ଥମି ଯାଇଛି କମ୍ବିଂ ଅପରେସନ୍‌, ସରଣ୍ଡାରେ ପୁଣି ନକ୍ସଲ ମେଳି

ସୀମାନ୍ତ ଗାଁରେ ଭୟର ବାତାବରଣ

ରାଉରକେଲା: ନକ୍ସଲଙ୍କ ଗତିବିଧି ହ୍ରାସ ପାଇବା ପରେ ଯବାନଙ୍କ କମ୍ବିଂ ଅପରେସନ୍‌ ଧିମେଇ ଯିବାର ସୁଯୋଗ ନେଇ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ପୁଣି ମୁଣ୍ଡ ଟେକିଲେଣି ନକ୍ସଲ ସଙ୍ଗଠନ। କମ୍ବିଂ ଅପରେସନ୍‌ରେ ନିୟୋଜିତ ସିଆର୍‌ପିଏଫ୍‌ ଯବାନଙ୍କୁ କୃଷକ ଆନ୍ଦୋଳନ ପାଇଁ ପଠାଯିବା ପରେ ନକ୍ସଲ ସଙ୍ଗଠନଗୁଡ଼ିକ ଉଠାଉଛି ଏହାର ଭରପୂର ଫାଇଦା। ନିଜର ଉପସ୍ଥିତି ଜାହିର କରିବାକୁ ଜଙ୍ଗଲରେ ସେମାନେ ପୁଣି ଆରମ୍ଭ କରି ଦେଲେଣି କ୍ୟାମ୍ପ। ସିଆର୍‌ପିଏଫ୍‌ ଯବାନ ହଟିଯାଇଥିବା ଇଲାକା ଏବେ ସେମାନଙ୍କର ସୁରକ୍ଷିତ କ୍ୟାମ୍ପ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ଜରେଇକେଲା, ଦିଘା, ଥଲକୋବାଦ୍‌, କରମପଦା, ବରାଇବୁରୁ ଆଦି ଅଞ୍ଚଳରେ ପ୍ରାୟ ପ୍ରତିଦିନ ରାତିରେ ନକ୍ସଲନେତାମାନଙ୍କର ଗତିବିଧି ଓ କାର୍ଯ୍ୟକ୍ରମ ଚାଲିଛି। ସଙ୍ଗଠନ ପାଇଁ ପାଣ୍ଠି ଯୋଗାଡ, ଆବଶ୍ୟକ ମାରଣାସ୍ତ୍ର ହାତେଇବାକୁ ପ୍ରସ୍ତୁତି ହେଉଛି ଯୋଜନା।

ପ୍ରାୟ ୧୦ ଦିନ ତଳେ ଲଗାତାର ଭାବେ ୩ ଦିନ କରମପଦା, ଜରେଇକେଲା, ରେଞ୍ଜଡା, ଟୋପାଡିହି ଆଦି ଷ୍ଟେସନରେ ପୋଷ୍ଟର ଲଗାଇ ନକ୍ସଲ ନିଜର ଉପସ୍ଥିତି ଜାହିରି କରିଥିଲେ। କେବଳ ଏତିକି ନୁହେଁ, ବିଶ୍ରା ବ୍ଲକରୁ ୬୫ କି.ମି. ଦୂର କିରିବୁର ଟାଉନସିପ୍‌ରେ ଥିବା ସେଲ୍‌ କ୍ବାର୍ଟର୍ସରେ ମଧ୍ୟ ନକ୍ସଲମାନେ ସମାନ ଢ଼ଙ୍ଗରେ ପୋଷ୍ଟର ମାରିଥିଲେ। ଏହାପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ପୁଣି ନକ୍ସଲ ସଙ୍ଗଠନ ସକ୍ରିୟ ହୋଇଥିବା ସ୍ପଷ୍ଟ ହୋଇଛି। ମିଳିଥିବା ସୂଚନାମୁତାବକ, ଏହି କ୍ୟାମ୍ପଗୁଡ଼ିକରେ ସାମିଲ ନକ୍ସଲମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ବିଶେଷ କରି ଓଡ଼ିଶା ସୀମାନ୍ତରେ ଥିବା ଭାଲୁଲତା ଓ ଜରେଇକେଲା ବଜାର ଉପରେ ନିର୍ଭର କରୁଛନ୍ତି। କିଛି ମାସର ବ୍ୟବଧାନ ପରେ ସରଣ୍ଡା ଜଙ୍ଗଲରେ ପୁଣି ନକ୍ସଲ ସଙ୍ଗଠନ ସକ୍ରିୟ ହେଉଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସତର୍କ ହୋଇଛନ୍ତି ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ।

ସରଣ୍ଡା ଜଙ୍ଗଲର ଯେଉଁ ସ୍ଥାନରୁ ଯବାନମାନଙ୍କୁ ହଟାଇ ନିଆଯାଇଥିଲା, ସେସବୁ ସ୍ଥାନରେ ପୁଣି ଯବାନ ମୁତୟନ ହେବାକୁ ଯାଉଥିବା ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ଆଗାମୀ ରଣନୀତି ପ୍ରସ୍ତୁତି ପାଇଁ ୩ ସପ୍ତାହ ତଳେ ସରଣ୍ଡା ଜଙ୍ଗଲର ଜରେଇକେଲା ହ୍ୟାଲିପ୍ୟାଡ ଏକ ଆର୍ମି ହେଲିକପ୍‌ଟର ଅବତରଣ କରିଥିଲା। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ହ୍ୟାଲିପ୍ୟାଡ ବ୍ୟବହାର ‌ହୋଇପାରିବ କି ନାହିଁ ସିଆର୍‌ପିଏଫ୍‌ ଯବାନ ଓ ଆର୍ମିର ବରିଷ୍ଠ ଅଧିକାରୀ ଯାଞ୍ଚ କରିଥିଲେ। ସେପଟେ ସୁନ୍ଦରଗଡ ଜିଲ୍ଲାର ବିଶ୍ରା ଓ ନୂଆଗାଁ ବ୍ଲକ ସୀମାନ୍ତ ଅଜୟକେଳା, ଠେଠେଇପୋଷ, ସୁକୁଡା, ଜରାଇକେଲା, ପିତଲ, ଚିତାପେଡି, ଉର୍ମେଇ ତଥା ପଶ୍ଚିମସିଂହଭୂମର ଧନାପଲ୍ଲୀ, ହୁର୍ଦା, ଗିର୍ଦା ଆଦି ଅନେକ ଗାଁ ସରଣ୍ଡା ଜଙ୍ଗଲ ପାର୍ଶ୍ବରେ ରହିଛି।

ସଞ୍ଜ ନଇଁଲେ ନକ୍ସଲମାନେ ଏସବୁ ଗାଁରେ ଚଳପ୍ରଚଳ କରୁଛନ୍ତି। କିଛି ନକ୍ସଲ ନେତା ରାତିରେ ଏସବୁ ଗାଁରେ ପଶି ଲୋକଙ୍କୁ ଧମକ ଚମକ ଦେବାର ଖବର ମଧ୍ୟ ରହିଛି। ରାତି ଭୋଜନ ମଧ୍ୟ କରି ସେମାନେ ପୁଣି ସୀମାନ୍ତ ଜଙ୍ଗଲକୁ ଫେରି ଯାଉଛନ୍ତି। ଗତ ପ୍ରାୟ ୨ ମାସ ଧରି ନକ୍ସଲଙ୍କ ଗତିବଧି ଯୋଗୁଁ ଅସୁରକ୍ଷିତ ହୋଇପଡିଛି ଏସବୁ ସୀମାନ୍ତ ଗାଁ। ସଞ୍ଜ ନଇଁଲେ ଲୋକେ ଘରୁ ବାହାରୁ ନାହାନ୍ତି। ଗାଁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇ ପଡୁଛି। ଲ୍ୟାଣ୍ଡମାଇନ ବିସ୍ପୋରଣ ଭୟ ଥିବାରୁ ନକ୍ସଲଙ୍କ ଗତିବିଧି ଉପରେ ନଜର କରିଥିବା ସୁରକ୍ଷା ବାହିନୀ ମଧ୍ୟ ରାତିରେ ଏସବୁ ଗାଁରେ ପାଟ୍ରୋଲିଂ କରିବାକୁ ଭୟ କରୁଛନ୍ତି। ଜୀବନ ପ୍ରତି ଭୟ ଥିବାରୁ ଗାଁ ଲୋକେ ପୁଲିସ ଆଗରେ ଏମାନଙ୍କ ସଂକ୍ରାନ୍ତରେ କିଛି କହିବାକୁ ମୁହଁ ଖୋଲୁ ନାହାନ୍ତି। ତେବେ ନକ୍ସଲଙ୍କ ଯୋଜନାକୁ ପଣ୍ଡ କରିବାକୁ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ପୁଲିସ ସିଆର୍‌ପିଏଫ୍ ଯବାନଙ୍କ ସହାୟତାରେ ବଡଧରଣ ଅପରେସନ୍‌ ଚଳାଇବାକୁ ଯାଉଥିବା ବିଶେଷ ସୂତ୍ବରୁ ଜଣାପଡିଛି।

ସମ୍ବନ୍ଧିତ ଖବର