ଚୌଧୁରୀ ଅଶ୍ବିନୀ କୁମାର ଦାସ

Advertisment

କଟକ: ଚିଟ୍‌ଫଣ୍ଡ ଦୁର୍ନୀତିର ବିଚାରବିଭାଗୀୟ ତଦନ୍ତକୁ ୧୧ ବର୍ଷ ପୂରିଛି। ଚାରି ବର୍ଷ ହେଲା ଚିଟ୍‌ଫଣ୍ଡ ତଦନ୍ତ କମିସନରେ ତାଲା ପକାଇ ଦିଆଯାଇଥିବା ବେଳେ ସଂପୂର୍ଣ୍ଣ ଘଟଣା ରହସ୍ୟ ହୋଇ ରହିଯାଇଛି। ତଦନ୍ତ କମିସନଙ୍କ ନିକଟରେ ଦାଖଲ ହୋଇଥିବା ନଥିପତ୍ର, ସତ୍ୟପାଠ ସବୁ ଉଇ ଖାଇ ନଷ୍ଟ ହୋଇଯାଇଥିବା ବେଳେ ତଦନ୍ତ କମିସନଙ୍କ କାର୍ଯ୍ୟାଳୟର ସ୍ଥିତି ଏବେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଉପହାସ କରୁଛି। ଚିଟ୍‌ଫଣ୍ଡ ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ତତ୍କାଳୀନ ରାଜ୍ୟ ସରକାର ୨୦୧୩, ଜୁଲାଇ ୯ରେ ବିଚାରବିଭାଗୀୟ ତଦନ୍ତ ପାଇଁ ଜଣିକିଆ କମିସନ୍‌ ଗଠନ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିସହିତ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ନେଇ ଘୋଷଣା କରିଥିଲେ। ପ୍ରଥମରୁ ୫ଟି ପ୍ରସଙ୍ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଥିଲା। ସରକାର ଏହାପରେ ପୂର୍ବ ଟର୍ମସ୍ ଅଫ୍ ରେଫରେନ୍ସରେ ଆଉ ଏକ ପ୍ରସଙ୍ଗ ଯୋଡି ୨୦୧୫, ଫେବ୍ରୁଆରି ୨୦ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅତିରିକ୍ତ ଟର୍ମସ୍ ଅଫ ରେଫରେନ୍ସରେ ବେଆଇନ ଅର୍ଥ କାରବାର ଓ ଠକ କମ୍ପାନି ଗୁଡିକ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପ୍ରସଂଗରେ ତଦନ୍ତ ଦାୟିତ୍ବ କମିସନଙ୍କୁ ପ୍ରଦାନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ବୃଦ୍ଧି କରାଯାଇଥିଲା। ଶେଷ ଥର ୨୦୧୯, ଅଗଷ୍ଟ ୪ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ‌‌ପୂରିବାକୁ ଯାଉଥିବା ବେଳେ ଅଗଷ୍ଟ ୨ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଏହାପରେ ୨୦୧୫, ‌ଫେବ୍ରୁଆରି ୨୦ର ଟର୍ମସ୍ ଅଫ୍ ରେଫେରେନ୍ସରେ ସଂଶୋଧନ କରି ସରକାର ୨୦୧୯, ଡିସେମ୍ବର ୧୧ରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୂର୍ବରୁ ପ୍ରକୃତ ଜମାକାରୀ (ଇନ୍‌ଭେଷ୍ଟର)ଙ୍କୁ ଚିହ୍ନଟ କରାଯିବ ବେଲି ଟର୍ମସ୍ ଅଫ୍ ରେଫରେନ୍ସରେ ରହିଥିଲା। କିନ୍ତୁ ୨୦୧୯, ଡିସେମ୍ବର ୧୧ରେ ପ୍ରକାଶିତ ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ (ସ୍ମଲ୍ ଇନଭେଷ୍ଟର) ବୋଲି ଉଲ୍ଲେଖ କରାଯାଇଥିଲା। ଫଳରେ କମିସନ୍ କେବଳ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏଭଳି ସ୍ଥିତିରେ ଲକ୍ଷାଧିକ ଟଙ୍କା ଚିଟଫଣ୍ଡରେ ଜମାକରି ଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କ ଆଶା ମଉଳି ଯାଇଥିଲା।

ବିଚାରବିଭାଗୀୟ ତଦନ୍ତକୁ ପୂରିଲା ୧୧ ବର୍ଷ
ନଷ୍ଟ ହୋଇଗଲାଣି ସତ୍ୟପାଠ, ନଥିପତ୍ର
୭ଟି ଅନ୍ତରୀଣ ରିପୋର୍ଟ ବି ସାର୍ବଜନୀନ ହୋଇନି

ସରକାର ବିଚାରବିଭାଗୀୟ ତଦନ୍ତ ପ୍ରକ୍ରିୟାରେ ୬.୧୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ପରେ ହଠାତ୍‌ ଚିଟଫଣ୍ଡ ତଦନ୍ତକୁ ବନ୍ଦ କରି ଦିଆଯାଇଥିଲା। ୨୦୨୦, ‌ଫେବ୍ରୁଆରି ୪ରେ ଚିଟଫଣ୍ଡ ଘଟଣାର ବିଚାରବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ‌େଶଷ ହୋଇଥିବା ବେଳେ କମିସନଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରାଯାଇ ନଥିଲା। ପରେ ୨୦୨୦, ମାର୍ଚ୍ଚ ୩ରୁ କମିସନ୍ ଅଧ୍ୟକ୍ଷ ଆଉ ବସିବେ ନାହିଁ ବୋଲି କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ଏହାପରେ କମିସନର ଅଧ୍ୟକ୍ଷ ଆଉ କଟକ ବକ୍ସିବଜାର ପୁଲିସ ଲାଇନସ୍ଥିତ କାର୍ଯ୍ୟାଳୟକୁ ଆସି ନଥିଲେ। ଏଭଳି ପରିସ୍ଥିତିରେ ବକ୍ସିବଜାର ପୁଲିସ ଲାଇନସ୍ଥିତ ତଦନ୍ତ କମିସନଙ୍କ କାର୍ଯ୍ୟାଳୟରେ ୨୦୨୦ରୁ ତାଲା ପଡ଼ିଛି। କାର୍ଯ୍ୟାଳୟରେ ନୂଆ ଓ ପୁରୁଣା ସତ୍ୟପାଠ ସବୁ ପଡି ରହିଛି। ଆସବାବପତ୍ର, କମ୍ପ୍ୟୁଟର, ପ୍ରିଣ୍ଟର, ଜେରକ୍ସ ମେସିନ, ଫ୍ୟାକ୍ସ, ଏସି ଓ ଗୁରୁତ୍ବପୂର୍ଣ୍ଣ ରେକର୍ଡ ରହିଛି। କିନ୍ତୁ ସେ ସବୁର ରକ୍ଷଣାବେକ୍ଷଣ ପାଇଁ କିଛି ବ୍ୟବସ୍ଥା କରାଯାଇ ନାହିଁ। ଚିଟଫଣ୍ଡ ତଦନ୍ତ କମିସନ କାର୍ଯ୍ୟାଳୟର ବାହାର ଫାଟକରେ ଲାଗିଥିବା ବୋର୍ଡ ଆଉ ନାହିଁ। କମିସନ କାର୍ଯ୍ୟାଳୟ ପୋର୍ଟିକୋ ତଳେ ପ୍ରାୟ ଏକ ଟ୍ରକ କାଗଜପତ୍ର, ରେକର୍ଡ, ଫାଇଲ, ବଡ଼ ବଡ଼ ବାକ୍ସ, କେତେକ ଆସବାବପତ୍ର ପଡି ରହିଛି। ଖରା ବର୍ଷା ଖାଇ ବହୁ କାଗଜପତ୍ର ନଷ୍ଟ ହୋଇ ଗଲାଣି। କେତେକ କାଗଜପତ୍ର ମାଟି ହୋଇଯାଇଥିବା ଦେଖିବାକୁ ମିଳିଛି।