଆଡାବ ପର୍ଯ୍ୟନ୍ତ ଓମ୍ବାଡସି ଆମ୍ବୁଲାନ୍ସ ପଠା ଯାଇଥିଲା। ହେଲେ ଏହି ଦମ୍ପତିଙ୍କ ଦେଖା ମିଳିନଥିଲା। ଆହତ ଶିଶୁକୁ ଉଦ୍ଧାର ଯୋଜନାରେ ପୁଣିଥରେ ଅପରାହ୍ଣରେ ଅନ୍ୟ ଏକ ଆମ୍ବୁଲାନ୍ସ ଗୁହିଆଶାଳ ପର୍ଯ୍ୟନ୍ତ ଯାଇଥିଲା। ହେଲେ ସଂପୃକ୍ତ ଦମ୍ପତି ଓ ଗହ୍ମାଙ୍କ ଶ୍ବଶୁର ଆମ୍ବ ପ୍ରଧାନଙ୍କ ପତ୍ତା ମିଳିନଥିଲା।
ସେମାନେ ପ୍ରଶାସନକୁ ଡରି କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ରେବଣା ପଳାସପାଳ ଗାଁର ଜଣେ ସଂପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିବା ସୂଚନା ମିଳିଛି। ଗତ ୨୦୨୦ ମସିହା ଜୁଲାଇ ମାସରେ ଉପର ନଗଡ଼ାର ଅଙ୍ଗନବାଡ଼ି କର୍ମୀ କମଳା ପ୍ରଧାନଙ୍କ ଦିଅର ଗହ୍ମା ଓ ମୁରି ବାଲ୍ୟ ବିବାହ କରିଥିଲେ। ତିନି ଗାଁର ଗ୍ରାମବାସୀ ଏବଂ ଶତାଧିକ ବନ୍ଧୁବାନ୍ଧବ ଓ ସଂପର୍କୀୟ କଟକଣା ନମାନି ନାଗଗୀତ କରିଥିଲେ। ସୁକିନ୍ଦା ସିଡିପିଓ, ଯାଜପୁର ଚାଇଲ୍ଡ ଲାଇନ ଓ ପୁଲିସ ସଦଳବଳ ନଗଡ଼ା ବିବାହ ଉତ୍ସବରେ ଚଢ଼ଉ କରି ବରକନ୍ୟା ଓ ଅଭିଭାବକଙ୍କୁ ଉଠାଇ ନେଇଥିଲେ। ପ୍ରଥମେ କାଳିଆପାଣି ଥାନା ଓ ପରେ ଯାଜପୁର ଜିଲ୍ଲା ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି)ରେ ସେମାନଙ୍କୁ ହାଜର କରାଯାଇଥିଲା। ବିବାହ ବୟସ ନହେବା ପର୍ଯ୍ୟନ୍ତ ବରକନ୍ୟା ଅଲଗା ରହିବେ ବୋଲି ଲିଖିତ ପ୍ରତିଶ୍ରୁତି ସହ ଚୁକ୍ତିନାମା ସ୍ବାକ୍ଷରକରି ଉଭୟପକ୍ଷ ଛାଡ଼ ପାଇଥିଲେ। ହେଲେ ଯାଜପୁରରୁ ଫେରିବା ପରେ ଆଇନକୁ ଫୁ କରି ସେମାନେ ଏକାଠି ରହିଥିଲେ। ଏବେ ଧରା ପଡ଼ିଯିବା ଭୟରେ ଏହି ଦମ୍ପତି ଛୁ ମାରିଥିବା ଜଣାପଡ଼ିଛି।