ବଲାଙ୍ଗୀର: ବଲାଙ୍ଗୀର ଗନ୍ଧମାର୍ଦ୍ଦନ ସରକାରୀ ଆଇଟିଆଇ କଲେଜରେ ପାଠ ପଢିଥିଲା ଝିଅ। ଝିଅ ଚାକିର କରିବ। ପରିବାର ପୋଷିବ। ଏମିତି ଅନେକ କିଛି ସ୍ୱପ୍ନ ଦେଖିଥିଲେ ଗରିବ ବାପା ମା’। ତାମିଲନାଡୁର ଭିକ୍ଟର ଡାଇମିଙ୍ଗ ଗାରମେଣ୍ଟସ୍ରେ ସିଲେଇ କାମ କରୁଥିଲା ଝିଅ। କିନ୍ତୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ଶେଷରେ ଶବ ହୋଇ ଫେରିଲା ଝିଅ। ଏପରି ଏକ ଦୁଃଖଦ ଘଟଣା ଘଟିଛି ଆଗଲପୁର ବ୍ଲକ୍ ଡୁଡୁକାମୁଣ୍ଡା ଗାଁରେ।
ଡୁଡୁକାମୁଣ୍ଡା ଗାଁର ଶଶିଭୂଷଣ ଭୋଇଙ୍କ ଝିଅ ମିନା ଭୋଇ(୧୮ବର୍ଷ) ସରକାରୀ ଆଇଟିଆଇରେ ପାଠପଢିଥିଲେ। ଗତ ମାସେ ତଳେ ତାମିଲନାଡୁର ଉଦମଲାପାଟ ଠାରେ ଥିବା ଭିକ୍ଟର ଡାଇମିଙ୍ଗ ଗାରମେଣ୍ଟସ କମ୍ପାନିରେ ନିଯୁକ୍ତି ପାଇଥିଲେ। ଝିଅ ତାମିଲନାଡୁରେ ଚାକିରି ପାଇଛି ଭାବି ବହୁତ ଖୁସି ହୋଇଥିଲେ ମା’, ବାପା। କିନ୍ତୁ ବେଶି ଦିନ ରହିନଥିଲା ଖୁସି।
ଗତ ପାଞ୍ଚ ଦିନ ତଳେ ମିନାଙ୍କୁ ଜ୍ୱର ହୋଇଥିଲା। ଡାକ୍ତରଙ୍କଠାରେ ଚିକିତ୍ସା ପାଇଁ ଘର ଲୋକ ଟଙ୍କା ମଧ୍ୟ ପଠାଇଥିଲେ। କିନ୍ତୁ ଯେତେ ଯାହା କଲେ ବି କମ୍ପାନି ଠିକ ଠାକ ଭାବରେ ଚିକିତ୍ସା କରାଇଲା ନାହିଁ। ତାଙ୍କ ସମ୍ପର୍କୀୟ ଜଣେ ସେହି ପାଖରେ କାମ କରୁଥିବାରୁ ତାଙ୍କ ଝିଅକୁ ଧରି ଘରକୁ ଆଣିବା ପାଇଁ ପରିବାର ଲୋକେ କହିଥିଲେ। କମ୍ପାନି ପକ୍ଷରୁ ହାଟିଆ ଏର୍ନାକୁଲମ ଟ୍ରେନ୍ରେ ବସାଇ ଦିଆଗଲା। ଗୁରୁବାର ରାତିରେ ଗୁରୁତର ଅବସ୍ଥାରେ ବଲାଙ୍ଗୀର ରେଲୱେ ଷ୍ଟେସନରେ ପହଞ୍ଚିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଚିକିତ୍ସା ପାଇଁ ନେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ତାଙ୍କୁ କଣ ପାଇଁ ଜ୍ୱର ହେଉଥିଲା ଜଣାପଡ଼ିନାହିଁ। ସେଠାରେ ଡାକ୍ତର ଦେଖାଇଥିବା କୌଣସି ରିପୋର୍ଟ କି ମେଡିସିନ ଦେଇନଥିଲା କମ୍ପାନି। ତାମିଲନାଡୁରୁ ଆସି ବଲାଙ୍ଗୀର ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିବାରୁ ହସପିଟାଲରେ ଶବ ବ୍ୟବଚ୍ଛଦେ କରାଯାଇଥିଲା। କମ୍ପାନି ମାଲିକଙ୍କ ଅବହେଳାରୁ ଝିଅର ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।