ରାଉରକେଲା : ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ସ୍ମାର୍ଟସିଟିରେ ନିର୍ମାଣ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଟ୍ରାନ୍ସପୋର୍ଟ ନଗର। କିନ୍ତୁ ରାଜ୍ୟ ସରକାର ନୁହେଁ, ଏହାକୁ ନିର୍ମାଣ କରିବ ଏକ ଘରୋଇ ସଂସ୍ଥା । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୨ ଏକର ସରକାରୀ ଜାଗା ଯୋଗାଇ ଦେବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ମାସେ କିମ୍ବା ଦୁଇ ମାସ ମଧ୍ୟରେ ନିର୍ମାଣ କାମ ଆରମ୍ଭ ହେବାକୁ ଯାଉଛି। ଟ୍ରାନ୍ସପୋର୍ଟ ନଗରରେ ପାଖାପାଖି ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବାକୁ ଯୋଜନା ରହିଛି। ଏହି ପରିସର ଭିତରେ ହୋଟେଲ, ଅତ୍ୟାଧୁନିକ ଗ୍ୟାରେଜ୍, ଖାଇବା ହୋଟେଲ, ଟାୟାର ଦୋକାନ, ମୋବିଲ ଦୋକାନ, ଗାଡି ଯନ୍ତ୍ରପାତି ସରଞ୍ଜାମ ସହ ଅନ୍ୟାନ୍ୟ ଦୋକାନ ରହିବ।
/sambad/media/post_attachments/wp-content/uploads/2021/09/5ea21705-f0fa-4b17-b2d8-b73c7c9e1fb1.jpg)
ଗୋଟିଏ ଜାଗାରେ ଯେମିତି ଗାଡି ମାଲିକମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ହେବ, ସେହି ବ୍ୟବସ୍ଥା କରାଯାଉଛି। ଟ୍ରାନ୍ସପୋର୍ଟ ନଗରରେ ଏକକାଳୀନ ୧ ହଜାରରୁ ଅଧିକ ଟ୍ରକ୍, ଟିପ୍ପର ଓ ଡମ୍ପରର ପାର୍କିଂ ବ୍ୟବସ୍ଥା ରହିବ। ଟ୍ରାନ୍ସପୋର୍ଟ ନଗର ହେବା ପରେ ଟ୍ରାଫିକ୍ ସମସ୍ୟା କମିବ, ଗାଡିଗୁଡିକର ଚୋରିକୁ ସମ୍ପୂର୍ଣ୍ଣ ରୋକାଯାଇପାରିବ। ବିଶେଷ କରି ଉଭୟ ଗାଡି ଚାଳକ ଓ ମାଲିକମାନେ ଉପକୃତ ହେବେ। ପ୍ରାୟ ୧୦ ବର୍ଷ ପରେ ବହୁ ପ୍ରତୀକ୍ଷିତ ଦାବି ପୂରଣ ହେବାକୁ ଯାଉଥିବାରୁ ଗାଡି ମାଲିକଙ୍କ ମୁହଁରେ ହସ ଫୁଟିଛି। ଟ୍ରାଫିକ୍ ସମସ୍ୟା ଅଡୁଆରୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଆଶ୍ବସ୍ତି ମିଳିବ। ପରବର୍ତ୍ତୀ ପର୍ଯ୍ୟାୟରେ କୋଇଡା, ସୁନ୍ଦରଗଡ ଓ ରାଜଗାଙ୍ଗପୁରରେ ଅନୁରୂପ ଟ୍ରାନ୍ସପୋର୍ଟ ନଗର ହେବାକୁ ମଧ୍ୟ ପ୍ରସ୍ତାବ ରହିଛି।
/sambad/media/post_attachments/wp-content/uploads/2021/09/7fa45cb2-0bff-473d-8820-b49d8b5f1326.jpg)
ଉଲ୍ଲେଖଯୋଗ୍ୟ, ରାଉରକେଲା ଓ ଏହାର ଆଖପାଖରେ ଦୈନିକ ୪ ହଜାରରୁ ଅଧିକ ଟ୍ରକ, ଟିପ୍ପର ଓ ଡମ୍ପର ଚଳାଚଳ କରୁଛି। ଏହାଛଡା ରାଜ୍ୟ ଓ ରାଜ୍ୟ ବାହାରୁ ଆହୁରି ଶହ ଶହ ଟ୍ରକ ରାଉରକେଲା ସହରକୁ ଆସୁଛନ୍ତି। ସହର ଭିତରେ ଗାଡି ପାର୍କିଂର ବିକଳ୍ପ ବ୍ୟବସ୍ଥା ନଥିବାରୁ ଦୈନନ୍ଦିନ ଶତାଧିକ ଟ୍ରକ, ଟିପ୍ପର ଓ ଡମ୍ପରଗୁଡ଼ିକ ଜାତୀୟ ରାଜପଥ ପାର୍ଶ୍ବରେ ଛିଡା ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ଗାଡିଗୁଡ଼ିକ ଛିଡା ହେବାରୁ ଟ୍ରାଫିକ୍ ସମସ୍ୟା ଜଟିଳ ହେଉଛି। ଛୋଟ ବଡ ଦୁର୍ଘଟଣାମାନ ଘଟୁଛି। ସଂଧ୍ୟା ସମୟରେ ବେଦବ୍ୟାସ ଓ ପାନପୋଷ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ସଙ୍ଗୀନ ହୋଇ ପଡୁଛି। ସହର ଭିତରେ ଓ ବାହାରେ ଟ୍ରାଫିକ୍ ସମସ୍ୟା ଏଡାଇବାକୁ ରାଉରକେଲା ଗୁଡ୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଆସୋସିଏସନ, ବେଦବ୍ୟାସ ଟ୍ରକ ସଂଘ, ରାଉରକେଲା ଟ୍ରକ୍ ଓ ଟିପ୍ପର ଆସୋସିଏସନ ଟ୍ରାନ୍ସପୋର୍ଟ ନଗର ପ୍ରତିଷ୍ଠା ପାଇଁ ସରକାରଙ୍କ ଓ ଜଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଥିଲେ।
ପ୍ରାୟ ୧୦ ବର୍ଷ ତଳେ ବେଦବ୍ୟାସ ରାଜପଥ ପାର୍ଶ୍ବ ବେଲଡିହି ନିକଟରେ ୧୨ ଏକର ଜାଗାରେ ଟ୍ରାନ୍ସପୋର୍ଟ ନଗର ପ୍ରତିଷ୍ଠା କରିବାକୁ ଜିଲ୍ଲା ପ୍ରଶାସନ ରାଜି ହୋଇଥିଲେ। ପ୍ରଥମ ପର୍ଯ୍ୟାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଗତ ୨୦୧୯ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ମାଣ କାମ ଆରମ୍ଭ ମଧ୍ୟ କରାଯାଇଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ କଡା ବିରୋଧ ଯୋଗୁ ନିର୍ମାଣ ଆଗକୁ ବଢ଼ି ପାରି ନଥିଲା। ବର୍ଷକ ପରେ, ଅର୍ଥାତ୍ ୨୦୨୦ରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ରାଉରକେଲା ଗସ୍ତ ଅବସରରେ ପ୍ରସ୍ତାବିତ ଟ୍ରାନ୍ସପୋର୍ଟନଗର ସ୍ଥଳ ବୁଲି ଦେଖିଥିଲେ ଓ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ସବୁଜ ସଙ୍କେତ ଦେଇଥିଲେ। ଜିଲ୍ଲା ପ୍ରଶାସନ ଟ୍ରାନ୍ସପୋର୍ଟ ନଗର ନିଜେ ନିର୍ମାଣ କରିବା ପରିବର୍ତ୍ତେ ଘରୋଇ ସଂସ୍ଥାକୁ ଦେବାକୁ ନିଷ୍ପତ୍ତି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/d74966ff-ffae-488a-9aab-6ab1184902ec.jpg)