ଭୁବନେଶ୍ବର: ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୨୧କୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିବା ବେଳେ ଏହାର ପୁନର୍ବିଚାର ପାଇଁ ଅନୁରୋଧ କରିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଉଭୟ ଝିଅ ଏବଂ ପୁଅଙ୍କ ବିବାହ ବୟସ ୧୮ କରିବା ପାଇଁ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ତଥା ଯୁବ-କ୍ରୀଡ଼ାର ସଂସଦୀୟ କମିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଶ୍ରୀମତୀ ପ୍ରଧାନ କହିଛନ୍ତି ଯେ ବିବାହ ବୟସ ୨୧କୁ ବୃଦ୍ଧି ଫଳରେ ବାଲ୍ୟ ବିବାହ ବନ୍ଦ ହେବ ନାହିଁ ବରଂ ଆଇନ, ପରମ୍ପରା ଏବଂ ଚଳଣି ଅଯଥା ଚାପଗ୍ରସ୍ତ ହେବ। ଦାରିଦ୍ର୍ୟ, ଆବଶ୍ୟକ ସଂଖ୍ୟକ ସ୍କୁଲ ଅଭାବ, ପିତୃକୈନ୍ଦ୍ରିକ ମାନସିକତା ଯୋଗୁଁ ଆଜି ମଧ୍ୟ ୧୮ ବର୍ଷ ନହେଉଣୁ ଦେଶରେ ୨୩.୩ ପ୍ରତିଶତ ଝିଅ ବାଲ୍ୟ ବିବାହ କରୁଛନ୍ତି। ୨୦୧୮ରେ ଯାହା ୫୦୧ ଏବଂ ୨୦୧୯ରେ ୫୨୩ ଥିଲା ତାହା ୨୦୨୦ରେ ୭୮୫କୁ ବୃଦ୍ଧି ପାଇଛି। ଏହାଦ୍ବାରା ଆଇନଗତ ଦ୍ବନ୍ଦ୍ବ ହେବ। ଏହାପରିବର୍ତ୍ତେ ଏଭଳି ସଚେତନ କରାଯାଉ ଯେ ପିଲା ନିଜେ ବାଲ୍ୟ ବିବାହକୁ ନା’ କହିବେ। ସେ ଯୁକ୍ତି ଦର୍ଶାଇଛନ୍ତି ଯେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ୧୮ ବର୍ଷରୁ ଊର୍ଦ୍ଧ୍ବ ପୁଅ-ଝିଅଙ୍କ ଶାରୀରିକ ସମ୍ପର୍କ ବୈଧ। ଅର୍ଥାତ ଦୁଇ ଜଣ ୧୮ ବର୍ଷରୁ ଶାରୀରିକ ସମ୍ପର୍କ ରଖିବେ କିନ୍ତୁ ବିବାହ କରିବାକୁ ୨୧ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଅନେକ ଅବିବାହିତ ମା’ ହେବେ ଏବଂ ପରିତ୍ୟକ୍ତ ଶିଶୁ ସମସ୍ୟା ବଢ଼ିବ।
୨୦୦୬ ମସିହାରେ ଏହିଭଳି ଏକ ସ୍ଥିତି ଉପୁଜିଥିଲା ଯେଉଁଥିରେ ଜାତୀୟ ମହିଳା କମିସନ ଏବଂ ରାଜ୍ୟ ମହିଳା କମିସନ ଦିଲ୍ଲୀ ପକ୍ଷରୁ ଶିଶୁର ସଂଜ୍ଞା ସ୍ପଷ୍ଟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିସନ ଦାୟର କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ୨୦୦୮ ମସିହାରେ ଆଇନ କମିସନ ପକ୍ଷରୁ ଉଭୟ ଝିଅ ଏବଂ ପୁଅ ପାଇଁ ବିବାହ ବୟସ ୧୮ କରିବାକୁ ସୁପାରିସ କରାଯାଇଥିଲା। ବାଲ୍ୟ ବିବାହ ନିରୋଧ ବିଲ୍ ୨୦୦୪ ଲୋକସଭାରେ ଆଗତ ବେଳେ ଉଭୟ ଝିଅ ଏବଂ ପୁଅଙ୍କ ବିବାହ ବୟସ ୧୮ କରାଯିବାକୁ ସଂସଦୀୟ କମିଟି ସୁପାରିସ କରିଥିଲା। ମାତ୍ର ଏହାକୁ ସେତେବେଳେ ଗ୍ରହଣ ନକରି ପୁଅର ବୟସ ୨୧ ଏବଂ ଝିଅର ୧୮ ବର୍ଷ ରଖିଥିଲା।