ବ୍ରହ୍ମପୁର : ଓଡ଼ିଶାରେ ରହୁଥିଲେ ସୁଦ୍ଧା ଆନ୍ଧ୍ରରେ ପାଠ ପଢ଼ି ମାଟ୍ରିକ ସାର୍ଟିଫିକେଟ୍‌ ପାଇବାକୁ ପ୍ରତିଯୋଗିତା ଚାଲିଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଇଲାକାରେ ରହୁଥିବା ବହୁପିଲା ଏବେ ଆନ୍ଧ୍ର ସ୍କୁଲ୍‌ ପ୍ରତି ଆକୃଷ୍ଟ ହେଉଛନ୍ତି। ଆନ୍ଧ୍ର ସାର୍ଟିଫିକେଟ୍‌ରେ ଓଡ଼ିଶାରେ ଚାକିରି କରିବା ହେଉଛି ମୂଳ ଉଦ୍ଦେଶ୍ୟ। ଆନ୍ଧ୍ର ବୋର୍ଡ଼ର ହାତଖୋଲା ମାର୍କ ଦେଖି ଓଡ଼ିଶା ପିଲା ତାଜୁବ୍‌ ହୋଇଯାଉଛନ୍ତି। ଏବେ ଗ୍ରାମୀଣ ଡାକ ସେବକ(ଜିଡିଏସ୍‌) ପଦବି ପାଇଁ ଆବେଦନ କ୍ଷେତ୍ରରେ‌ ଆନ୍ଧ୍ର ମାଟ୍ରିକ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ମାଟ୍ରିକ୍‌ ପରୀକ୍ଷାରେ ୬ଶହରୁ ୬ଶହ ମାର୍କ ରଖି ଆନ୍ଧ୍ର ସ୍କୁଲର ବୋର୍ଡ଼ ସାର୍ଟିଫିକେଟ୍‌ ଦାଖଲ କରୁଛନ୍ତି ପିଲା।

Advertisment

ବ୍ରହ୍ମପୁର ପୋଷ୍ଟାଲ୍‌ ଡିଭିଜନ୍‌ ଅଧୀନରେ ଏଭଳି ଦୁଇଜଣ ୬ଶହ ମାର୍କ ରଖିଥିବା ପ୍ରାର୍ଥୀ ଚିହ୍ନଟ ହୋଇଛନ୍ତି। ଏହାପରେ ପୁଣି ଜଣେ ଆନ୍ଧ୍ର ସାର୍ଟିଫିକେଟଧାରୀ ଜିଡିଏସ୍‌ର ଦ୍ବିତୀୟ ପର୍ଯ୍ୟାୟ ଚୟନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଛାତ୍ର ଜଣକ ୬ଶହରୁ ୫୮୨ ମାର୍କ ରଖିଛନ୍ତି। ଓଡ଼ିଆରେ ଶହେରୁ ଶହେ ରଖିଥିବା ବେଳେ ତେଲୁଗୁରେ ୯୮ ଓ ଇଂରାଜୀରେ ମଧ୍ୟ ୯୮ ମାର୍କ ରଖିଛନ୍ତି। ତାଙ୍କର ସାର୍ଟିଫିକେଟ୍‌ ଯାଞ୍ଚ ପରେ ତାହା ଠିକ୍‌ ଥିବା ଜଣାପଡ଼ିଛି। ଆନ୍ଧ୍ର ସ୍କୁଲରେ ମାର୍କ ବର୍ଷା ହେଉଥିବାରୁ ଓଡ଼ିଆ ବୋର୍ଡ଼ ପିଲା ପଛରେ ପଡ଼ି ଯାଉଥିବା ଆଲୋଚନା ହେଉଛି।

ବ୍ରହ୍ମପୁର ପୋଷ୍ଟାଲ୍‌ ଡିଭିଜନ୍‌ ଅଧୀନରେ ୫୭ ଜିଡିଏସ୍‌ ପଦବି ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୮ଜଣ ଚୟନ ହୋଇଛନ୍ତି। ଏବେ ଦ୍ବିତୀୟ ପର୍ଯ୍ୟାୟ ସାର୍ଟିଫିକେଟ୍‌ ଯାଞ୍ଚ ପ୍ରକ୍ରିୟା ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ପ୍ରାର୍ଥୀ ଆନ୍ଧ୍ର ସ୍କୁଲର ମାଟ୍ରିକ୍‌ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଦାଖଲ କରିଥିଲେ। ଉଭୟେ ୬ଶହରୁ ୬ଶହ ମାର୍କ ରଖିଥିଲେ। ତନ୍ମଧ୍ୟରୁ ଜଣେ ନିଯୁକ୍ତି ପାଇଁ ମନୋନୀତ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ଠିକ୍‌ ଜାତି ପ୍ରମାଣପତ୍ର ଦେଖାଇ ପାରି ନଥିବାରୁ ତାଙ୍କର ଆବେଦନ ଖାରଜ ହୋଇ ଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ ଯାଞ୍ଚ ବେଳେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ବୁରାତାଲ ଅଞ୍ଚଳର ଜଣେ ଛାତ୍ର ଆନ୍ଧ୍ର ବୋର୍ଡ଼ ମାଟ୍ରିକ୍‌ ସାର୍ଟିଫିକେଟ୍‌ ଦାଖଲ କରିଥିବା ଜଣାପଡ଼ିଛି। ୨୦୨୦ ମସିହ‌ାରେ ସେ ଶ୍ରୀକାକୁଲମ୍‌ ଜିଲ୍ଲା ମଞ୍ଜୁସାର ଏକ ସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିଥିବା ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି। ଛାତ୍ର ଜଣକ ମୋଟ ୫୮୨ ମାର୍କ ରଖିଛନ୍ତି। ତାଙ୍କର ସାର୍ଟିଫିକେଟ୍‌ ଯାଞ୍ଚ ପରେ ତାହା ଠିକ୍‌ ବୋଲି ଜଣାପଡ଼ିଛି। ଏହି ଛାତ୍ର ଜଣକ ଓଡ଼ିଶାରେ ରହୁଥିଲେ ସୁଦ୍ଧା ଆନ୍ଧ୍ର ସ୍କୁଲରେ ପାଠ ପଢ଼ିଛନ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ୬ଶହ ମାର୍କ ପାଇଥିବା ପ୍ରାର୍ଥୀ ମଧ୍ୟ ପାତ୍ରପୁର ବ୍ଲକ୍‌ର ନିବାସୀ।

ବିଶେଷ କରି ଗଞ୍ଜାମ ଜିଲ୍ଲାର ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ଆନ୍ଧ୍ର ସ୍କୁଲରେ ପଢ଼ିବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଆନ୍ଧ୍ର ସ୍କୁଲରେ ଯେଭଳି ମାର୍କ ଦିଆଯାଉଛି ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଖୋଦ୍‌ ଡାକ ବିଭାଗର ଅଧିକାରୀ ମଧ୍ୟ ଏଭଳି ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। କିନ୍ତୁ ସାର୍ଟିଫିକେଟ୍‌ ଠିକ୍‌ ଥିବାରୁ ଅଧିକାରୀ ମଧ୍ୟ କିଛି କରିପାରୁ ନାହାନ୍ତି। ଡାକ ବିଭାଗରେ ଜାଲ୍‌ ସାର୍ଟିଫିକେଟ୍‌ରେ ଚାକିରି ଘଟଣା ପ୍ରଘଟ ପାଇବା ପରେ ଏବେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି।