ପୁରୀ: ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ପରେ ଆଜି ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି। ସମସ୍ତ ଅଳଙ୍କାର ଆଲମିରାରେ ଭର୍ତ୍ତି କରି ଶ୍ରୀମନ୍ଦିର ଭିତରକାଠ ନିକଟରେ ଥିବା ଖଟଶେଜ ଘର ଅସ୍ଥାୟୀ ରତ୍ନଭଣ୍ଡାର ବା ଷ୍ଟ୍ରଙ୍ଗରୁମରେ ରଖାଯାଇଛି। ପୂର୍ବରୁ ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର କରି ଶ୍ରୀମନ୍ଦିର ଭିତରକାଠ ନିକଟରେ ଥିବା ଚାଙ୍ଗଡ଼ା ଓ ଫୁଲ ଘର ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଥିଲା। ଦୁଇ ଅସ୍ଥାୟୀ ରତ୍ନଭଣ୍ଡାରକୁ ଜଉମୁଦ ଦେଇ ସିଲ୍ କରି ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯାଇଛି। ମାର୍ଗଦର୍ଶିକା ଅନୁଯାୟୀ, ଆଜି ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି। ସରକାରଙ୍କ ନୂଆ ମାର୍ଗଦର୍ଶିକା ଆସିଲେ, ରତ୍ନଭଣ୍ଡାର ଅନୁଧ୍ୟାନ ଓ ଆବଶ୍ୟକ ମରାମତି ହେବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ କହିଛନ୍ତି।
ଭିତର ରତ୍ନଭଣ୍ଡାରରେ ସୁଡ଼ଙ୍ଗ କି ଗୁପ୍ତ କୋଠରି ନାହିଁ। ଏହା କେବଳ ମନଗଢ଼ା କଥା। ଆମେ ଆଲମିରା ଓ ସିନ୍ଦୁକ ଘୁଞ୍ଚାଇ କାନ୍ଥ ଓ ଚଟାଣ ଦେଖିଥିଲୁ। କେଉଁଠି ବି ସୁଡ଼ଙ୍ଗ ମିଳିନଥିଲା। ଏହାର ଭିଡିଓଗ୍ରାଫି ବି କରାଯାଇଛି। ଏଣୁ ଏଭଳି ବିଭ୍ରାନ୍ତିକୁ ବିଶ୍ବାସ ନ କରିବାକୁ ଜଷ୍ଟିସ୍ ରଥ କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅଧିକୃତ କମିଟି ନିଷ୍ପତ୍ତି ନେଇଛନ୍ତି ଯେ ବର୍ତ୍ତମାନ ଯେଉଁ ମାର୍ଗଦର୍ଶିକା ଅଛି, ସେଥିରେ ପୁନଃଅନୁସନ୍ଧାନର ସୁଯୋଗ ନାହିଁ। ପାଞ୍ଚ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିବା ପରେ ଯେହେତୁ ପୁନଃଅନୁସନ୍ଧାନର ଆବଶ୍ୟକତା ରହିଛି, ନିକଟରେ ବୈଠକ କରି ଏ ଦିଗରେ ସରକାରଙ୍କୁ ଅନୁରୋଧ କରିବୁ। ଯାହା ମାର୍ଗଦର୍ଶିକା ଦେବେ, ସେହି ଅନୁସାରେ କାମ ହେବ ବୋଲି ଜଷ୍ଟିସ୍ ରଥ କହିଛନ୍ତି।
୪ ଆଲମିରା ଓ ୩ ସିନ୍ଦୁକରେ ଥିଲା ଅଳଙ୍କାର
ଅସ୍ଥାୟୀ ରତ୍ନଭଣ୍ଡାରରେ ରହିଲା
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରତ୍ନଭଣ୍ଡାର ଅନୁଧ୍ୟାନ ଓ ମରାମତି
ସେ କହିଛନ୍ତି ଯେ ଏଏସ୍ଆଇର ଲେଜର୍ ସ୍କାନିଂ କରିବାର ଅଧିକାର ନାହିଁ। କେବଳ ଯାହା ଭଙ୍ଗାରୁଜା ହୋଇଛି, ତାର ସ୍କାନିଂ କରିବେ। ଆମେ ସରକାରଙ୍କୁ ଏହା ଉପରେ ଚିଠି କରିବୁ। ସରକାର ଅନୁମତି ଦେଲେ, ଏଏସ୍ଆଇ ଲେଜର ସ୍କାନିଂ ଓ ଅନ୍ୟାନ୍ୟ କାମ ଦିଗରେ ଆଗେଇବ। ଏଏସ୍ଆଇ ଭିତରକୁ ମରାମତି ପାଇଁ ଯିବ। ଆମକୁ କେବଳ ତାଲା ଖୋଲିବା ଓ ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପାଇଁ ମାର୍ଗଦର୍ଶିକା ଥିଲା। ସେହି ଅନୁସାରେ ଆମେ ତାଲା ଖୋଲିଛୁ ଓ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିଛୁ। ଆମେ ପ୍ରତିଜ୍ଞା କରିଛୁ, କାହାରିକୁ କିଛି କହିବୁନି। ଯେହେତୁ ଭଗବାନଙ୍କ ସମ୍ପତ୍ତି, ଆମେ ଯାହା ଦେଖିବୁ ମୁଣ୍ଡକୁ ଯିବ, କିନ୍ତୁ ତୁଣ୍ଡକୁ ଆସିବନି ବୋଲି ଜଷ୍ଟିସ୍ ରଥ କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ମହାପ୍ରଭୁଙ୍କ କୃପାରୁ ଯେଉଁ ଅଭିପ୍ରାୟ ନେଇ ଯାଇଥିଲୁ, ତାହା ପୂର୍ଣ୍ଣ ହୋଇଛି। ମାର୍ଗଦର୍ଶିକା ଆଧାରରେ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ହୋଇଛି।
ପୂର୍ବ ନିଷ୍ପତ୍ତି ଅନୁସାରେ, ଆଜି ସକାଳ ସାଢ଼େ ୮ଟାରେ ରଥାରୂଢ଼ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ୧୧ଜଣିଆ ଅଧିକୃତ ବ୍ୟକ୍ତି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ପରେ ଭଣ୍ଡାରଘରର ମାଲିକାଣୀ ମା’ ଲକ୍ଷ୍ମୀ, ଶ୍ରୀମନ୍ଦିରର ମାଲିକାଣୀ ମା’ ବିମଳା, ଭଣ୍ଡାରଘର ରକ୍ଷକ ପ୍ରଭୁ ଲୋକନାଥ, ମା’ ଭୁବନେଶ୍ବରୀ ଓ ଅନ୍ୟ ଦେବଦେବୀଙ୍କ ଆଶୀର୍ବାଦ ନେଇ ପାଞ୍ଜି ନିର୍ଦ୍ଦେଶିତ ସମୟ ଅନୁସାରେ ସକାଳ ୯ଟା ୫୧ରେ ୧୧ଜଣିଆ କମିଟି ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ। ପ୍ରଥମେ ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ ଓ ଭଣ୍ଡାର ମେକାପଙ୍କଠାରୁ ଚାବି ଆସି ବାହାର ରତ୍ନଭଣ୍ଡାର ଖୋଲାଯାଇଥିଲା। ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଜିଲ୍ଲା ଟ୍ରେଜେରିରୁ ଆଣିଥିବା ଦୁଇ ଚାବିରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ୧୧ଜଣିଆ କମିଟି ପ୍ରବେଶ କରିବା ସହ ବିସ୍ତୃତ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସକାଳ ୯ଟା ୫୧ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଅପରାହ୍ଣ ୫ଟା ୧୫ରେ ଶେଷ ହୋଇଛି।
ଅଧ୍ୟକ୍ଷ ଜଷ୍ଟିସ୍ ରଥ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦରୁ ମାର୍ଗଦର୍ଶିକା ଅନୁଯାୟୀ ଭିତର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ଆଜି ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ସରିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ନେଇ ଯେଉଁ ଶଙ୍କା ସମଗ୍ର ଓଡ଼ିଶାବାସୀଙ୍କ ମନରେ ଥିଲା, ତାର ଅବସାନ ଘଟିଛି। ପ୍ରାୟ ସାଢ଼େ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ଓ ଅନ୍ୟମାନଙ୍କ ସହାୟତାରେ ୧୧ଜଣିଆ କମିଟି ସଫଳତାର ସହ ଅଳଙ୍କାର ସ୍ଥାନାନ୍ତର ଶେଷ କରିଛି। ଏହି ସମୟରେ କେବଳ ବିଦ୍ୟୁତ୍ ସରଞ୍ଜାମ, କଟର ଛଡ଼ା ଆଉ କିଛି ଆବଶ୍ୟକ ପଡ଼ିନାହିଁ। ଭଗବାନଙ୍କୁ ସମ୍ପୂର୍ଣ୍ଣ ସମର୍ପଣ କରି ଭିତର ଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ଉପଯୁକ୍ତ ବାକ୍ସ ଓ ଆଲମିରା ଭିତରକୁ ସ୍ଥାନାନ୍ତର କରିଛୁ। ପରେ ଭିତର ଭଣ୍ଡାରକୁ ସିଲ୍ କରାଯାଇଛି। ଏସ୍ଓପି ଅନୁଯାୟୀ, ଅସ୍ଥାୟୀ ଭିତର ରତ୍ନଭଣ୍ଡାରରେ ଦୁଇଟିକିଆ ତାଲା ପଡ଼ି ଚାବି ସବୁ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଛି। ଏହା ଟ୍ରେଜେରିରେ ଦାଖଲ ହୋଇଛି। ପରବର୍ତ୍ତୀ ସମୟରେ ଆବଶ୍ୟକ ହେଲେ ଟ୍ରେଜେରିରୁ ଅଣାଯିବ। ଜଷ୍ଟିସ୍ ରଥ କହିଛନ୍ତି ଯେ ଗତ ଥର ସମୟ ଅଭାବରୁ ଭିତର ରତ୍ନଭଣ୍ଡାର ଅଳଙ୍କାର ଦେଖିବାକୁ ସମୟ ପାଇନଥିଲୁ। ଆଜି ଅନୁଧ୍ୟାନ ବେଳେ ଭିତର ରତ୍ନଭଣ୍ଡାରରେ ୩ଟି କାଠ ଆଲମିରା ଓ ଗୋଟିଏ ଷ୍ଟିଲ ଆଲମିରାରେ ଅଳଙ୍କାର ଥିଲା। ସେହିଭଳି ଗୋଟିଏ ଲୁହା ସିନ୍ଦୁକ ଓ ଦୁଇଟି କାଠ ସିନ୍ଦୁକରେ ଅଳଙ୍କାର ଥିଲା। ଆଲମିରା ଖୋଲାଯାଇ କ୍ରମାନୁଯାୟୀ ଅଳଙ୍କାର ନୂଆ ଆଲମିରାକୁ ସ୍ଥାନାନ୍ତର ହୋଇଛି। ସିନ୍ଦୁକ ଭିତର ରତ୍ନଭଣ୍ଡାର ଭିତରକୁ ନ ପଶିବାରୁ ସିନ୍ଦୁକର ସମ୍ପତ୍ତିକୁ ଆଲମିରାରେ ରଖାଯାଇଛି। ଏହାକୁ ତାଲା ପକାଯାଇଛି। ଖାଲି ହୋଇଥିବା ସମସ୍ତ ଆଲମିରା ଓ ସିନ୍ଦୁକକୁ ବି ତାଲା ପକାଯାଇଛି।