କମିଟି ଗଠନ ହୋଇନି, ୧୬ରେ ଆସୁଛନ୍ତି ଏଆଇଜି ପ୍ରତିନିଧି

ଏସ୍‌ସିବି: କେବେ ହେବ ଲିଭର ପ୍ରତିରୋପଣ?

କଟକ : ଏସ୍‌ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲରେ ଲିଭର ପ୍ରତିରୋପଣ ବ୍ୟବସ୍ଥାର ତଦାରଖ ପାଇଁ ପୁଣି ଆସନ୍ତା ୧୬ ତାରିଖରେ ଆସିବେ ହାଇଦ୍ରାବାଦ୍‌ ଏସିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି)ର ପ୍ରତିନିଧି ଦଳ। ଲିଭର ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ପାଇଁ ପୂର୍ବରୁ ସେମାନେ ଯେଉଁ ପରାମର୍ଶ ଦେଇଯାଇଥିଲେ, ତାହାର କାର୍ଯ୍ୟକାରିତାର ସମୀକ୍ଷା କରିବେ।

ଏହି ପ୍ରତିନିଧି ଦଳ ଦୁଇଦିନ ଏସ୍‌ସିବିରେ ରହି ଓଟି, ଆଇସିୟୁ ବ୍ୟବସ୍ଥା‌ ଓ ଉପକରଣ ଇତ୍ୟାଦିର ସମୀକ୍ଷା କରିବେ। ଲିଭର ପ୍ରତିରୋପଣ ବ୍ୟବସ୍ଥା ପାଇଁ ଯେଉଁ ଟିମ୍‌ ଗଠନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ, ସେହି ଟିମ୍‌ର ସଦସ୍ୟମାନଙ୍କ ସହିତ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏ ସଂପର୍କରେ ଏଆଇଜି କର୍ତ୍ତୃପକ୍ଷ ଇତିମଧ୍ୟରେ ଡିଏମ୍‌ଇଟିଙ୍କୁ ଚିଠି କରି ଜଣାଇଛନ୍ତି।
ଏଆଇଜି ପ୍ରତିନିଧି ଦଳ ନଭେମ୍ବର ୫ ତାରିଖରେ ଏସ୍‌ସିବି ଗସ୍ତରେ ଆସି ଚିକିତ୍ସା, ତାଲିମ୍‌ ବ୍ୟବସ୍ଥା ପାଇଁ କୋର୍‌ କମିଟି ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ଯେଉଁମାନେ ପୂର୍ବରୁ ଲିଭର ପ୍ରତିରୋପଣ ସଂପର୍କରେ ତାଲିମ୍‌ ନେଇଥିଲେ, ସେହି ବିଶେଷଜ୍ଞ, ପାରାମେଡିକାଲ କର୍ମଚାରୀଙ୍କୁ ଏକାଠି କରିବା ଏବଂ ଯେଉଁମାନେ ଏଥିପାଇଁ ଆଗ୍ରହୀ, ସେମାନଙ୍କୁ ନେଇ କୋର କମିଟି ଗଠନ ଉପରେ ଗୁରୁତ୍ବ ଦେଇଥିଲେ। ଏଯାଏ ଏହି ଟିମ୍‌ ଗଠନ କରାଯାଇନଥିବା ଜଣାପଡ଼ିଛି। କିନ୍ତୁ, ଏଆଇଜି ପ୍ରତିନିଧି ଆସିବା ପୂର୍ବରୁ କୋର୍‌ କମିଟି ଗଠନ ସରିଥିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ରାଜ୍ୟରେ ସରକାରୀ ବ୍ୟବସ୍ଥାରେ କଟକ ବଡ଼ ମେଡିକାଲରେ ଲିଭର ପ୍ରତିରୋପଣ ପାଇଁ ଓପିଡି ଖୋଲାଯାଇଥିବା ବେଳେ ଏବେ ସୁଦ୍ଧା ୨୬୦ଜଣ ରୋଗୀ ଲିଭର ପ୍ରତିରୋପଣ ପାଇଁ ପଞ୍ଜୀକରଣ କରିଛନ୍ତି। ତେବେ ୨୦୧୪ରୁ ୧୬ ଭିତରେ ଏସ୍‌ସିବିର ସର୍ଜରି, ଜିଆଇ ସର୍ଜରି ତଥା ବିଭିନ୍ନ ବିଭାଗର ଯେଉଁ ଡାକ୍ତର ଓ ପାରାମେଡିକାଲ ଡାକ୍ତର ତାଲିମ୍‌ ନେଇଥିଲେ, ସେମାନଙ୍କୁ ନେଇ କମିଟି ଗଠନ ଉପରେ ଏଆଇଜି ପ୍ରତିନିଧିମଣ୍ଡଳୀ ଗୁରୁତ୍ବାରୋପ କରିଥିଲେ। ସେହି ସମୟରେ ପ୍ରଫେସର ଡାକ୍ତର ଏମ୍‌.କେ.ମହାପାତ୍ର, ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ପ୍ରଫେସର ଡାକ୍ତର ନିବେଦିତା ପାଣି, ଡାକ୍ତର ସୁଶାନ୍ତ ଜେନା, ଡାକ୍ତର ଶରତ ଜୟସିଂହ, କେନ୍ଦୁଝର ମେଡିକାଲ ସର୍ଜରି ବିଭାଗ ଡାକ୍ତର ରାଜେଶ କୁମାର ଦୋରା, ନିଶ୍ଚେତକ ବିଭାଗର ଡାକ୍ତର କମଳାକାନ୍ତ ପ୍ରଧାନ, ଡାକ୍ତର ପ୍ରଦୀପ୍ତ କୁମାର ମଲ୍ଲିକ, ଏମ୍‌କେସିଜିର ଡାକ୍ତର ସତ୍ୟ ସାମନ୍ତରାୟଙ୍କ ଭଳି ବିଶେଷଜ୍ଞମାନେ ଦୁଇଟି ପର୍ଯ୍ୟାୟରେ ତାଲିମ ନେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରଫେସର ଡାକ୍ତର ଏମ୍‌.କେ.ମହାପାତ୍ର, ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର ଅବସରଗ୍ରହଣ କରିଥିବାବେଳେ ଡାକ୍ତର ନିବେଦିତା ପାଣି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଅଛନ୍ତି। ସର୍ଜରି ବିଭାଗ ଡାକ୍ତର ରାଜେଶ କୁମାର ଦୋରା ଏବେ କେନ୍ଦୁଝର ମେଡିକାଲ କଲେଜ, ଡାକ୍ତର ସତ୍ୟ ସାମନ୍ତରାୟ ଏମ୍‌କେସିଜି ମେଡିକାଲ କଲେଜରେ ଅଛନ୍ତି। ସେମାନଙ୍କୁ ଏସ୍‌ସିବି ଅଣାଯାଇ ନଥିବା ବା ପୂର୍ବରୁ ତାଲିମ ନେଇଥିବା ବିଶେଷଜ୍ଞଙ୍କ ସହିତ କୌଣସି ଆଲୋଚନା ବର୍ତ୍ତମାନ ସୁଦ୍ଧା କରାଯାଇନଥିବା ଜଣେ ବରିଷ୍ଠ ବିଶେଷଜ୍ଞ ସୂଚନା ଦେଇଛନ୍ତି। ତେଣୁ ଟିମ୍‌ ଆସିବା ପୂର୍ବରୁ ସ୍ବାସ୍ଥ୍ୟବିଭାଗ କେମିତି ଟିମ୍‌ ଗଠନ କରିବେ ଓ ବ୍ୟବସ୍ଥାର ସୁଫଳ କିପରି ଦୀର୍ଘସ୍ଥାୟୀ ହୋଇପାରିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର