ଅନୁଗୁଳ: ଖୋଲିବ କି ବାଘ ଶିକାର ସିଣ୍ଡିକେଟ୍? କେମିତି ହେଉଥିଲା ଶିକାର? କୁଆଡ଼େ ଯାଉଥିଲା ବାଘ ଛାଲ ଓ ନଖ? କେମିତି ମଧ୍ୟସ୍ଥି ଦ୍ବାରା ଚାଲାଣ ହେଉଥିଲା ସାମଗ୍ରୀ? ଏ ତମାମ ପ୍ରଶ୍ନରେ ଆରମ୍ଭରୁ ଅଣନିଃଶ୍ବାସୀ ହୋଇ ପଡ଼ିଥିଲା ଅନୁଗୁଳ ବନବିଭାଗ। କିନ୍ତୁ ଏହାରି ଭିତରେ ବନବିଭାଗକୁ ବଡ଼ ସୁରାକ ମିଳିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ କଲ୍ ଡିଟେଲ୍ସ ରିପୋର୍ଟ ବନବିଭାଗକୁ ମିଳିଛି। ଯେଉଁଥିରେ ଗିରଫ ଅଭିଯୁକ୍ତମାନେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ତାହାର ସୂଚନା ବନବିଭାଗ ପାଇଥିବା ଜଣାପଡ଼ିଛି। ଫଳରେ ବାଘ ଶିକାର ସିଣ୍ଡିକେଟ୍ ରହସ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି।
ଗତ ୧୯ ତାରିଖ ଦିନ ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ରେଞ୍ଜ ଫୁଲଝରୀ ନିକଟରେ କିଣାବିକା ସମୟରେ ବନବିଭାଗ ଚଢ଼ଉ କରି କଲରାପତରିଆ ବାଘର ଛାଲ ଜବତ କରିଥିଲା। ଏହି ମାମଲାରେ ହାଣ୍ଡିଗୁଡ଼ା ଗ୍ରାମର ଟିକନ ଗୋଛାୟତ ଓ ବସନ୍ତପୁର ସମିତିସଭ୍ୟ ଧଉରାଖମଣ ଗ୍ରାମର ଯୁଗଳ ନାଏକଙ୍କୁ ଗିରଫ କରିଥିଲା ବନବିଭାଗ ଟିମ୍। ବାଘ ଛାଲ ଧରି ଦୁହେଁ ବିକ୍ରି ପାଇଁ ଅପେକ୍ଷାରେ ଥିବା ବେଳେ ବନ କର୍ମଚାରୀ ଉଭୟଙ୍କୁ ମାଡ଼ି ବସିଥିଲେ। ଏମାନେ କାହାକୁ ବିକ୍ରି କରିଥାନ୍ତେ ଏବଂ ସେଠାରୁ କେଉଁ ସ୍ଥାନକୁ ବାଘ ଛାଲ ଚାଲାଣ ହୋଇଥାନ୍ତା, ସେ ସମ୍ପର୍କରେ ଯୁଗଳ ଓ ଟିକନ ମୁହଁ ଖୋଲି ନଥିଲେ। ତେଣୁ ଦୁହିଁଙ୍କର ସିଡିଆର୍ ହିଁ ବନବିଭାଗ ପାଇଁ ସବୁଠାରୁ ବଡ଼ ଅସ୍ତ୍ର ଥିଲା। ଡିଏଫ୍ଓ ଏ ସମ୍ପର୍କରେ ଅନୁଗୁଳ ଏସ୍ପିଙ୍କୁ ଲିଖିତ ଜଣାଇବା ପରେ ଗିରଫ ଅଭିଯୁକ୍ତଙ୍କ କଲ୍ ଡିଟେଲ୍ସ ରିପୋର୍ଟ ବନବିଭାଗକୁ ମିଳିଥିବା ଜଣାପଡ଼ିଛି।
ଅନ୍ୟପଟେ ଏହି ସିଡିଆରରୁ ବନବିଭାଗକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ଯୁଗଳ ଓ ଟିକନ ବାଘ ଛାଲ ଅନ୍ୟ ଜିଲ୍ଲାରୁ ଆଣିଥିବା ଜଣାପଡ଼ିଛି। ତେଣୁ ଅନୁଗୁଳ ବନଖଣ୍ଡରେ ଉକ୍ତ ବାଘକୁ ଶିକାର କରାଯାଇନଥିବା ସ୍ପଷ୍ଟ ହୋଇଛି। ଅନ୍ୟ ଜିଲ୍ଲାରେ ଶିକାର ପରେ ଛାଲକୁ ମାଟି ତଳେ ପୋତା ଯାଇଥିବା ଓ ପ୍ରାୟ ୧୫ଦିନ ପରେ ତାହାକୁ କାଢ଼ି ବିକ୍ରି ପାଇଁ ଯୋଗାଡ଼ କରାଯାଇଥିବା ବନବିଭାଗ ଜାଣିବାକୁ ପାଇଛି। ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ବାଘ ଶିକାର ଓ ଛାଲ ବିକ୍ରି ପଛରେ ଏକ ଅନ୍ତର୍ଜାତୀୟ ସିଣ୍ଡିକେଟ୍ର ହାତ ରହିଛି। ରାଜ୍ୟ ବାହାରୁ ଏଥିପାଇଁ ଦୁଇ ଜଣ ବେପାରୀ ଭୁବନେଶ୍ବର ଆସି ଡେରା ପକାଇଥିଲେ ଓ ସେମାନେ ୧୯ ତାରିଖ ସାଢ଼େ ୧୨ଟାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିକଟରେ ପହଞ୍ଚି ଉକ୍ତ ବାଘ ଛାଲକୁ କିଣିଥାନ୍ତେ। ତେବେ କୌଣସି କାରଣରୁ ଦୁହେଁ ସେଠାରେ ପହଞ୍ଚିବା ବିଳମ୍ବ ହୋଇଥିଲା। ଏହି ସମୟରେ ବନବିଭାଗ ଟିମ୍ ଚଢ଼ଉ କରି ମଧ୍ୟସ୍ଥି ଦ୍ବୟଙ୍କୁ ଗିରଫ କରିଥିଲା। ଅନ୍ୟ ଜିଲ୍ଲାରେ ଶିକାର ପରେ ଅନୁଗୁଳରେ ବାଘ ଛାଲ ରାଜ୍ୟ ବାହାରକୁ ଚାଲାଣ ହୋଇଥାନ୍ତା। ସେଠାରୁ ଭାରତ ବାହାରେ ଅନ୍ତର୍ଜାତୀୟ ମାର୍କେଟ୍ରେ ଏହାକୁ ବିକ୍ରି କରାଯାଇଥାନ୍ତା ବୋଲି ବନବିଭାଗ ସୁରାକ୍ ପାଇଛି।