କଟକ,(ଚୌଧୁରୀ ଅଶ୍ବିନୀ କୁମାର ଦାସ): ଚିଟଫଣ୍ଡ ଠକେଇର ବିଚାରବିଭାଗୀୟ ତଦନ୍ତ ବନ୍ଦ ହେବା ସମୟକୁ ଆସନ୍ତାକାଲି ୩ ବର୍ଷ ପୂରି ଯିବ। ୨୦୨୦, ‌ଫେବ୍ରୁଆରି ୪ ତାରିଖରେ ଚିଟଫଣ୍ଡ ଘଟଣାର ବିଚାରବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ‌ଶେଷ ହୋଇଥିଲା। ତା ପରଠାରୁ ଆଉ ନୂଆ କମିସନ ଗଠନ ହୋଇ ନାହିଁ କି ଜଷ୍ଟିସ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇ ନାହିଁ। ଏଭଳି ସ୍ଥିତିରେ ବିଚାରବିଭାଗୀୟ ତଦନ୍ତରୁ କ୍ଷତିଗ୍ରସ୍ତ ଜମାକାରୀ ଯେଉଁ ଟଙ୍କା ଫେରସ୍ତ ପାଇବା ଆଶା ରଖିଥିଲେ, ତାହା ଏକପ୍ରକାର ମଉଳି ଯାଇଛି। ଏ କ୍ଷେତ୍ରରେ ସରକାରଙ୍କର ଅସ୍ବାଭାବିକ ନିରବତା ବି ଚିନ୍ତାର କାରଣ ହୋଇଛି।

Advertisment

publive-image Ommcom News

ସରକାର ଏଯାଏ ତଦନ୍ତ କମିସନଙ୍କ କାର୍ଯ୍ୟକାଳ ବଢାଇଥିଲେ ନାହିଁ କି ତଦନ୍ତ ବନ୍ଦ ସଂପର୍କରେ ସ୍ଥିତି ସ୍ପଷ୍ଟ କରିଲେ ନାହିଁ। ତଦନ୍ତ ପ୍ରକ୍ରିୟା ଆଗେଇବ ନା ବନ୍ଦ ହେବ ସେ ନେଇ ସରକାର କିଛି ନ କହିବାରୁ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥିତି ସ୍ପଷ୍ଟ କରିବାକୁ ୨୦୨୦, ଜୁନ୍ ମାସରେ ଚିଠି ଲେଖା ଯାଇଥିଲା। ଏହା ପରେ ବି ସରକାରଙ୍କ ଠାରୁ କୌଣସି ଉତ୍ତର ମିଳି ନଥିଲା। ଏଭଳି ସ୍ଥିତିରେ କମିସନ ଅଧ୍ୟକ୍ଷ ଆଉ କାର୍ଯ୍ୟାଳୟ ଆସି ନଥିଲେ। କିଛି ମାସ ପର୍ଯ୍ୟନ୍ତ କିଛି କର୍ମଚାରୀ ବକ୍ସିବଜାର ପୁଲିସ ଲାଇନସ୍ଥିତ କମିସନ କାର୍ଯ୍ୟାଳୟକୁ ଆସୁଥିଲେ। କିନ୍ତୁ ସେମାନଙ୍କୁ ଦରମା ଓ ଅନ୍ୟାନ୍ୟ ସୁବିଧା ନ ମିଳିବାରୁ ସେମାନେ ବି ଅଫିସ ଆସିବା ବନ୍ଦ କରି ଦେଲେ। ଫଳ‌ରେ ବକ୍ସିବଜାର ପୁଲିସ ଲାଇନସ୍ଥିତ ତଦନ୍ତ କମିସନଙ୍କ କାର୍ଯ୍ୟାଳୟରେ ୨୦୨୦ରୁ ତାଲା ପଡିଛି। କାର୍ଯ୍ୟାଳୟରେ ନୂଆ ଓ ପୁରୁଣା ସତ୍ୟପାଠ ସବୁ ପଡି ରହିଛି। ଆସବାବପତ୍ର, କମ୍ପ୍ୟୁଟର, ପ୍ରିଣ୍ଟର, ଜେରକ୍ସ ମେସିନ, ଫ୍ୟାକ୍ସ, ଏସି ଓ ଗୁରୁତ୍ବପୂର୍ଣ୍ଣ ରେକର୍ଡ ରହିଛି। ରକ୍ଷଣାବେକ୍ଷଣ ପାଇଁ କିଛି ବ୍ୟବସ୍ଥା କରାଯାଇ ନାହିଁ। କମିସନଙ୍କ କାର୍ଯ୍ୟାଳୟର ଦାୟିତ୍ବ ସରକାର ହାତକୁ ନେଇ ଚିଟଫଣ୍ଡ ତଦନ୍ତ ସଂପର୍କିତ କଂପ୍ୟୁଟରାଇଜଡ୍ ତଥ୍ୟ ଓ ନଥିପତ୍ରର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉ ଥିଲା। କିନ୍ତୁ ସେମିତି କିଛି ପଦକ୍ଷେପ ଏଯାଏ ନିଆଯାଇ ନାହିଁ। ବନ୍ଦ କାର୍ଯ୍ୟାଳୟ ଭିତରେ ପଡି ରହିଥିବା ରେକର୍ଡ ଓ ଅନ୍ୟ ଜିନିଷପତ୍ରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି। ଚିଟଫଣ୍ଡ ତଦନ୍ତ କମିସନ କାର୍ଯ୍ୟାଳୟରେ ଲାଗିଥିବା ବୋର୍ଡ ଅଧା ଭାଙ୍ଗି ଯିବା ସହିତ ଗଛପତ୍ର ଭିତରେ ଲୁଚି ଗଲାଣି।

ରାଜ୍ୟରେ ଚିଟଫଣ୍ଡ କେଳେଙ୍କାରୀରେ ଲକ୍ଷାଧିକ ଜମାକାରୀ କ୍ଷତିଗ୍ରସ୍ତ ହେବା ନେଇ ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ସରକାର ଜଣିକିଆ କମିସନ୍‌ ଗଠନ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଏହାପରେ ପୂର୍ବ ଟର୍ମସ୍ ଅଫ୍ ରେଫରେନ୍ସରେ ଆଉ ଏକ ପ୍ରସଂଗ ଯୋଡି ୨୦୧୫, ଫେବ୍ରୁଆରି ୨୦ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଅତିରିକ୍ତ ଟର୍ମସ୍ ଅଫ ରେଫରେନ୍ସରେ ବେଆଇନ ଅର୍ଥ କାରବାର ଓ ଠକ କମ୍ପାନି ଗୁଡିକ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପ୍ରସଂଗରେ ତଦନ୍ତ ଦାୟିତ୍ବ କମିସନଙ୍କୁ ପ୍ରଦାନ କରାଯାଇଥିଲା। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ବା ୬ ମାସ ବୃଦ୍ଧି କରାଯାଇଥିଲା। ଶେଷ ଥର ୨୦୧୯, ଅଗଷ୍ଟ ୪ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ‌‌ପୂରିବାକୁ ଯାଉଥିବା ବେଳେ ଅଗଷ୍ଟ ୨ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ।

publive-image Representative image

ଏହାପରେ ୨୦୧୫, ‌ଫେବ୍ରୁଆରି ୨୦ର ଟର୍ମସ୍ ଅଫ୍ ରେଫେରେନ୍ସରେ ସଂଶୋଧନ କରି ସରକାର ୨୦୧୯, ଡିସେମ୍ବର ୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୂର୍ବରୁ ପ୍ରକୃତ ଜମାକାରୀ (ଇନ୍‌ଭେଷ୍ଟର)ଙ୍କୁ ଚିହ୍ନଟ କରାଯିବ ବେଲି ଟର୍ମସ୍ ଅଫ୍ ରେଫରେନ୍ସରେ ରହିଥିଲା। କିନ୍ତୁ ୨୦୧୯, ଡିସେମ୍ବର ୧୧ରେ ପ୍ରକାଶିତ ପରିବର୍ତ୍ତିତ ବା ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ (ସ୍ମଲ୍ ଇନଭେଷ୍ଟର) ବୋଲି ଉଲ୍ଲେଖ କରାଯାଇଥିଲା। ଫଳରେ କମିସନ୍ କେବଳ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ଲକ୍ଷାଧିକ ଟଙ୍କା ଚିଟଫଣ୍ଡରେ ଜମାକରି ଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କ ଆଶା ମଉଳି ଯାଇଥିଲା। ମିଳିଥିବା ତଥ୍ୟ ଅନୁସାରେ କମିସନ୍‌ ପ୍ରାୟ ୪ ଲକ୍ଷ ୯୭ ହଜାର ୮ଶହ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨୧ଶହ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। କମିସନ କ୍ଷୁଦ୍ର ଜମାକରୀଙ୍କ ପ୍ରସଂଗରେ ଆଉ ଏକ ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଥିବା ବେଳେ ୨୦୨୦ରେ କାର୍ଯ୍ୟକାଳ ଆଉ ବଢି ନଥିଲା। ଅନ୍ୟପକ୍ଷରେ ବହୁ କ୍ଷତିଗ୍ରସ୍ତ ଜମାକାରୀ ୨୦୧୩ରେ ସତ୍ୟପାଠ ଦାଖଲ କରି ନଥିଲା ବେଳେ କମିସନ୍ ୨୦୧୮, ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ୨୦୧୯, ଜାନୁଆରି ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ଏହି ଦ୍ବିତୀୟ ପର୍ଯ୍ୟାୟରେ କମିସନଙ୍କ ନିକଟରେ ପ୍ରାୟ ୭ ଲକ୍ଷ ସତ୍ୟପାଠ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକରୀ ଦାଖଲ କରିଥିଲେ। ଏହି ସତ୍ୟପାଠ ଗୁଡିକ କମିସନଙ୍କ କାର୍ଯ୍ୟାଳୟରେ ତଦନ୍ତ ଅପେକ୍ଷାରେ ପଡି ରହିଛି। ଏହି ସତ୍ୟପାଠର ଭବିଷ୍ୟତକୁ ନେଇ ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି।

publive-image iPleaders Blog

ଚିଟଫଣ୍ଡ ତଦନ୍ତକୁ ନେଇ ଏଭଳି ବିଚିତ୍ର ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଚିଟଫଣ୍ଡ ତଦନ୍ତ ପାଇଁ ୬ କୋଟି ୧୯ ଲକ୍ଷରୁ ଅଧିକ ଟଙ୍କା ସରକାରୀ ତହବିଲରୁ ଗଲାଣି। ରାଜ୍ୟରେ କୌଣସି ବିଚାରବିଭାଗୀୟ ତଦନ୍ତରେ ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେବା ଘଟଣା ପ୍ରଥମ। ଅନ୍ୟପକ୍ଷରେ ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଏ ପର୍ଯ୍ୟନ୍ତ ତଦନ୍ତ ସଂପୂର୍ଣ୍ଣ ହୋଇ ପାରି ନାହିଁ। କମିସନ୍ ଏ ପର୍ଯ୍ୟନ୍ତ ପ୍ରଦାନ କରିଥିବା ଅନ୍ତରୀଣ ରିପୋର୍ଟ ମଧ୍ୟ ସାର୍ବଜନୀନ କରାଯାଉ ନାହିଁ। ରିପୋର୍ଟରେ କଣ ପରାମର୍ଶ ସବୁ ରହିଛି ତାହା ତଦନ୍ତର ଦଶ ବର୍ଷ ପରେ ମଧ୍ୟ ଜଣା ପଡୁ ନାହିଁ। ଚିଟଫଣ୍ଡ କେଳେଙ୍କାରୀରେ ସଂପୃକ୍ତ ଥିବା ବ୍ୟକ୍ତି ଅଥବା ଅନୁଷ୍ଠାନ ସଂପର୍କରେ ତଦନ୍ତ ରିପୋର୍ଟରେ କଣ ରହିଛି ଓ କଣ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦିଆଯାଇଛି ସେ ସବୁ ଫାଇଲ୍ ଭିତରେ ରହି ଯାଇଛି।