ଭୁବନେଶ୍ବର : ଶୁକ୍ରବାର ଦିନ ଚାଷୀ ପ୍ରସଙ୍ଗରେ ତିନି ଦଳ ବେଶ୍ ପ୍ରଭାବୀ ଢଙ୍ଗରେ ହୋହଲ୍ଲା କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଦିନତମାମ ଗୃହ ଅଚଳ ହୋଇଯାଇଥିଲା। କିନ୍ତୁ ଶନିବାର ଦିନ ଆଲୋଚନା ବେଳେ କାହାରି ଦେଖା ନଥିଲା। ବିଧାୟକମାନଙ୍କର ଚାଷୀଙ୍କ ପ୍ରତି କେତେ ଦରଦ, ତାହା ଆଜିର ଦୁର୍ବଳ ଉପସ୍ଥିତି ସୂଚାଇ ଦେଇଥିଲା। ବିଧାୟକ ତ ଆସୁନାହାନ୍ତି। ପୁଣି ମନ୍ତ୍ରୀମାନଙ୍କ ଅନୁପସ୍ଥିତି ଆହୁରି ଅଲୋଡ଼ା ଉଦାହରଣ ସୃଷ୍ଟି କରୁଛି। ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବାକୁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଥିଲା। ଆଜି ଧାନ କିଣା ପ୍ରସଙ୍ଗରେ ଉତ୍ତର ରଖିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବି ନଥିଲେ। ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଭର୍ତ୍ସନା କରିଥିଲେ।
ଶନିବାର ଦିନ ପ୍ରଶ୍ନକାଳରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ କା’ ମନ୍ତ୍ରୀ ଭାବେ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ତର ରଖିଥିଲେ। ସେହିପରି ଧାନ କିଣାଙ୍କ ପ୍ରସଙ୍ଗରେ ଆଲୋଚନା ବେଳେ ସମବାୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ଅନୁପସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତର ରଖିଥିଲେ। ଆଜି ଦିନତମାମ ମନ୍ତ୍ରୀମାନଙ୍କ ଉପସ୍ଥିତି ୫/୬ରେ ସୀମିତ ରହୁଥିଲା। ସେହିପରି ଶାସକ ଦଳର ମାତ୍ର ୨୦ରୁ ୨୫ ଜଣ ବିଧାୟକ ଉପସ୍ଥିତ ଥିଲେ। ସେମାନଙ୍କ ଯିବା ଆସିବା ଲାଗି ରହିଥିଲେ ବି ସଂଖ୍ୟା ୩୦ ଟପି ନଥିଲା। କଂଗ୍ରେସର ଅଧିକ ସଦସ୍ୟ ଉପସ୍ଥିତ ଥିଲେ। ବିଜେପି ସଭ୍ୟମାନେ ଆଲୋଚନାରେ ଭାଗ ନେଇ ନଥିଲେ ମଧ୍ୟ ଗୃହରେ ସେମାନଙ୍କ ଉପସ୍ଥିତି ନୈରାଶ୍ୟଜନକ ଥିଲା। ମାତ୍ର ୭ ଜଣ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
ତିନି ଦିନ ହେଲା ଗୃହରେ ଏମିତି ସ୍ଥିତି ଲାଗି ରହିଛି। ଅଧିକାଂଶ ମନ୍ତ୍ରୀ ଆସନ୍ତା ସପ୍ତାହରେ ମଧ୍ୟ ଆସିବାର ସମ୍ଭାବନା କମ୍। ଅନ୍ୟ ମନ୍ତ୍ରୀଙ୍କୁ ଉତ୍ତର ଦେବା ପାଇଁ ସେମାନେ ଅଥରାଇଜ୍ କରିଥିବା ଜଣାପଡ଼ିଛି। ସେହିପରି ବହୁ ବିଧାୟକଙ୍କର ମଧ୍ୟ ଗୃହ କାର୍ଯ୍ୟ ପ୍ରତି ଅନାଗ୍ରହ ଦେଖିବାକୁ ମିଳୁଛି। ବିରୋଧୀ ଦଳ ପକ୍ଷରୁ ମନ୍ତ୍ରୀମାନଙ୍କର ଏପରି ଅନୁପସ୍ଥିତିକୁ ସମାଲୋଚନା କରାଯାଇଛି।
ଶନିବାର ଅପରାହ୍ନରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ଗୃହରେ ୧୫ରୁ ଅଧିକ ମନ୍ତ୍ରୀ ନାହାନ୍ତି, ଛୁଟିରେ ଯାଇଛନ୍ତି ନା କୁଆଡ଼େ ଯାଇଛନ୍ତି? ଏମିତି କେଉଁ ପରିସ୍ଥିତି ପଡ଼ିଲା ଯେ ଏକସଙ୍ଗେ ଏତେ ମନ୍ତ୍ରୀ କୁଆଡ଼େ ପଳାଇଲେ? ବ୍ୟକ୍ତିଗତ କାମରେ ଯାଇଛନ୍ତି ନା ସରକାରୀ କାମରେ? ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅନୁମତି ନେଇ ସରକାରୀ କାମରେ ଯାଇଛନ୍ତି କି? ଏକସଙ୍ଗେ ସମସ୍ତେ କିପରି ଗଲେ? ଲୋକଙ୍କ ରାଜସ୍ବରେ ଆମେ ଦରମା ପାଉଛୁ, ସେମାନଙ୍କ ପାଇଁ ଆମେ ଏହି ପବିତ୍ର ଗୃହକୁ ଆସିଛୁ। ହେଲେ ସେମାନଙ୍କୁ ପଛ କରି ମନ୍ତ୍ରୀମାନେ ସବୁ କରୁଛନ୍ତି। ଗୃହ ବଡ଼ ନା ତାଙ୍କ ବ୍ୟକ୍ତିଗତ କାମ ବଡ଼? କେଉଁ ଅନୁମତି ବଳରେ ମନ୍ତ୍ରୀମାନେ କୁଆଡ଼େ ଯାଇଛନ୍ତି ବାଚସ୍ପତି ତାହା ଆମକୁ ଦେଖାନ୍ତୁ ବୋଲି ଶ୍ରୀ ମାଝୀ କହିଥିଲେ।