ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡରେ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ଏହି ବନ୍ୟାଜଳରେ ଗଣ୍ଡରେ ଥିବା କେତେକ ଘଡ଼ିଆଳ ଶାବକଙ୍କ ସହିତ ପ୍ରାପ୍ତବୟସ୍କ ଘଡ଼ିଆଳ ମଧ୍ୟ ଭାସିଯାଇଥିବା କୁହାଯାଉଛି। ଶନିବାର କଟକ କାଠଯୋଡ଼ି ନଦୀ କହ୍ନେଇପଡ଼ା ପଠାରେ ଏକ ୧୦ ଫୁଟ୍‌ର ଘଡ଼ିଆଳକୁ ଠାବ କରାଯାଇଥିଲା। ବନ୍ୟାପାଣିରୁ ଘଡ଼ିଆଳ ଶାବକମାନଙ୍କୁ ସୁରକ୍ଷିତ ରଖିବାକୁ ବନ ବିଭାଗ ପକ୍ଷରୁ ଚଳିତବର୍ଷ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ସେଥିମଧ୍ୟରୁ କେତେକଙ୍କ ପତ୍ତା ମିଳୁନାହିଁ। କଟକ କାଠଯୋଡ଼ିରେ ଦେଖାଯାଇଥିବା ଘଡ଼ିଆଳଟି ଟିକରପଡ଼ାରୁ ଭାସି ଯାଇଥିବା ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ସାତକୋଶିଆର ମହାନଦୀ ଗଣ୍ଡରେ ଚାରି ବର୍ଷ ହେଳା ମା’କୁମ୍ଭୀର ଅଣ୍ଡା ଦେଇଆସୁଛି। ସେଥିରୁ ସୁରକ୍ଷିତ ଭାବରେ ଛୁଆ ମଧ୍ୟ ଫୁଟୁଛି। କିନ୍ତୁ ସେହି ଛୁଆମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଥିଲେ ମଧ୍ୟ ବିଭିନ୍ନ କାରଣରୁ ଶାବକମାନମାନେ ଅସୁରକ୍ଷିତ ହୋଇପଡ଼ୁଛନ୍ତି। ଚଳିତବର୍ଷ ମେ’ ମାସରେ ୩୫ଟି ଘଡ଼ିଆଳ ଛୁଆ ଅଣ୍ଡାରୁ ଫୁଟିଥିଲେ। ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ୩ଟି ଟିମ୍ ଗଠନ କରି ସେଠାରେ କ୍ୟାମେରା ଖଞ୍ଜିବା ସହ ଡଙ୍ଗା ମାଧ୍ୟମରେ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ତେବେ ପ୍ରତିବର୍ଷ ମହାନଦୀରେ ବନ୍ୟା ଆସିଲେ ଘଡ଼ିଆଳ ଶାବକମାନେ ତଳ ମୁଣ୍ଡକୁ ଭାସି ଯାଇଥା’ନ୍ତି। ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। କିନ୍ତୁ ଚଳିତବର୍ଷ ଏହି ଶାବକମାନଙ୍କୁ ବନ୍ୟାଜଳରୁ ସୁରକ୍ଷିତ ରଖିବାକୁ କେଜ୍ ନିର୍ମାଣ କରାଯାଇଥିଲା। ଲଗାଣ ବର୍ଷା ପରେ ୧୨ ଟି ଶାବକଙ୍କୁ ମହାନଦୀରୁ ଉଦ୍ଧାର କରାଯାଇ କେଜ୍ ମଧ୍ୟକୁ ଅଣାଯାଇଥିଲା। କିନ୍ତୁ ଘଡ଼ିଆଳ ଶାବକମାନେ ବଡ଼ ହୋଇ ଯାଇଥିବାରୁ ସମସ୍ତ ଶାବକଙ୍କୁ କେଜ୍ ମଧ୍ୟକୁ ବନ ବିଭାଗ ଆଣିପାରି ନଥିଲା। ସେପଟେ ୨୮ ତାରିଖ ଦିନ ହୀରାକୁଦ ଜଳ ଭଣ୍ଡାରର ୨୦ଟି ଫାଟକ ଦେଇ ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଥିଲା। ବନ୍ୟାଜଳ ସାତକୋଶିଆ ଗଣ୍ଡ ଦେଇ ପ୍ରବାହିତ ହୋଇଥିବା ବେଳେ କେତେକ ଘଡ଼ିଆଳ ଶାବକ ବନ୍ୟା ପାଣିରେ ତଳମୁଣ୍ଡକୁ ଭାସି ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଶନିବାର କଟକଠାରେ ଠାବ ହୋଇଥିବା ଘଡ଼ିଆଳ ସାତକୋଶିଆ ଗଣ୍ଡରୁ ବନ୍ୟାଜଳରେ ଭାସିଯାଇଛି। ଏ ସମ୍ପର୍କରେ ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ, ଏବେ ଘଡ଼ିଆଳ ଶାବକଙ୍କ ସଂଖ୍ୟା କେତେ ରହିଛି କହିହେବ ନାହିଁ। ମହାନଦୀର ଜଳସ୍ତର କମି ନଥିବାରୁ କୁମ୍ଭୀର ଶାବକମାନଙ୍କୁ ଠାବ କରାଯିବା ସମ୍ଭବ ହୋଇ ପାରିନାହିଁ। ଜଳସ୍ତର କମିବା ପରେ ସେମାନଙ୍କୁ ଠାବ କରାଯିବ।