କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଭିତ୍ତିଭୂମି ହେବ ସର୍ବଶ୍ରେଷ୍ଠ। କ୍ରୀଡ଼ାଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ପର୍ଯ୍ୟନ୍ତ, ସବୁଥିରେ କେନ୍ଦୁଝର ଆଗକୁ ଯିବ ବୋଲି ରବିବାର ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଦରବାର ହଲ୍‌ରେ ଜଙ୍ଗଲ ସୁରକ୍ଷା, ପର୍ଯ୍ୟଟନ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତୀକରଣ, କୃଷି ଓ ଶିଳ୍ପ ସମ୍ପର୍କରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରାଇସୁଆଁ ଏୟାରଷ୍ଟ୍ରିପ୍, କେନ୍ଦୁଝର ବାଇପାସ୍, ଆଇକନିକ୍ ବ୍ରିଜ୍, ରେଳଷ୍ଟେସନ୍‌ ରାସ୍ତା, ନୁଦୁରପଡ଼ାରୁ କାଳିଆହତା ରାସ୍ତା, ପିଠାଗୋଳା ରାସ୍ତା, ମାଇନିଂ କରିଡର୍‌ ଓ ଅନ୍ୟାନ୍ୟ ପ୍ରମୁଖ ରାସ୍ତା କାମର ଅଗ୍ରଗତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।

Advertisment

ମନୋହରପୁରରୁ ପିଠାଗୋଳା ରାସ୍ତା, ଘଟଗାଁ-ହରିଚନ୍ଦନପୁର-ଦୈତାରି ରାସ୍ତା, ଢେଙ୍କିକୋଟ-ବାର୍‌ହାଟିପୁରା ରାସ୍ତା, ଘଟଗାଁ-ଗୁଣ୍ଡିଚାଘାଗି ରାସ୍ତା ଉନ୍ନତୀକରଣ କାମର ସମୀକ୍ଷା କରିଥିଲେ। ରାମଚନ୍ଦ୍ରପୁର-ଦେଓଗାଁ ରାସ୍ତାରେ ନିର୍ମାଣାଧୀନ ପୋଲ ଶୀଘ୍ର ଶେଷ କରିବା ସହ ନୂଆ ରାସ୍ତା ଓ ପୋଲ ନିର୍ମାଣ ପ୍ରସ୍ତାବ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମନ୍ଥର ଗତିରେ ଚାଲିଥିବା ପ୍ରକଳ୍ପ କାମର କାରଣ ବୁଝି ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ସର୍କିଟ୍‌ ହାଉସ କୋଠା କାମ ତ୍ୱରାନ୍ୱିତ କରିବା, ଡିପିଆର୍‌ ପ୍ରସ୍ତୁତି, ଜମି ଅଧିଗ୍ରହଣକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ଟେଣ୍ଡର କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟକାରୀ କରିବା, କାମର ଗୁଣବତ୍ତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ପ୍ରଶାସନ ରାସ୍ତା ସଂଯୋଗୀକରଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଗ୍ରାମୀଣ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଅନେକ ପ୍ରକଳ୍ପ ହାତକୁ ନେଇଛି। ବଡ଼ବିଲ ବାଇପାସ୍ ପ୍ରକଳ୍ପ ଓ ଏନ୍‌ଏଚ୍‌-୪୯ ସମ୍ପ୍ରସାରଣ ଦ୍ୱାରା ଆଞ୍ଚଳିକ ସଂଯୋଗୀକରଣ କାମର ତଥ୍ୟ ନେଇଥିଲେ ମୁଖ୍ୟମନ୍ତ୍ରୀ। ବଡ଼ବିଲ୍‌ ବାଇପାସ୍‌ ପାଇଁ ୨୫୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା କହିଥିଲେ। ‘ସୁଭଦ୍ରା’ ଓ ‘ଲକ୍ଷପତି’ ଦିଦି ଯୋଜନାରେ କେନ୍ଦୁଝର ଜିଲ୍ଲା ବିଶେଷ ଅଗ୍ରଗତି କରୁଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି। ଆଇନଶୃଙ୍ଖଳା ଓ ଅନ୍ୟାନ୍ୟ ଚ୍ୟାଲେଞ୍ଜ ସମ୍ପର୍କରେ ବୁଝିବା ସହ ଉପଯୁକ୍ତ ପଦ‌କ୍ଷେପ ନେଇ ଆଗାମୀ ଦିନରେ କେନ୍ଦୁଝରକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ। ଯେଉଁଠାରେ ପାନୀୟଜଳ ଅସୁବିଧା ରହିଛି, ଅଧିକାରୀମାନେ ଯଥାଶୀଘ୍ର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ‌ଦେଇଥିଲେ।

ଇସ୍ପାତ କାରଖାନା ପାଇଁ ଅର୍ଥ ଜମା କଲେଣି କମ୍ପାନି
ମା’ ତାରିଣୀ ପ୍ରକଳ୍ପ ପାଇଁ ୩୧୬ କୋଟି ଅନୁଦାନ
ବଡ଼ବିଲ ବାଇପାସ୍ ପାଇଁ ୨୫୦୦ କୋଟି

ପ୍ରସ୍ତାବିତ ବଡ଼ବିଲ-ଚଣ୍ଡିଖୋଲ ରାସ୍ତାର ସମ୍ପ୍ରସାରଣ ସଂକ୍ରାନ୍ତୀୟ ରିପୋର୍ଟ ପ୍ରସ୍ତୁତିକୁ ଶୀଘ୍ର ଶେଷ କରିବା, ରିମୁଳିରୁ ପାଣିକୋଇଲି ରାସ୍ତା, ରିମୁଳିରୁ ରାଜାମୁଣ୍ଡା, ଜାତୀୟ ରାଜପଥ ପ୍ରାଧିକରଣ ଅନ୍ତର୍ଗତ ଅନ୍ୟାନ୍ୟ ରାସ୍ତାର ମରାମତି ଏବଂ ଅନ୍ୟାନ୍ୟ ଅସୁବିଧା ଶୀଘ୍ର ସମାଧାନ କରି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଇସ୍ପାତ କାରଖାନା, ମା’ ତାରିଣୀ ପୀଠର ଉନ୍ନତୀକରଣ, କାଶୀପୁର ଓ ପାୱାରହାଉସ୍ ପୋଖରୀ କାମ ସମ୍ପର୍କରେ ଆଲୋଚନା କରିଥିଲେ। ଇସ୍ପାତ କାରଖାନା ପାଇଁ ସମ୍ପୃକ୍ତ କମ୍ପାନି ଅର୍ଥ ଜମା କଲେଣି ବୋଲି ସେ ସୂଚନା ଦେଇଥିଲେ। ଜଙ୍ଗଲ ଜମି ହସ୍ତାନ୍ତର କାମ ଶୀଘ୍ର ଶେଷ କରିବାକୁ କହିଥିଲେ।     ସମୀକ୍ଷା ବୈଠକରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, ଡିଆଇଜି ବ୍ରିଜେଶ ରାଏ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପି. ରାମାସ୍ୱାମୀ, ଜିଲ୍ଲାପାଳ ବିଶାଲ ସିଂହ, ଏସ୍‌ପି ନୀତିନ କୁଶଲକର ଦାଗୁଡ଼, ଡିଏଫ୍‌ଓ ଏଚ୍‌ଡି ଧନରାଜ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏସ୍‌ବିଆଇ ପକ୍ଷରୁ ମା’ ତାରିଣୀ ମନ୍ଦିର ପାଇଁ ଉତ୍ସର୍ଗୀକୃତ ନଡ଼ିଆ ସଂଗ୍ରହ ଯାନର ଶୁଭାରମ୍ଭ କରିଥିଲେ। ଏକଲ ରଥ ମୋବାଇଲ ଶିକ୍ଷା ୟୁନିଟ୍‌ର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବନିର୍ମିତ ପ୍ରତୀକ୍ଷା ଗୃହକୁ ଉଦ୍‌ଘାଟନ କରିଥିଲେ।