କେନ୍ଦୁଝର: କେନ୍ଦୁଝର ସହର ଚାରିପାଖରେ ପୂର୍ବରୁ ଘଞ୍ଚ ଜଙ୍ଗଲ ଥିଲା। ପାହାଡ଼, ଝରଣା ସହିତ ଶାଳଜଙ୍ଗଲର ସବୁଜିମା ସହରକୁ ଏକ ଭିନ୍ନ ପରିଚୟ ଦେଉଥିଲା। ଖରାଦିନେ ଏଠାରେ ବିଶେଷ ଗରମ ଅନୁଭୂତ ହେଉ ନଥିଲା। କିନ୍ତୁ ଏବେ ଆଉ ସେ ସମୟ ନାହିଁ। ସହର ଚାରିପାଖରେ ଥିବା ପାହାଡ଼ ସବୁ ବୃକ୍ଷଶୂନ୍ୟ ହୋଇ ନଣ୍ଡା ହୋଇଯାଇଛି। କିଛି ପାହାଡ଼ରେ ମାଫିଆମାନେ ମେସିନ୍ ଲଗାଇ ପଥର ଫଟାଇ ବୋହି ନେଲେଣି। ଯେଉଁଥିପାଇଁ ଦିନକୁ ଦିନ ସହରର ତାପମାତ୍ର ବଢ଼ିବାରେ ଲାଗିଛି। ଫଳରେ ଗ୍ରୀଷ୍ମ ଆରମ୍ଭରୁ ସହରର ତାପମାତ୍ରା ୩୫ ଡିଗ୍ରି ଛୁଇଁଛି।
କେନ୍ଦୁଝର ସହର ଉପକଣ୍ଠର ଉତ୍ତର ଦିଗରେ ରହିଛି ତୁଳସୀଚଉରା, ହରିଡ଼ାଗୋଠ, ଶିରୀଷପାଳ, ବଳଭଦ୍ରପୁର, କୋଡ଼ିପଶା ଆଦି ଗ୍ରାମ। ଏହି ସମସ୍ତ ଗ୍ରାମ ନିକଟରେ ଗୋଟିଏ ଗୋଟିଏ ପାହାଡ଼ ରହିଛି। ତୁଳସୀଚଉରା ପାଖରେ ଧନେଇ ହୁଡ଼ି ଓ ପଟୁଆ ହୁଡ଼ି ରହିଛି। ନଣ୍ଡା ପାହାଡ଼କୁ ସ୍ଥାନୀୟ ଭାଷାରେ ହୁଡ଼ି କୁହାଯାଉଛି। ସେହିପରି, ବଳଭଦ୍ରପୁର, କୋଡ଼ିପଶା, ପୋକରାପାଣି ନିକଟରେ ରହିଛି ଚୁଳିଆ ପାହାଡ଼। ସରାସ ଓ ଠାକୁରପାଟଣା ପାଖରେ ରହିଛି ମନଭଙ୍ଗା ପାହାଡ଼। ସହରର ପଶ୍ଚିମ ଦିଗରେ ଥିବା ପୌରପାଳିକାର ୧ ନମ୍ବର ୱାର୍ଡ ସମାଧିସାହି, ଖିଡ଼ିକିଦୁଆର ସାହି, ନଳାଘାଟସାହି ପଛରେ ରହିଛି ଇନ୍ଦ୍ରଛତ୍ର ପାହାଡ଼, ଜୁଇଘର, ବାରାସି ପାଖରେ ଲକ୍ଷ୍ମୀପାଦ ପାହାଡ଼। ଜୁଡ଼ିଆଘାଟି ପାହାଡ଼ ମଧ୍ୟ ରହିଛି। ସହରର ପଶ୍ଚିମ-ଦକ୍ଷିଣ ଦିଗରେ ଜାମୁନାଳିଆରେ ରହିଛି ଜାମୁନାଳିଆ ହୁଡ଼ି। ୧୫ ନମ୍ବର ୱାର୍ଡ ଧ୍ରୁପଦା ଗାଁରେ ରହିଛି ଧ୍ରୁପଦା ହୁଡ଼ି। ଯାହା ଧ୍ରୁପଦାଠାରୁ ରାଜବନ୍ଧ ପର୍ଯ୍ୟନ୍ତ ଲମ୍ବିଛି। ସେହିପରି ଧ୍ରୁପଦା ଗାଁ ନିକଟ ବାଲିଆଗୋଡ଼ାରେ ବାଲିଆଗୋଡ଼ା ହୁଡ଼ି ଏବଂ ଦକ୍ଷିଣ ଦିଗରେ ନେଲୁଙ୍ଗ ହୁଡ଼ି ରହିଛି।
ଏ ସମସ୍ତ ପାହାଡ଼ ସହର ପରିସୀମାର ୫ କିଲୋମିଟର ମଧ୍ୟରେ ରହିଛି। ମାତ୍ର ପାହାଡ଼ଗୁଡ଼ିକର ସୁରକ୍ଷା ଯେଭଳି ଭାବେ କରାଯିବା କଥା ତାହା କରାଯାଉ ନାହିଁ। ଦିନଥିଲା ଏଠାରେ ବାର୍ହା, ଭାଲୁ, କଲରାପତରିଆ ବାଘ, କୁଟ୍ରା ଆଦି ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ରହୁଥିଲେ। ବର୍ତ୍ତମାନ ପାହାଡ଼ ଗୁଡ଼ିକ ବୃକ୍ଷଶୂନ୍ୟ ହୋଇଯିବା ସହ ଏଠାରେ ଆଉ ବନ୍ୟଜନ୍ତୁ ଦେଖିବାକୁ ମିଳୁ ନାହାନ୍ତି। ଜାମୁନାଳିଆ ପାହାଡ଼ ତଳେ ରହିଛି ଓଡ଼ିଶାର ପ୍ରସିଦ୍ଧ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ। ଏଠାରୁ ଦିନରାତି ପଥର ଚାଲାଣ ହେଉଛି। କିଛି ମାଫିଆ ଏଠାରୁ ଚୋରାରେ ପଥର ଚାଲାଣ କରୁଥିବା ବେଳେ ଆଉକିଛି ସରକାରୀ ଅନୁମତି ନେଇ ପଥର ବିକ୍ରି କରୁଛନ୍ତି। ଏଠାରେ ବୃକ୍ଷରୋପଣ କରାଯାଉ ନାହିଁ । ପୁନଃ ବନୀକରଣ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଧ୍ରୁପଦା ହୁଡ଼ିର ମଧ୍ୟ ଦିନରାତି ପଥର ଫଟା ଯାଉଥିବାରୁ ଏଠାରେ ଗଛ ନାହିଁ। ଏଠାରେ ବନୀକରଣ କରାଗଲେ ପୁଣି ସବୁଜିମା ଲହଡ଼ି ମାରିବ। ମାତ୍ର ସେପରି ଉଦ୍ୟମ ହେଉନି। ନେଲୁଙ୍ଗ ହୁଡ଼ିରୁ ନିୟମିତ ପଥର ଚୋରା ଚାଲାଣ ଓ ଗଛକଟା ଯୋଗୁଁ ଏଠାରେ ବନ୍ୟଜନ୍ତୁ ରହିବା ସ୍ଥିତିରେ ନାହାନ୍ତି। ଆଉ କିଛିଦିନ ପରେ ଏହା ଏକପ୍ରକାର ବୃକ୍ଷଶୂନ୍ୟ ହୋଇଯିବ। ଏ ସମ୍ପର୍କରେ କେନ୍ଦୁଝର ସହରର ବରିଷ୍ଠ ନାଗରିକ ଜୟକୃଷ୍ଣ ପଣ୍ଡା କୁହନ୍ତି, ପାହାଡ଼ ଓ ଘଞ୍ଚ ଜଙ୍ଗଲ ଭିତରେ କେନ୍ଦୁଝର ସହର ଥିଲା। ପାହାଡ଼ ଗୁଡ଼ିକ ବୃକ୍ଷଶୂନ୍ୟ ହେଲେଣି। ପ୍ରଶାସନ ପକ୍ଷରୁ ଏସବୁ ପାହାଡ଼ରେ ବନୀକରଣ ପାଇଁ ସ୍ବତନ୍ତ୍ର ଯୋଜନା କରା ନଗଲେ ଆଗାମୀ ଦିନରେ କେନ୍ଦୁଝର ଏକ ଉତ୍ତପ୍ତ ସହର ପାଲଟିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/sfhsfhsfhsfhsfh.jpg)