କୂଳ ଖାଉଛି ସମୁଦ୍ର, ଉଜୁଡ଼ି ଯାଉଛି ହେନ୍ତାଳ ବଣ
ଭଦ୍ରକ: ଭଦ୍ରକ ଜିଲ୍ଲାର ସମୁଦ୍ର ଉପକୂଳ ଚାନ୍ଦବାଲି ବ୍ଲକର ଧାମରା ଓ ବାସୁଦେବପୁର ବ୍ଲକର ତଟବର୍ତ୍ତୀ ଅଞ୍ଚଳ ପାଇଁ ସୁରକ୍ଷା କବଚ ଥିଲା ହେନ୍ତାଳ ବଣ ଓ ବନି ଜଙ୍ଗଲ। ଏହି ଜଙ୍ଗଲର ସୁରକ୍ଷା ପ୍ରତି ବନ ବିଭାଗ ଆଖି ବୁଜି ଦେଇଥିବାବେଳେ ଏହାର ରକ୍ଷଣାବେକ୍ଷଣ ଦିଗରେ ଆଦୌ ତତ୍ପରତା ପ୍ରକାଶ କରୁନାହିଁ। ଗତ ଦୁଇ ବର୍ଷ ତଳେ ସାମୁଦ୍ରିକ ଝଡ଼ବାତ୍ୟା ‘ୟାସ’ ପ୍ରଭାବରେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ହେନ୍ତାଳ ବଣ ନଷ୍ଟ ହୋଇଥିବା ଯୋଗୁଁ ଉପକୂଳବର୍ତ୍ତୀ ଗାଁ’ଗଣ୍ଡାକୁ ସମୁଦ୍ର ଜୁଆର ପାଣି ମାଡ଼ିଆସୁଛି। ଚାଷଜମିରେ ଲୁଣି ପାଣି ମାଡ଼ିଯିବା ଫଳରେ ଫସଲ ଉଧୋଉ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବନି ଜଙ୍ଗଲ ଓ ହେନ୍ତାଳ ବଣ ପ୍ରକୃତିକ ଉପାୟରେ ସମୁଦ୍ର କୂଳରେ ସୃଷ୍ଟି ହେଉଥିଲେ ମଧ୍ୟ ଏହାର ସୁରକ୍ଷା ବନ ବିଭାଗ କରିଥାଏ। ମାତ୍ର ଲୋକମାନେ ଚିଙ୍ଗୁଡି ଚାଷ ପାଇଁ ଏସବୁ ଅଞ୍ଚଳରେ ଥିବା ବନି ଜଙ୍ଗଲକୁ ନଷ୍ଟ କରି ଦେଉଛନ୍ତି। ଏମାନଙ୍କ ଉପରେ ଅଙ୍କୁଶ ଲଗାଯାଉନାହିଁ। ରାଜ୍ୟର ସମୁଦ୍ର ଉପକୂଳରେ ଥିବା ୨୫୧ ବର୍ଗ କିଲୋମିଟର ପରିବ୍ୟାପ୍ତ ହେନ୍ତାଳ ବଣ ଧୀରେ ଧୀରେ ଲୋପ ପାଇବାକୁ ବସିଛି। ୨୦୧୧ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୨୧ ବର୍ଗ କିଲୋମିଟର ହେନ୍ତାଳ ବଣ ନଷ୍ଟ ହୋଇଛି। ରାଜ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ୧୮୩ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଥିବା ବେଳେ ଭଦ୍ରକ ଜିଲ୍ଲାରେ ୨୧ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି। ସେହିପରି ଜଗତସିଂହପୁର ଜିଲ୍ଲାରେ ୭ ବର୍ଗ କିଲୋମିଟର ଓ ବାଲେଶ୍ବର ଜିଲ୍ଲାରେ ୨ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି। ଯେଉଁ ବଣରେ ପ୍ରାୟ ୧୬୦ ପ୍ରଜାତିର ଗୁଳ୍ମଳତା ଓ ଜୀବଜନ୍ତୁ ଦେଖାଯାଇଥାନ୍ତି। ସମୁଦ୍ର କୂଳବର୍ତ୍ତୀ ଏହି ସବୁ ଜଙ୍ଗଲକୁ କାଟି ବସତି ସ୍ଥାପନ କରାଯିବା ସହ ଚିଙ୍ଗୁଡି ଚାଷ କରି କିଛି ବେପାରୀ ମାଲେମାଲ ହେଉଛନ୍ତି। ଏହାର ସୁରକ୍ଷା କରାଯାଉନଥିବାରୁ ଉପକୂଳର ପ୍ରାକୃତିକ ଜଙ୍ଗଲ ବିଭବ କ୍ରମଶଃ ନଷ୍ଟ ହୋଇଚାଲିଛି।
ଚିଙ୍ଗୁଡ଼ି ମାଫିଆଙ୍କ ଉପରେ ରୋକ୍ ନ ଲାଗିଲେ ଆଉ କିଛି ବର୍ଷ ପରେ ଭଦ୍ରକ ସମୁଦ୍ର ଉପକୂଳ ଅଞ୍ଚଳରେ ହଜାର ହଜାର ଏକର ବନି ଜଙ୍ଗଲ ଉପରେ କେବଳ ଚିଙ୍ଗୁଡି ଘେରି ଠିଆ ହୋଇଥିବ। ବନି ଜଙ୍ଗଲ ଓ ହେନ୍ତାଳ ବଣର ସୁରକ୍ଷା ପାଇଁ ୨୦୧୦ ମସିହାରେ ଜଳ ସଂପଦ ବିଭାଗ ସାଳନ୍ଦୀ କେନାଲ ଡିଭିଜନ୍ ଓ ଓସ୍ଡମା ମାଧ୍ୟମରେ ସୁନାମୀ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ୧୭ କିମି ପରିବ୍ୟାପ୍ତ ଉପକୂଳରେ ସୁଉଚ୍ଚ ଲୁଣାବନ୍ଧ ନିର୍ମାଣର ପରିକଳ୍ପନା କରାଯାଇଥିଲା। ହେଲେ ଏହି ପ୍ରକଳ୍ପ ସରକାରୀ ଫାଇଲ ଭିତରେ ବନ୍ଧା ପଡ଼ିଥିବା ବେଳେ ପୁରୁଣାକାଳରୁ ନିର୍ମାଣ ହୋଇଥିବା ଲୁଣାବନ୍ଧ ଏବେ ଅବକ୍ଷୟମୁଖୀ ଅବସ୍ଥାରେ ରହିଛି।
ଅଧିକାଂଶ ଲୁଣାବନ୍ଧ ଭାଙ୍ଗି ମାଟିରେ ମିଶିଯାଇଥିବା ବେଳେ କିଛି କିଛି ସ୍ଥାନରେ ଚିଙ୍ଗୁଡି ମାଫିଆ ବନ୍ଧ କାଟି ଦେଇଛନ୍ତି। ଯାହାଫଳରେ ସମୁଦ୍ର ଜୁଆର କୂଳ ଲଂଘି ଉପକୂଳ ଅଞ୍ଚଳକୁ ମାଡ଼ି ଆସିବା ସହ ଚାଷଜମିର ଉର୍ବରତାକୁ ନଷ୍ଟ କରୁଛି।