କୋରାପୁଟ: ବିଦ୍ୟାଳୟରେ ନାମଲେଖା ନିମନ୍ତେ ଆଧାରକାର୍ଡ ବାଧ୍ୟତାମୂଳକ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ହଜାରହଜାର ପିଲାଙ୍କ ଏଯାଏ ଆଧାରକାର୍ଡ ହୋଇପାରିନି। ସେହିପରି ହଜାର ହଜାର ପିଲାଙ୍କ ଆଧାରକାର୍ଡରେ ରହିଛି ତ୍ରୁଟି। ତେଣୁ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବାର ସମ୍ଭାବନା ରହିଛି। ଅନ୍ୟପଟେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗୋଟିଏ ଆଇଡିରେ ସମସ୍ତ ତଥ୍ୟ ମହଜୁଦ ରଖିବା ପାଇଁ ଆପାର ଆଇଡି ଖୋଲିବାକୁ ସରକାର ଗୁରୁତ୍ବାରୋପ କରିଛନ୍ତି। ତେବେ ଆଧାରକାର୍ଡ ନଥିବା କିମ୍ବା କାର୍ଡରେ ତ୍ରୁଟି ଯୋଗୁଁ ଏହି ଆଇଡି ଖୋଲିପାରୁନି।

Advertisment

କୋରାପୁଟ ଜିଲ୍ଲାରେ ପ୍ରାୟ ୨୨ହଜାର ଛାତ୍ରଛାତ୍ରୀଙ୍କ ଏଯାଏ ଆଧାରକାର୍ଡ ହୋଇପାରିନି। ଯେଉଁ ପିଲାଙ୍କ କାର୍ଡ ରହିଛି ତାହାର ତଥ୍ୟ ଜନ୍ମ ପ୍ରମାଣପତ୍ର ସହ ମେଳ ଖାଉନି। ଯାହାଫଳରେ ପ୍ରାୟ ୪୭ ପ୍ରତିଶତ ପିଲାଙ୍କ ଆପାର ଆଇଡି ଖୋଲିପାରିନି। ସରକାରୀ ତଥ୍ୟ ଅନୁସାରେ ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ପ୍ରାୟ ୨ଲକ୍ଷ ୮୧ହଜାର ୫୩୦ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସେଥିରୁ ପ୍ରାୟ ୨୨ହଜାର ଛାତ୍ରଛାତ୍ରୀଙ୍କ ଆଧାରକାର୍ଡ ପରିବାର ବର୍ଗ ଦାଖଲ କରିନାହାନ୍ତି। ସେହିପରି ୫ହଜାର ଛାତ୍ରଛାତ୍ରୀଙ୍କ ଆଧାରକାର୍ଡରେ ତ୍ରୁଟି ଯୋଗୁଁ ଆପାର ଆଇଡିରେ ପଞ୍ଜୀକରଣ ହୋଇପାରୁନି। ଆଜି ସୁଦ୍ଧା ୧,୫୦,୭୩୮ଜଣ ଛାତ୍ରଛାତ୍ରୀଙ୍କ ଆପାର ଆଇଡି ଖୋଲାଯାଇଛି। ଯାହା ମୋଟ ଛାତ୍ରଛାତ୍ରୀଙ୍କ ୫୩ ପ୍ରତିଶତ। ବିବାଦୀୟ ଭୂଖଣ୍ଡ କୋଟିଆରେ ବି ଏହି ସମସ୍ୟା ଦେଖିବାକୁ ମିଳିଛି। କୋଟିଆରେ ମଙ୍ଗଳ ବିଭାଗର ଦୁଇଟି ବିଦ୍ୟାଳୟ, ଗୋଟିଏ ଆଦର୍ଶ ବିଦ୍ୟାଳୟ ସମେତ ମୋଟ ୨୦ଟି ବିଦ୍ୟାଳୟ ରହିଛି। ମୋଟ ୧୭୮୦ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସେଥିରୁ ୨୨୮ଜଣ ଛାତ୍ରଛାତ୍ରୀଙ୍କ ଆଧାରକାର୍ଡ ନଥିବା ଜଣାପଡ଼ିଛି। ସେହିପରି ଆଧାରକାର୍ଡରେ ତ୍ରୁଟି କିମ୍ବା ବୈଷୟିକ କାରଣରୁ ଆପାର ଆଇଡିରେ ବହୁ ପିଲାଙ୍କ ପଞ୍ଜୀକରଣ ହୋଇପାରୁନି। ଯାହାଫଳରେ ୪୪ ପ୍ରତିଶତ ପିଲାଙ୍କ ଆପାର ଆଇଡି ଖୋଲିଥିବା ବେଳେ ୫୬ ପ୍ରତିଶତ ପିଲାଙ୍କ ଆପାର ଆଇଡି ଖୋଲିପାରୁନି। କୋଟିଆରେ ବହୁ ପିଲାଙ୍କ ଆନ୍ଧ୍ରର ଆଧାରକାର୍ଡ ରହିଛି। ପୁଣି ବିଦ୍ୟାଳୟରେ ନାମ ଲେଖାଇବା ସମୟରେ ଯେଉଁ ନାମ ଓ ଜନ୍ମ ତାରିଖ ରହୁଛି ତାହା ଆଧାରକାର୍ଡ ସହ ମେଳ ‌ଖାଉନି। ସେହିପରି କିଛି ପିଲାଙ୍କ ଆପାର ଆଇଡି ଆନ୍ଧ୍ରରେ ଖୋଲିସାରିଥିବାରୁ ଓଡ଼ିଶାରେ ଆଉ ଖୋଲିପାରୁନି। ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ହଜାର ହଜାର ପିଲାଙ୍କ ଜନ୍ମ ପ୍ରମାଣପତ୍ର ବି ନାହିଁ। ଆଧାରକାର୍ଡରେ ସଂଶୋଧନ ନିମନ୍ତେ ଜନ୍ମ ପ୍ରମାଣପତ୍ର ଆବଶ୍ୟକତା। ଜନ୍ମ ପ୍ରମାଣପତ୍ର ସଂଗ୍ରହ କରିବା କିମ୍ବା ଆଧାରକାର୍ଡ ସଂଶୋଧନ କରିବା ନିମନ୍ତେ ଟଙ୍କା ଆବଶ୍ୟକ ହେଉଛି। ଯାହା ଗରିବ ପରିବାର କ୍ଷେତ୍ରରେ ଖର୍ଚ୍ଚ କରିବା ସମ୍ଭବ ହେଉନାହିଁ। ତେଣୁ ପ୍ରଶାସନ ପକ୍ଷରୁ ଆଧାରକାର୍ଡ ସଂଶୋଧନ ଓ ଜନ୍ମ ପ୍ରମାଣପତ୍ର ପାଇଁ ଉଦ୍ୟମ ଚାଲୁରହିଛି।