ଚିରଞ୍ଜୀବୀ କର
କଟକ: ୧୦ ବର୍ଷର ଶିଶୁ ନିଶ୍ବାସ ନେଲା ବେଳେ ବାଜୁଥିଲା ହୁଇସିଲ୍। ଶିଶୁଭବନ ଡାକ୍ତରୀ ଟିମ୍ ଶିଶୁରୋଗୀଙ୍କ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଯାଞ୍ଚ ପରେ ଛାତି ଭିତରୁ ଏକ ହୁଇସିଲ୍ କାଢ଼ିଛନ୍ତି। ଏଭଳି ବିରଳ ଅସ୍ତ୍ରୋପଚାର ଶିଶୁଭବନ ଡାକ୍ତରୀ ଟିମ୍କୁ ବି ଚକିତ କରିଦେଇଛି। ସେହିଭଳି ଆଉ ଦୁଇ ଜଣ ଶିଶୁରୋଗୀଙ୍କ ଖାଦ୍ୟନଳୀରୁ ଲକେଟ୍ ଓ ସୁନା କାନଫୁଲ ବାହାରିଛି। ନୂଆ କରି ଶିଶୁଭବନରେ ଆରମ୍ଭ ହୋଇଥିବା ବ୍ରୋଙ୍କୋସ୍କୋପି ବ୍ୟବସ୍ଥା ମାଧ୍ୟମରେ ୧୫ଜଣ ଶିଶୁଙ୍କ ଖାଦ୍ୟନଳୀ, ଶ୍ବାସନଳୀ ଓ ଫୁସ୍ଫୁସ୍ରୁ ବିଭିନ୍ନ ସାମଗ୍ରୀ କଢ଼ାଯିବା ଘଟଣା ଚର୍ଚ୍ଚାକୁ ଆସିଛି।
ସୂଚନା ଅନୁଯାୟୀ, ଶିଶୁଙ୍କ ବ୍ରୋଙ୍କୋସ୍କୋପି ବ୍ୟବସ୍ଥା ପୂର୍ବରୁ କେବଳ ଭୁବନେଶ୍ବର ଏମ୍ସରେ ଥିଲା। ବ୍ରୋଙ୍କୋସ୍କୋପି ମାଧ୍ୟମରେ ଶ୍ବାସନଳୀ କିମ୍ବା ଫୁସ୍ଫୁସ୍ରେ ଅଟକିଥିବା କୌଣସି ସାମଗ୍ରୀ କାଢ଼ିବାକୁ ହେଲେ ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲା। କିନ୍ତୁ ଏହି ବ୍ୟବସ୍ଥା ଶିଶୁଭବନରେ ଆରମ୍ଭ ହୋଇଛି। ବ୍ରୋଙ୍କୋସ୍କୋପି ମାଧ୍ୟମରେ ମୋଟ ୯୦ ଜଣ ଶିଶୁ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିରୁ ୧୭ଟି ମାମଲା ଜଟିଳ ଥିଲା। ଶିଶୁଙ୍କ ଶ୍ବାସନଳୀ ଓ ଫୁସ୍ଫୁସ୍ରୁ ଗୁଆ ଖଣ୍ଡ, କାଜୁ, କୋଳି ମଞ୍ଜି, ବାଦାମ, ଅମୃତାଞ୍ଜନ ଖୋଳ, ଲିଚୁ ଲାଇଟ୍, କାନଫୁଲ, ଲକେଟ୍, କଜଳ ଖୋଳ ଇତ୍ୟାଦି କଢ଼ାଯାଇଛି। ୧୦ବର୍ଷର ଶିଶୁ ଅକ୍ଷୟ ସାହୁଙ୍କ ନିଶ୍ବାସ ନେବା ସମୟରେ କଷ୍ଟ ହେଉଥିଲା। ତାଙ୍କୁ ପରିବାର ଲୋକେ ବିଭିନ୍ନ ହସ୍ପିଟାଲ୍ ଓ ଏସ୍ସିବିରେ ଦେଖାଇ ନିରାଶ ହେବା ପରେ ଶିଶୁଭବନରେ ଦେଖାଇଥିଲେ।
ଛାତିରୁ ବାହାରିଲା ହୁଇସିଲ୍
ଖାଦ୍ୟନଳୀରୁ ଲକେଟ୍, ସୁନା କାନଫୁଲ କଢ଼ାଗଲା
ଶିଶୁଭବନରେ ବ୍ରୋଙ୍କୋସ୍କୋପିରେ ବିରଳ ଅସ୍ତ୍ରୋପଚାର
ଏକ୍ସ-ରେ କରାଯିବାରେ କିଛି ଜଣାପଡ଼ି ନଥିଲା। ଶିଶୁଟି ନିଶ୍ବାସ ନେବା ସମୟରେ ଛାତି ଭିତରେ ହୁଇସିଲ୍ ବାଜିବା ଭଳି ଶବ୍ଦ ଓ ପ୍ରବଳ କାଶ ହେଉଥିଲା। ବ୍ରୋଙ୍କୋସ୍କୋପି ବ୍ୟବସ୍ଥାରେ ଡରମିଆ ବାସ୍କେଟ୍ ମାଧ୍ୟମରେ ଶ୍ବାସନଳୀରୁ ହୁଇସିଲ୍ କଢ଼ାଯାଇଥିଲା। ସେହିପରି ୩ ମାସର ଶିଶୁ ପ୍ରତ୍ୟୁଷ ମଲ୍ଲିକଙ୍କ ଖାଦ୍ୟନଳୀରୁ ଦେବୀଙ୍କ ଲକେଟ୍ କଢ଼ାଯାଇଥିଲା। ଚାରିବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀର ଖାଦ୍ୟନଳୀରୁ କାନଫୁଲ କଢ଼ାଯାଇଛି। ଶୁଭଲକ୍ଷ୍ମୀ ଠିକ୍ରେ ଖାଇ ନପାରି ବାନ୍ତି କରୁଥିଲା। ବ୍ରୋଙ୍କୋସ୍କୋପି ମାଧ୍ୟମରେ ଏହାକୁ କଢ଼ାଯାଇଛି।
ଅନ୍ୟପଟେ ବର୍ଷେ ଏକମାସର ଶିଶୁ ରାଜଶେଖର ମଲ୍ଲିକର ନିଶ୍ବାସ ନେବାରେ ସମସ୍ୟା ହେଉଥିଲା। ଶିଶୁଭବନରେ ଏକ୍ସରେ କରାଯିବା ପରେ ବ୍ରୋଙ୍କୋସ୍କୋପି ମାଧ୍ୟମରେ ତଣ୍ଟି ତଳେ ଲାଖି ରହିଥିବା ଏଲ୍ଇଡି ଲାଇଟ୍କୁ କଢ଼ାଯାଇଥିଲା। ୬ମାସର ଶିଶୁ ଅନନ୍ୟା ବେହେରା ଖେଳୁଥିବା ବେଳେ ଏକ ଖେଳଣା ମୋବାଇଲ୍ର ଏଲ୍ଇିଡି ବଲ୍ବ ଗିଳି ଦେଇଥିଲା। ଏହି ବଲ୍ବ ସିଧା ତା’ ବାମପଟ ଫୁସ୍ଫୁସ୍ରେ ଅଟକି ରହିଥିଲା। ଶିଶୁଟି କାନ୍ଦିବା ସହ ନିଶ୍ବାସ ନେବାରେ ସମସ୍ୟା ହେଉଥିଲା। ଶିଶୁଭବନରେ ବ୍ରୋଙ୍କୋସ୍କୋପି ମାଧ୍ୟମରେ ଏହାକୁ କଢ଼ାଯାଇଛି। ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ରଙ୍କ ତତ୍ତ୍ବାବଧାନରେ ପେଡିଆଟ୍ରିକ୍ ଆଇସିୟୁ ଇନ୍ଚାର୍ଜ ତଥା ପେଡିଆଟ୍ରିକ ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ବିଜୟ କୁମାର ମେହେରଙ୍କ ନେତୃତ୍ବରେ ଶିଶୁରୋଗୀଙ୍କୁ ମରଣମୁହଁରୁ ଫେରାଇ ଅଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/14/sisubhawan-2025-07-14-03-09-40.jpg)