ଭଦ୍ରକ/ଧାମନଗର: ମୃତ ଅଧ୍ୟାପକଙ୍କ ପରିବାରକୁ ପେନ୍ସନ୍, ଗ୍ରାଚ୍ୟୁଟି ଓ ମୃତ୍ୟୁକାଳୀନ ସହାୟତା ରାଶି କରାଇଦେବା ଲାଗି ଲାଞ୍ଚ ନେଉଥିବା ବେଳେ ଭଦ୍ରକ ଜିଲ୍ଲା ଧୁଷୁରୀସ୍ଥିତ ସାଆଁଳପୁର ଇନ୍ଦିରା ଗାନ୍ଧୀ ମେମୋରିଆଲ ଜୁନିୟର୍ କଲେଜ (ଆଇଜିଏମ୍ଏସ୍ଏସ୍)ର କନିଷ୍ଠ କିରାଣି ପ୍ରଭାତ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସାଆଁଳପୁର ଆଇଜିଏମ୍ଏସ୍ଏସ୍ କଲେଜରେ ପଥରଡ଼ିହି ଗ୍ରାମର ପ୍ରଫୁଲ୍ଲ ପୃଷ୍ଟି ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ୨୦୨୦ ମସିହାରେ ତାଙ୍କର ହୃଦ୍ଘାତରେ ପରଲୋକ ହୋଇ ଯାଇଥିଲା। ମୃତ୍ୟୁର ଅନେକ ଦିନ ପରେ ବି ଶ୍ରୀ ପୃଷ୍ଟିଙ୍କ ପରିବାର ପେନ୍ସନ୍, ଗ୍ରାଚ୍ୟୁଟି ଓ ମୃତ୍ୟୁକାଳୀନ ସହାୟତା ରାଶି ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ହୋଇ ପାରୁନଥିଲା। ଏ ସଂକ୍ରାନ୍ତରେ ପରିବାର ଲୋକ ବାରମ୍ବାର ଦୌଡ଼ିବା ସତ୍ତ୍ବେ କଲେଜ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁନଥିଲେ।
ଏହି ସମୟରେ କଲେଜର କନିଷ୍ଠ କିରାଣି ତଥା ଇନ୍ଚାର୍ଜ ସେକ୍ସନ୍ ଅଫିସର ପ୍ରଭାତ ନାୟକ ପେନ୍ସନ୍ ଓ ଆର୍ଥିକ ସହାୟତା ପାଇଁ କାଗଜପତ୍ର କରାଇ ଦେବେ କହି ଶ୍ରୀ ପୃଷ୍ଟିଙ୍କ ପରିବାର ଲୋକଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଅପରାହ୍ନ ୨ଟା ବେଳେ ଭଦ୍ରକ ଆରଡି ଛକ ନିକଟରେ ମୃତ ଅଧ୍ୟାପକଙ୍କ ପୁଅ ପୀୟୁଷ ପ୍ରତୀକ ପୃଷ୍ଟିଙ୍କଠାରୁ କିରାଣି ଶ୍ରୀ ନାୟକ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ଭଦ୍ରକ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା।
ଏ ସଂକ୍ରାନ୍ତରେ ଭିଜିଲାନ୍ସ ପକ୍ଷରୁ କେସ୍ ନଂ ୧୧/୨୨ରେ ଏକ ମାମଲା ରୁଜୁ ହୋଇ ଶ୍ରୀ ନାୟକଙ୍କୁ ବାଲେଶ୍ବର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ କଲେଜ ସହ ଶ୍ରୀ ନାୟକଙ୍କ ଘରେ ଯାଞ୍ଚ ହୋଇଥିବା ଜଣାପଡ଼ିଛି।