ଭୁବନେଶ୍ବର : ମିସନ ମୋଡରେ ଅପପୁଷ୍ଟିରେ ଶିକାର ପିଲାମାନଙ୍କୁ ଚିହ୍ନଟ କରାଯିବା ସହିତ ଅଙ୍ଗନବାଡ଼ି କେନ୍ଦ୍ରରେ ସମସ୍ତ ପିଲାଙ୍କ ଓଜନ ମାପ ପାଇଁ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି ସିଭିଲ ସୋସାଇଟି ଫୋରମ ଅନ ହ୍ୟୁମାନ ରାଇଟ୍ସ, ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ ଏବଂ ଜନସ୍ବାସ୍ଥ୍ୟ ଅଭିଯାନ। ରାଜଧାନୀର ଶ୍ରମିକ ଭବନରେ ଏହି ସଙ୍ଗଠନମାନଙ୍କ ପକ୍ଷରୁ ମିଳିତ ଭାବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଆଧାର କାର୍ଡ ନଥିବାରୁ ପିଲାମାନଙ୍କୁ ପିଡିଏସରୁ ବାଦ ଦେବା ଚିନ୍ତାର ବିଷୟ। ବାଦ ପଡ଼ିଥିବା ସମସ୍ତ ଶିଶୁ ଏବଂ ବୟସ୍କମାନଙ୍କୁ ତୁରନ୍ତ ପିଡିଏସରେ ଯୋଡ଼ିବା, ଗ୍ରୀଷ୍ମ ଛୁଟି ସମୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଜାରି ରଖିବା ନେଇ ପଦକ୍ଷେପ, ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ଖାଦ୍ୟ କାର୍ଯ୍ୟକ୍ରମ ପ୍ରବେଶରେ ଅନୁମତି, ରାଜ୍ୟରେ ଥିବା କମ୍ପାନିଗୁଡ଼ିକ ଅଞ୍ଚଳର ଜମି ଏବଂ ପ୍ରାକୃତିକ ସମ୍ପଦରୁ ଉପକୃତ ହେଉଛନ୍ତି କିନ୍ତୁ ଅଞ୍ଚଳବାସୀଙ୍କ ଉନ୍ନତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଭୋକରେ ମୃତ୍ୟୁ ପାଇଁ ପ୍ରଶାସନ ସହିତ କମ୍ପାନିଗୁଡ଼ିକୁ ମଧ୍ୟ ଉତ୍ତରଦାୟୀ କରିବା ସହିତ ବିଭିନ୍ନ ପ୍ରକାର ଦାବି କରାଯାଇ ଥିଲା।

Advertisment

କିଛି ଦିନ ପୂର୍ବରୁ ଯାଜପୁର ଜିଲ୍ଲାର ଅର୍ଜୁନ ହେମ୍ବ୍ରମଙ୍କ ଅପପୁଷ୍ଟିରେ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହାର ଅନୁଧ୍ୟାନ ପାଇଁ ଗୌରାଙ୍ଗ ମହାପାତ୍ର, ପ୍ରଜ୍ଞାପାରମିତା ଜେନା, ରବି ଶଙ୍କର ବେହେରା, ସମିତ ପଣ୍ଡା ଘଟଣାସ୍ଥଳକୁ ଏବଂ ସୋନାଲିମୟୀ ଏବଂ ଐଶ୍ବର୍ଯ୍ୟା କଟକ ସ୍ଥିତ ଶିଶୁ ଭବନ ଯାଇଥିଲେ। ମୃତକ ଭିନ୍ନକ୍ଷମ ଶିଶୁ ଜଣକ ଦୁଇ ଦିନ ପୂର୍ବରୁ ଭାତ ଖାଇନଥିଲେ। ଦେହାନ୍ତ ହେବା ପୂର୍ବରୁ ଜ୍ବରରେ ପୀଡ଼ିତ ଥିଲେ। ମୃତ୍ୟୁ ପରେ ତାଙ୍କ ଅନ୍ତିମ ସତ୍କାର କରାଯାଇଥିଲା କିନ୍ତୁ ଶବ ବ୍ୟବଚ୍ଛେଦ ହୋଇନଥିଲା।