କେସିଙ୍ଗା: ଭାରତୀୟ ଖାଦ୍ୟ ନିଗମ ରାଜ୍ୟ ସରକାରଙ୍କୁ ଧାନ ଓ ଚାଉଳ ଟ୍ରାନ୍ସପୋର୍ଟିଂରେ ହେଉଥିବା ଦୁର୍ନୀତି ରୋକିବା ପାଇଁ ଗତ ୩ ବର୍ଷ ତଳୁ ଟ୍ରାନ୍ସପୋର୍ଟିଂ ଟେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଯୋଗାଣ ବିଭାଗ ଓ ମିଲର୍ସଙ୍କ ମଧୁଚନ୍ଦ୍ରିକା କାରଣରୁ ଟେଣ୍ଡର ହେଉନଥିବା ଅଭିଯୋଗ ହୋଇଛି। ମଣ୍ଡିରୁ ମିଲ୍ ପଏଣ୍ଟକୁ ଧାନ ଓ ମିଲ୍ରୁ ଏଫ୍ସିଆଇ ଗୋଦାମକୁ ଚାଉଳ ପରିବହନ ପାଇଁ ଟେଣ୍ଡର କରିବାକୁ କେନ୍ଦ୍ର ସରକାରଙ୍କ ଭାରତୀୟ ଖାଦ୍ୟ ନିଗମ ନିର୍ଦ୍ଦେଶ ଦେଇଛନ୍ତି। ଧର୍ମକୁ ଆଖିଠାର ଭଳି ଜିଲ୍ଲା ସ୍ତରରେ ବାରମ୍ବାର ଟେଣ୍ଡର ଡକାଯାଉଛି। ହେଲେ କେହି ଭାଗ ନେଉ ନ ଥିବା କହି ବିଭାଗ ସମୟ ଗଡ଼େଇ ଚାଲିଛି। ଟେଣ୍ଡର ଆବେଦନ ପାଇଁ ଥିବା ନୀତି ନିୟମରେ ତ୍ରୁଟି ଥିବାରୁ କେହି ଅଂଶ ଗ୍ରହଣ କରୁ ନଥିବା ବିଭାଗ କହୁଛି। କେବେଳ କଳାହାଣ୍ଡି ଜିଲ୍ଲାରେ ଧାନ କିଣାରେ ପ୍ରାୟ ୨୫ କୋଟି ଟଙ୍କାରୁ ଅଧିକ ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ହେଉଥିବା ବେଳେ ଏଫ୍ସିଆଇରେ ଚାଉଳ ସଂଗ୍ରହ ପାଇଁ ପ୍ରାୟ ୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥାଏ। ବର୍ତ୍ତମାନ କେନ୍ଦ୍ର ଏଥିରେ ଅସୁବିଧା ଥିବା ସନ୍ଦେହ କରି ଗତ ଖରିଫ ଓ ରବିରେ ଧାନ ମଣ୍ଡିରୁ ଆଣିବା ଏବଂ ଏଫ୍ସିଆଇ ଗୋଦାମକୁ ଚାଉଳ ସଂଗ୍ରହରେ ହୋଇଥିବା ସମ୍ପୂର୍ଣ୍ଣ ବିଲ ଓ ତଥ୍ୟ ମାଗିବା ଫଳରେ ମିଲର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେ ସେହି ପୁରୁଣା ବର୍ଷରେ ହୋଇଥିବା ଟ୍ରାନ୍ସପୋର୍ଟିଂ ଟ୍ରକ୍ର ଚଲାନ କେଉଁଠୁ ଆସିବ ବୋଲି କହିଛନ୍ତି। ଏବେ ବିଭାଗ ଏହି ଟ୍ରାନ୍ସପୋର୍ଟିଂ କାର୍ଯ୍ୟ ନିଜେ କରୁ ବୋଲି ଜିଲ୍ଲା ପ୍ରଶାସନକୁ ଲିଖିତ ଭାବରେ ଜଣାଇଛନ୍ତି।
ତେବେ ଟ୍ରାନ୍ସପୋର୍ଟିଂରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଧାନକିଣା ବ୍ୟବସ୍ଥାରେ କାହିଁକି ଟେଣ୍ଡର ପ୍ରକ୍ରିୟା ହୋଇ ପାରୁ ନାହିଁ ବୋଲି ପ୍ରଶ୍ନ ଉଠିଛି। ଟେଣ୍ଡର ହେଲେ ଚାଉଳ ରି-ସାଇକ୍ଲିଂ ଓ ଧାନ କିଣାରେ ହେଉଥିବା ହେର୍ଫେର୍ ବନ୍ଦ ହୋଇଯିବ, ବହୁ ଅସାଧୁ ମିଲର୍ସଙ୍କ ମୁଖା ଖୋଲିବ ବୋଲି ଚର୍ଚ୍ଚା ହେଉଛି। ଧାନ ପ୍ୟାକ୍ସ ମାଧ୍ୟମରେ କିଣା ହେଲେ ବି ଟ୍ରାନ୍ସପୋର୍ଟିଂ ଦାୟିତ୍ୱ ମିଲର୍ସ ହାତରେ ଥିବାରୁ ସେମାନଙ୍କ ମର୍ଜିରେ ଧାନ ଉଠାଣ ହେଉଛି। ସମ୍ପୂର୍ଣ୍ଣ ଧାନକିଣା ବ୍ୟବସ୍ଥା ଏକପ୍ରକାର ସେମାନଙ୍କ ନିୟନ୍ତ୍ରଣରେ ରହୁଥିବା କହାଯାଉଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ସାହୁଙ୍କୁ ପଚରାଯିବାରୁ ରାଜ୍ୟର କୌଣସି ଜିଲ୍ଲାରେ ବି ଟ୍ରାନ୍ସପୋର୍ଟିଂ ଟେଣ୍ଡର ହୋଇ ପାରୁ ନାହିଁ। ବିଡର୍ ଆସୁନାହାନ୍ତି ବୋଲି ସେ କହିଛନ୍ତି।