ରାଉରକେଲା / କୋଇଡ଼ା : ସୁନ୍ଦରଗଡ଼ ଟେନ୍ସା ଫାଣ୍ଡି ଅନ୍ତର୍ଗତ ବରସୁଆଁସ୍ଥ ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ଲିମିଟେଡ୍ ରେଳ ସାଇଡିଂ ନିକଟ ଗେଷ୍ଟ୍ ହାଉସ୍ରୁ ସୋମବାର ସକାଳୁ କମ୍ପାନିର ଜଣେ ଲଜିଷ୍ଟିକ୍ ମ୍ୟାନେଜରଙ୍କ ରକ୍ତ ଜୁଡୁବୁଡ ମୃତଦେହ ଉଦ୍ଧାର ହୋଇଛି। ମୃତ ମ୍ୟାନେଜର୍ ହେଲେ ମୋତିରାମ ପାଲ (୬୦)। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ କେହି ହତ୍ୟାକରି ବେଡ୍ ଉପରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ତାଙ୍କ ବେକ, ହାତ ଓ ଗୋଡକୁ ଧାରୁଆ ଅସ୍ତ୍ରରେ କଟାଯାଇଛି। ମୁହଁକୁ ବି ନିର୍ମମ ଭାବେ ଛେଚାଯାଇଛି। ଘଟଣାରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ଅନୁମାନ କରାଯାଉଥିବା ବେଳେ ପୁଲିସ ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁସାରେ, ମୋତିରାମ ଏହି କମ୍ପାନିରେ ପ୍ରାୟ ୧୫ ବର୍ଷ ଧରି ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଗତ ପ୍ରାୟ ଦେଢ଼ବର୍ଷ ତଳେ ଚାକିରିରୁ ଅବସର ନେଇଥିଲେ। ତେବେ, ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ କମ୍ପାନି କର୍ତ୍ତୃପକ୍ଷ ମୋତିରାମଙ୍କୁ ପୁନଃଅବସ୍ଥାପିତ କରିଥିଲେ। କମ୍ପାନିର ବରସୁଆଁ ସାଇଡିଂରେ ସେ ଲଜିଷ୍ଟିକ୍ ମ୍ୟାନେଜର ଭାବେ କାର୍ଯ୍ୟକରୁଥିଲେ। ତାଙ୍କ ଘର ଉତ୍ତରପ୍ରଦେଶର ବରେଲିରେ ହୋଇଥିବା ବେଳେ ସେ ପରିବାରଠାରୁ ଦୂରରେ ରହୁଥିଲେ। ତେବେ, ତାଙ୍କ ପୁଅ ଭୁବନେଶ୍ୱରରେ ବିଟେକ୍ ଇଂଜିନିୟରିଂ ପଢ଼ୁଥିବାବେଳେ ଝିଅ ବେଙ୍ଗାଲୁରୁରେ ରହୁଛନ୍ତି। ମୋତିରାମ ପ୍ରତି ଛୁଟିରେ ଘରକୁ ଯାଉଥିଲେ। ପ୍ରତିଦିନ ପରି ରବିବାର ରାତିରେ ସେ ଗେଷ୍ଟ୍ ହାଉସ୍ରେ ଖାଇବା ପରେ ରୁମ୍ରେ ଶୋଇଥିଲେ। ସୋମବାର ସକାଳୁ ଗେଷ୍ଟ୍ ହାଉସ୍ର ୱେଟର୍ ମୋତିରାମଙ୍କୁ ଚା ଦେବାକୁ ତାଙ୍କ ରୁମ୍କୁ ଯାଇ ବେଡ୍ ଉପରେ ତାଙ୍କର ରକ୍ତ ଜୁଡୁବୁଡୁ ଶବ ପଡ଼ିଥିବା ଦେଖି ଚିତ୍କାର କରିଥିଲେ। ଏ ସଂକ୍ରାନ୍ତରେ କମ୍ପାନି କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ଟେନ୍ସା ପାଣ୍ଡିକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ, ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ଓ କମ୍ପାନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଲହୁଣିପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ପରିବାର ଲୋକଙ୍କ ଲିଖିତ ଏତଲା, ପାରିପାର୍ଶ୍ବିକ ସ୍ଥିତି ଓ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।
ଉଲ୍ଲେଖଯୋଗ୍ୟ, ଗତ କିଛିମାସ ଧରି ଲୋଡିଂ ଅନ୍ଲୋଡିଂ ଠିକାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ସେହି କାରଣରୁ ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।