ଭୁବନେଶ୍ବର: ନୂଆବର୍ଷଠାରୁ ରାତିର ତାପମାତ୍ରା ହ୍ରାସ ପାଇବ। ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇବାକୁ ଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଜାନୁଆରି ୨ରୁ ୪ ତାରିଖ ମଧ୍ୟରେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ପଡ଼ିପାରେ।

Advertisment

ଏହାଦ୍ବାରା ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ପୁରୀ, ଅନୁଗୁଳ, କଟକ, ଗଞ୍ଜାମ ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆକାଶ ମେଘାଚ୍ଛନ୍ନ ରହିଥିବାରୁ କେତେକ ସ୍ଥାନରେ ୨୦୨୪ର ଶେଷ ସୂର୍ଯ୍ୟାସ୍ତ ଠିକ୍‌ ଭାବେ ଦୃଶ୍ୟମାନ ହୋଇ ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଝାରସୁଗୁଡ଼ାରେ ୧୧.୬, ଫୁଲବାଣୀ ଓ ସୁନ୍ଦରଗଡ଼ରେ ୧୩, କୋରାପୁଟରେ ୧୩.୫, ସିମିଳିଗୁଡ଼ା‌ରେ ୧୩.୯, କିରେଇରେ ୧୪, ଘୁ.ଉଦୟଗିରିରେ ୧୪.୨, ଚିପିଲିମାରେ ୧୪.୪, ଜଗତ୍‌ସିଂହପୁରରେ ୧୪.୫, ଅନୁଗୁଳରେ ୧୪.୬ ଡିଗ୍ରି ରହିଥିଲା।