ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ଖଣ୍ଡପୀଠ ପ୍ରତିଷ୍ଠା ଦାବି ପାଇଁ ନାଗରିକ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଯୋରଦାର କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଭାଗବତ ପ୍ରସାଦ ନନ୍ଦଙ୍କ ଅବର୍ତ୍ତମାନରେ କମିଟିର ନୂତନ ଆବାହକ ଭାବରେ ଅରବିନ୍ଦ ମହାପାତ୍ରଙ୍କୁ ମନୋନୀତ କରାଯାଇଛି। ନୂତନ ମନୋନୀତ ଆବାହକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶଂକର ପ୍ରସାଦ ପତି, ଶିବ ପ୍ରସାଦ ମେହେର, ବେଣୁଧର ଦାଶ, ଜଗଦୀଶ ବିଶ୍ବାଳ, ଦୀପକ କୁମାର ପଣ୍ଡା, ଗୋକୁଳ ମେହେର ପ୍ରମୁଖ ବକ୍ତବ୍ୟ ରଖିଥିଲେ।

Advertisment

ନିମନ୍ତ୍ରିତ ହୋଇ ଆସିଥିବା ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ଵର ମିଶ୍ର ଏହି ଆନ୍ଦୋଳନର ପୃଷ୍ଠଭୂମି ଏବଂ ବର୍ତ୍ତମାନର ସ୍ଥିତି ବାବଦରେ ସାରଗର୍ଭକ ଭାବରେ କହିଥିଲେ। କେନ୍ଦ୍ର ସରକାରଙ୍କ ପତ୍ର ଅନୁସାରେ ରାଜ୍ୟ ସରକାର ତୁରନ୍ତ ସଂପୂର୍ଣ୍ଣ ତଥା ସମନ୍ବିତ ପ୍ରସ୍ତାବ ପଠାଇବା ଏବଂ ସରକାର ଗଠନ କରିଥିବା ଉଚ୍ଚକ୍ଷମତା ସମ୍ପନ୍ନ ସଚିବସ୍ତରୀୟ କମିଟିକୁ କ୍ରିୟାଶୀଳ କରିବା ପାଇଁ ଦାବି କରାଯାଇଛି। ମାନ୍ୟବର ହାଇକୋର୍ଟଙ୍କୁ ତାଙ୍କର ମତାମତ ଶୀଘ୍ର ପଠାଇବାକୁ ନିବେଦନ କରାଯାଇଛି। ଦଳମତ ନିର୍ବିଶେଷରେ ତଳସ୍ତର ପର୍ଯ୍ୟନ୍ତ ଅଂଚଳର ରାଜନୈତିକ ନେତା, କର୍ମୀ ଓ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ ଆନ୍ଦୋଳନରେ ସାମିଲ କରିବାକୁ ସ୍ଥିର କରାଯାଇଛି। ନାଗରିକ କମିଟି ବ୍ରହ୍ମପୁରର ନାଗରିକମାନଙ୍କ ସହ ସମନ୍ବୟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି। ନାଗରିକ କମିଟିର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ହୋତା ସ୍ବାଗତ ଭାଷଣ ଦେଇଥିବା ବେଳେ ସରୋଜ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।