ବାରିପଦା: କରୋନା ମହାମାରୀ ପାଇଁ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ୨ବର୍ଷ ହେଲା ସ୍ଥଗିତ ରହିଥିଲା। ତେବେ ଏଥର କଟକଣା ନଥିବାରୁ ମହା ଆଡ଼ମ୍ବରରେ ରଥଯାତ୍ରା ଅନୁଷ୍ଠିତ ହେବାକୁଯାଉଛି। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ପରିଲକ୍ଷିତ ହେଉଥିବା ବେଳେ ଘୋଷଯାତ୍ରା ପାଇଁ ସଜେଇ ହେଲାଣି ବାରିପଦା ସହର। ରଥଯାତ୍ରାଠାରୁ ୧ ମାସ ଧରି ବାରିପଦା ସହରରେ ଗହଳିଚହଳି ଲାଗିରହିବ। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି ଚାଲିଛି। ପୌରପରିଷଦ ପକ୍ଷରୁ ସହରରେ ସଫାସୁତରା କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି। ବିନା ଟେଣ୍ଡରରେ ହେଉ ପଛେ, ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ୍‌ ଓ ରାସ୍ତା ମରାମତି କାମ ଜାରି ରହିଛି। ନଗରପାଳ ଓ କାଉନସିଲରମାନେ ବୁଲି ବୁଲି କାମର ତଦାରଖ କରୁଛନ୍ତି। ଜଗନ୍ନାଥ ମନ୍ଦିରଠାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଦୁଇ ପାର୍ଶ୍ବରୁ ଉଠା ଦୋକାନୀମାନଙ୍କୁ ହଠାଇ ଦିଆଯାଇଛି।

Advertisment

ଜୁଲାଇ ୧ରେ ପୁରୀ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ‌ହେବ। ହେଲେ ପରମ୍ପରା ଅନୁଯାୟୀ ବାରିପଦାରେ ଏହାର ପରଦିନ ଅର୍ଥାତ ଜୁଲାଇ ୨ରେ ହେବ ରଥଯଣା। ଜୁଲାଇ ୧ରେ ଠାକୁରଙ୍କ ପହଣ୍ଡି ବିଜେ ହେବାର ବିଧି ରହିଛି। ୨ ତାରିଖରେ ରଥ ଟଣାଯିବ। ଏଠାରେ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବାର ପରମ୍ପରା ରହିଛି। ରଥପାଇଁ ହାତରେ ଆଉ ୩ଦିନ ଥିବା ବେଳେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ରହିଛି। ନିର୍ମାଣ କାମ ପ୍ରାୟ ୯୦ ପ୍ରତିଶତ ଶେଷ ହେଲାଣି ବୋଲି କହିଛନ୍ତି ମୁଖ୍ୟ ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର। ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହରିଶ୍ଚନ୍ଦ୍ର ମହାରଣା, ହରିମୋହନ ମହାରଣା, ରବୀନ୍ଦ୍ର ମହାରଣା, କ୍ଷୀତିଶଚନ୍ଦ୍ର ମହାରଣା ଓ ଆଲୋକନାଥ ମହାରଣା ପ୍ରମୁଖ ରଥ ନିର୍ମାଣ କାମରେ ଲାଗିପଡ଼ିଛନ୍ତି। ତେବେ ଚଳିତ ବର୍ଷ ରଥ କାଠ ଆସିବାରେ ବିଳମ୍ବ ହୋଇଥିଲା। ପ୍ରଶାସନର ଖାମଖିଆଲି ମନୋଭାବ ପାଇଁ ଏମିତି ସ୍ଥିତି ଉପୁଜିଥିଲା। ନହେଲେ ଏତେବେଳକୁ ରଥ ନିର୍ମାଣ କାମ ଶେଷ ହୋଇ ସାରିଥାନ୍ତା ବୋଲି କାରୀଗରମାନେ କହିଛନ୍ତି। ଏପଟେ ରଥଯାତ୍ରା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ସହରର ପ୍ରବେଶ ପଥରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି।