ରାୟଗଡା/ମୁନିଗୁଡା/ଚନ୍ଦ୍ରପୁର/ ମୋହନା/ମ. ରାମପୁର : ପୂର୍ବ ଘୋଷଣା ଅନୁସାରେ ସିପିଆଇ (ମାଓବାଦୀ) ବିଜିଏନ୍ ଡିଭିଜନାଲ କମିଟି ପକ୍ଷରୁ ସୋମବାର ଦିନ ୭ଟି ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି। ଯାହାର ପ୍ରଭାବ ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପଡ଼ିଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ, ମାଓବାଦୀମାନେ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁରରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ପଙ୍କାଳଗୁଡି ରାସ୍ତାରେ ଗଛ କାଟି ପକାଇ ରାସ୍ତା ଅବରୋଧ କରିଥିଲେ। ଏଥିସହିତ, ବିଭିନ୍ନ ସ୍ଥାନରେ ବ୍ୟାନର ସହ ପୋଷ୍ଟର ଲଗାଇଛନ୍ତି। ଗଜପତିରେ ବି ମାଓବାଦୀ ନିଜ ଉପସ୍ଥିତି ଜାହିର କରିଛନ୍ତି। ମୋହନା ବ୍ଲକ୍ର ଗରଡ଼ମା ପଞ୍ଚାୟତର କିଛି ଅଞ୍ଚଳରେ ମାଓବାଦୀଙ୍କ ପକ୍ଷରୁ ପୋଷ୍ଟର୍ ଓ ବ୍ୟାନର୍ ଲଗାଯାଇଥିବା ଦେଖିବାକୁ ମିଳିଛି। ଏପରିକି କିଛି ସ୍ଥାନରେ ମାଓବାଦୀ ବ୍ୟାନର୍ ଟାଙ୍ଗିବା ସହିତ ଗଛକାଟି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି।
ସେହିଭଳି, କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁରର ବାରବନ୍ଧା ଓ ଡୁଡକାରଙ୍କାର ବିଭିନ୍ନ ସ୍ଥାନ ସମେତ ରାସ୍ତା ଓ ଛକମାନଙ୍କରେ ପୁଣି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପୁଲିସକୁ ସହଯୋଗ କରି ଜୀବନ ନ ହରାଇ ମାଓବାଦୀଙ୍କୁ ସମର୍ଥନ କରିବା, ଅଧିକ ମାତ୍ରାରେ ଦଳରେ ସାମିଲ ହେବାକୁ ନିବେଦନ କରାଯାଇଥିବା ଦେଖିବାକୁ ମିଳିଛି। ଫଳରେ ଏହାକୁ ନେଇ ଲୋକେ ଅଧିକ ଭୟଭୀତ ହୋଇପଡ଼ିଥିବା ଜଣାପଡ଼ିଛି।