ଭୁବନେଶ୍ବର: ଗତରାତିର କାଳବୈଶାଖୀ ବର୍ଷା ଉପକୂଳବାସୀଙ୍କୁ ଆଶ୍ବସ୍ତ କରିଛି। ଗତକାଲି ୪୦ ଡିଗ୍ରି ଉପରେ ଥିବା ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲା ଆଜି ୩୮ ଡିଗ୍ରିରୁ ତଳକୁ ଖସିଛି। ଭୁବନେଶ୍ବରର ତାପମାତ୍ରା ଅପ୍ରତ୍ୟାଶିତ ଭାବେ ୧୨ ଡିଗ୍ରି ଯାଏଁ ଖସି ଆସିଥିଲା। ଗତକାଲି ସର୍ବୋଚ୍ଚ ତାପମାତ୍ରା ୪୪.୩ ଡିଗ୍ରି ଥିବା ବେଳେ ଆଜି ୩୪.୨ଡିଗ୍ରିରେ ସୀମିତ ରହିଥିଲା। ଅନ୍ୟ ଏକ ତୁଳନା ଅନୁଯାୟୀ, ଗତକାଲି ସ୍ବାଭାବିକଠାରୁ ରାଜଧାନୀର ତାପମାତ୍ରା ୮.୮ ଡିଗ୍ରି ଅଧିକ ରହିଥିବା ବେଳେ ଆଜି ତାହା ୧.୮ ଡିଗ୍ରି କମ୍ ରହିଥିଲା। ରାଜଧାନୀବାସୀ ଶାନ୍ତିରେ ନିଃଶ୍ବାସ ମାରିଥିଲେ। ଖାଲି ରାଜଧାନୀ ନୁହେଁ, ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ଗତକାଲି ଅପେକ୍ଷା ପାଖାପାଖି ୭ରୁ ୮ଡିଗ୍ରି ଖସି ଆସିଥିଲା। କଟକର ୪୩.୨ ଡିଗ୍ରିରୁ ୩୫.୮ ଡିଗ୍ରି, ନୟାଗଡ଼ର ୪୪ ଡିଗ୍ରିରୁ ୩୫.୮ଡିଗ୍ରି ଏବଂ ଜଗତସିଂହପୁରର ୪୨.୫ ଡିଗ୍ରିରୁ ୩୩.୬ଡିଗ୍ରିକୁ ଖସି ଆସିଥିଲା।
କିନ୍ତୁ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଛି। ଗତକାଲି ଏକ ଉତ୍ତପ୍ତ ପିଣ୍ଡ ପାଲଟିଥିବା ସମ୍ବଲପୁର (୪୬.୧ଡିଗ୍ରି)ର ତାପମାତ୍ରା ପାଖାପାଖି ୨ ଡିଗ୍ରି (୪୪.୩ ଡିଗ୍ରି) ଯାଏ ଖସି ଆସିଥିଲା। କିନ୍ତୁ ଏହା ସମ୍ବଲପୁରବାସୀଙ୍କୁ ଆଶ୍ବସ୍ତି ଦେଇ ପାରିନଥିଲା। ସମ୍ବଲପୁରର ତାପମାତ୍ରା ସ୍ବାଭାବିକଠାରୁ ୬.୨ ଡିଗ୍ରି ଅଧିକ ରହିଛି। ଏହା ପଛକୁ ରାଜ୍ୟର ୧୮ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ହୀରାକୁଦରେ ୪୩.୭ ଡିଗ୍ରି, ଝାରସୁଗୁଡ଼ାରେ ୪୩.୪ ଡିଗ୍ରି, ସୁନ୍ଦରଗଡ଼ରେ ୪୨.୮ ଡିଗ୍ରି, ଦେବଗଡ଼ରେ ୪୨.୮ ଡିଗ୍ରି, ରାଉରକେଲାରେ ୪୨.୬ ଡିଗ୍ରି, ବଲାଙ୍ଗୀରରେ ୪୨.୫ଡିଗ୍ରି, ବୌଦ୍ଧରେ ୪୨.୫ ଡିଗ୍ରି, ନୂଆପଡ଼ାରେ ୪୨ ଡିଗ୍ରି ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ରାଜ୍ୟରେ ଆସନ୍ତା ୧୭ ତାରିଖ ଯାଏ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଅଂଶୁଘାତଜନିତ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ମୟୂଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ୧୫ ତାରିଖ ଦିନ ଗ୍ରୀଷ୍ମପ୍ରବାହ ବଢ଼ିବ। ଏଣୁ ସେଦିନ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଅଞ୍ଚଳ ପାଇଁ ଅଂଶୁଘାତଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ସେ ଦିନ ପାଇଁ ଅନୁଗୁଳ,ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ଅଂଶୁଘାତ ପାଇଁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୧୭ ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪ରୁ ୬ ଡିଗ୍ରି ଯାଏ ଅଧିକ ରହିବ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଗତକାଲିର କାଳବୈଶାଖୀ ବର୍ଷା ଯୋଗୁଁ ସାମୟିକ ଆଶ୍ବସ୍ତି ମିଳିଛି। ବୁଧବାରଠୁ ପୁଣି ତାତି ବଢ଼ିବ। ବିଭିନ୍ନ ମଡେଲରୁ ଜଣାପଡ଼ୁଛି, ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗରମ ରହିବ। ଏହା ପର ୫ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫ରୁ ୩୯ ଡିଗ୍ରି ମଧ୍ୟରେ ରହିବ। ୧୮ରୁ ୨୧ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରର ୩ କିମି ଊର୍ଦ୍ଧ୍ବରେ ଏକ ଘୂର୍ଣ୍ଣିବଳୟ ଯୋଗୁଁ ସାମୁଦ୍ରିକ ପବନ ଓଡ଼ିଶାକୁ ଆସିବ ଏବଂ ୧୯ରୁ ୨୧ ତାରିଖ ମଧ୍ୟରେ ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ବିସ୍ତୃତ ଅଞ୍ଚଳରେ ହେବ। ପାଖାପାଖି ୧୨ରୁ ୧୮ ମିମି ହେବ। ଜୁନ୍ ଚତୁର୍ଥ ସପ୍ତାହରେ ବଙ୍ଗୋପସାଗରୀୟ ଶାଖା ସକ୍ରିୟ ହେବାର ସୂଚନା ମିଳୁଛି। ଏହା ଦକ୍ଷିଣ ଭାରତରେ ଅଧିକ ବର୍ଷା କରାଇବ ଏବଂ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା କରାଇପାରେ। ସମ୍ଭବତଃ ଏହା ୫୦ରୁ ୬୦ ମିମି ମଧ୍ୟରେ ସୀମିତ ରହିବ। ଚଳିତ ମାସ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୬ ମିମି ବର୍ଷା ହୋଇଛି। ତୃତୀୟ ସପ୍ତାହରେ ସମ୍ଭବତଃ ୧୪ ମିମି ଓ ଚତୁର୍ଥ ସପ୍ତାହରେ ୫୦ ମିମି ବର୍ଷ ହିସାବକୁ ନେଲେ ଜୁନ୍ରେ ବର୍ଷା ସ୍ବାଭାବିକଠାରୁ ୬୦%ରୁ ଅଧିକ ନିଅଣ୍ଟିଆ ହୋଇପାରେ।
ରାଜ୍ୟରେ ସମ୍ଭାବ୍ୟ ଜୁନ୍ ବର୍ଷା କହୁଛି, ମଧ୍ୟମ ଓ ଖାଲ ଜମିରେ ଚତୁର୍ଥ ସପ୍ତାହରେ ଚାଷ କାମ ଆରମ୍ଭ ହେବ। ତଥାପି ନିଅଣ୍ଟିଆ ବର୍ଷା ଯୋଗୁଁ ଢିପ ଜମିରେ ବୁଣାବୁଣି କଲେ ଗଜା ମରୁଡ଼ି ହୋଇପାରେ। ଏଣୁ ଜୁଲାଇରେ ହିଁ ବୁଣାବୁଣି ଠିକ୍ ଭାବେ ଆରମ୍ଭ ହେବ। ଫଳତଃ ଚଳିତ ବର୍ଷ ଖରିଫ ଫସଲ ପାଇଁ ମୌସୁମୀ ଅବଧି ୧୫ରୁ ୨୦ ଦିନ କମିଯାଇପାରେ ବୋଲି ଡ. ପଶୁପାଳକ କହିଛନ୍ତି।